Unknown

 

 

 

 

 

 

 

 

 

 

 

ଆକାଶର ଆହ୍ୱାନ

ଶ୍ରୀ ପୀତାମ୍ୱର ପ୍ରଧାନ

 

ଅସ୍ୱସ୍ତିରେ କଡ଼ ଲେଉଟାଇଲା ଛବି । ମୁଦା ମୁଦା ଆଖି ଦୁଇଟି ଖୋଲିହୋଇ ଆସୁଥାଏ-। ପତଳା ନିଦ ଭିତରେ ସେ ହୁଏତ ସ୍ୱପ୍ନ ଦେଖୁଥିଲା ସମୁଦ୍ରରେ ଝଡ଼ ଆସିଛି । ହିଂସ୍ର ଜଳଭାଗଟା ଅଧୀର ହୋଇଉଠିଚି । ତା’ର ଦୁର୍ବଳ ଆଖି ଦୁଇଟିରେ ଭରି ଦେଇଚି ପୋଷେ ପୋଷେ ବାଲି ଆଉ ଧୂଳି । ଦଳି ମକଚି ଅସ୍ଥିର ହେଲାଣି । ତଥାପି ଯନ୍ତ୍ରଣାର ଉପଶମ ନାହିଁ । ଅଦୃଶ୍ୟ ବାଲି ଛିଟାରେ ଖୁଞ୍ଚି ରଗଡ଼ି ହେଉଚି ତା’ର ସମସ୍ତ ଶରୀର ।

ବିଛଣା ଛାଡ଼ି ଉଠିବାକୁ ଚେଷ୍ଟାକଲା । ଆଗାମୀ ସଞ୍ଜର ଶେଷକିରଣ ଶଯ୍ୟା ଉପରେ କେତେ କ’ଣ ଅବୋଧ୍ୟ ଲିପି ଲେଖି ଯାଉଥାଏ । କେଡ଼େ ଅଳସେଇଟା ସେ ? ସଞ୍ଜପହରେ କିଏ କେତେ ଆମୋଦରେ ମାତିଥିବେ । ସମୁଦ୍ର କୂଳରେ ଜନ ଗହଳି ବଢ଼ିଯିବଣି । ପୁଣି ହୁଏତ ଧୂସର ବାଲିରେ ଝଡ଼ ଆସିବ । ତା’ର ଭଙ୍ଗାକୋଠାର ଖୋଲାଝରକା ଦେଇ ଅଜାଡ଼ି ଦେବ ବାଲିରେଣୁ ଓ ସାମୁଦ୍ରିକ ଜୀବର ଅଲକ୍ଷିତ ଅବଶେଷ । ସେ ଆଉ ଶୋଇ ପାରିବ ନାହିଁ, ଉଠି ପଡ଼ିବ । ନୀଳ ଜଳର ଦ୍ରାଘିମା ଉପରେ ଥରେ ଆଖି ବୁଲାଇ ଆଣିବ ।

ଶଯ୍ୟା ଛାଡ଼ି ଠିଆ ହେଲା ଛବି ।

ଖୋଲା ଝରକାର ରେଲିଂ ଧରି ବାହାରକୁ ଦୃଷ୍ଟିଦେଲା । ଚିର ପରିଚିତ ସେଇ ସମୁଦ୍ର । ବେଶ୍‍ ନିସ୍ତରଙ୍ଗ । ଦୂର ଝାଉଁବଣରେ ପତ୍ରର ସନ୍‍ ସନ୍‍ ଶବ୍ଦ ନାହିଁ । ବୃଦ୍ଧାର ଛାତି ପରି ଚୌଦିଗଟା ଚମକ୍‍ହୀନ । କ୍ଷଣକ ପୂର୍ବର ଝଡ଼କୁ ସେ ବିଶ୍ୱାସ କରିପାରିଲା ନାହିଁ । ତଥାପି ତାକୁ ହସି ଉଡ଼େଇ ଦେବାର ଶକ୍ତି କାହିଁ ତା’ର ? ଦୁନିଆଁରେ କେଉଁଟି ନିରାଟ ସତ ସେ ବୁଝିପାରେନା । ହୁଏତ ବର୍ତ୍ତମାନ ଯା’ଦେଖୁଚି, ତା’ ବି ସତ ନୁହେଁ । ସମୟର ମନଗଢ଼ା ପରିଧି ଭିତରେ ଯାହାକୁ ସତ୍ୟ ବୋଲି ଧରି ନେଇଚି, ସେ ହୁଏତ ଏକ ଅଜବ ମିଥ୍ୟା । ତେଣୁ ନିର୍ଭରହୀନ ଏକ ଆପାକ୍ଷିକତାର ଗଣ୍ଡି ଭିତରେ ମନଗଢ଼ା ପ୍ରତାରଣା ନେଇ ମଣିଷ ବଞ୍ଚିରହେ । କୀଟପତଙ୍ଗ ବି’ ବଞ୍ଚନ୍ତି । ସେହି ନୀତିରେ ସେ ବଞ୍ଚି ରହିବ ।

ଗଭୀର ଆତ୍ମବିଶ୍ୱାସରେ ତା’ର ଶିରାପ୍ରଶିରା ଫୁଲି ଉଠିଲା । ଲକ୍ଷ ସିଂହର ବଳ ଅନୁଭବ କରି ସେ ନାଚି ଉଠିଲା । ହେଲେହେଁ ଆଶ୍ଚର୍ଯ୍ୟ ହେଲାନାହିଁ ।

ଚିଡ଼ିଆଖାନାର ବାଘ ସିଂହ ବି ଭୋକରେ ଅଥୟ ହୋଇ ଏମିତି କୁଦି ଉଠନ୍ତି, ଲୁହାବାଡ଼ ଡେଇଁବା ପାଇଁ ଉପକ୍ରମ କରନ୍ତି । ହେଲେହେଁ ଏ ଉପକ୍ରମରେ ଭୋକିଲାମନର ଅବସାଦ ବେଶି, ପୁଣି ବନ୍ଦୀ ହେବାର ଆଶଙ୍କା ଓ ଦ୍ୱି’ଗୁଣ । ଭୟରେ ଥରି ଉଠିଲା ଛବି । ପୁରୁଣା ପିଞ୍ଜରି ଭିତରୁ ବିଦ୍ରୁପର ସ୍ୱର ଭାସିଆସିଲା । ପୁଣି ଥରେ ସେ ସଂକଳ୍ପ ନେଲା, ନା, ସେ ମୁକ୍ତି ଚାହେଁ । ସମସ୍ତ ଶକ୍ତି ସଞ୍ଚୟ କରି ମୋହର ସେ ମେଘନାଦ ପାଚିରୀକୁ ଡେଇଁଯିବ । ପାରିଲା ନାହିଁ । ଥରଥର ପଥର କାନ୍ଥରେ ଚୋଟ ଦେଲା । ଭାଙ୍ଗିଲା ନାହିଁ ଯୁଗ ଯୁଗର ସେ ଶକ୍ତ ପାଚିରୀଟା । ଆହତା ସର୍ପଣୀ ପରି ଗର୍ଜି ଉଠିଲା । କେଡ଼େ ଦୁର୍ବଳା ସେ ? ଆତ୍ମଗ୍ଲାନିରେ ଭାଙ୍ଗି ପଡ଼ିଲା । ତା’ର ମନ । ରକ୍ତ ଶୀତଳ ହୋଇ ଆସିଲା । ସେ ମୌନ ହୋଇ ବସି ପଡ଼ିଲା । କେତେ ବଣ ପାହାଡ଼ ଡେଇଁ ଭାସିଉଠିଲା ତା’ର ବାଲ୍ୟ ଯୌବନର ଗାଁ, ଭାଇଙ୍କର କର୍ମକ୍ଷେତ୍ର । କରଞ୍ଜ, କନିଅର ଘେରା ସେହି ଚାଖଣ୍ଡେ ଥାନ, ଯେଉଁଠି ସେ ବଢ଼ିଥିଲା, ଏଡ଼ୁଟିରୁ ଏଡ଼େ ହୋଇଥିଲା । ଭାଇ କହନ୍ତି, ତାଙ୍କର ବାପ ଅଜାର ମୁଲକ ଏଠୁ ବହୁ ଦୂରରେ, ଶାଳ ପିଆଶାଳର ଘନ କୁଞ୍ଜ ଭିତରେ । ସେଇଠି ହୁଏତ ସେ ଜନ୍ମ ହୋଇଥିବ । ହେଲେହେଁ ହେତୁ ପାଇଲାଦିନୁ ସେ ଏଇଠି ।

ଏ ଭୂଇଁର ସମସ୍ତେ ତା’ର ଆପଣାର । ଏଇଠି କେତେ ସୁଖ ଦୁଃଖର ଦିନ ସେ ବିତାଇଚି । ସମବଅସର ଶାନ୍ତି, କାନ୍ତି ଓ ଅରୁଣ ସଙ୍ଗରେ ଦୋଳି ଖେଳିଚି, କାନ୍ଦିଚି, ହସିଚି । ବୋଉ ବୋଉକା ଓ ପୁଞ୍ଚି ଖେଳରେ କଟିଯାଇଛି ଅନେକ ଦିନ । କେଇଟି ଘର ଛାଡ଼ିଲେ ଚୌଧୁରୀଘର । ଚୌଧୁରୀବୁଢ଼ା ଝିଅପରି ଶ୍ରଦ୍ଧା କରନ୍ତି । ‘ଅନୁ’ ଭାଇ କେତେ ଆଦର କରେ । ସାଙ୍ଗରେ ବସାଇ ଭାତ ଖୁଆଏ, ଖେଳାଏ, ବୁଲାଏ । କାନ ପାଖରେ ଚୁପ୍‍ଚାପ୍‍ କଥା କହି ସ୍ନେହର ଚାପୁଡ଼ା ମାରେ । ଏ ଚୁପ୍‍ଚୁପ୍‍ କଥାର କମ୍‍ ଅର୍ଥ ବୁଝେ ସେ । ତଥାପି ସେ ତାକୁ ଭୟ କରେ । ତାଙ୍କର ଡାଆଣିଆ ଆଖିକୁ ସେ ଚାହିଁ ପାରେନା । ବାଦୁଆ, ହିଂସିକା ଅନୁରାଗ ! ନିଜର ରୂପ ନାହିଁ ବୋଲି ଅନ୍ୟର ରୂପ ଦେଖି ଝୁରିମରେ । ତା’ପଛରେ ଠିଆହୋଇ ଦର୍ପଣ ଉପରେ ଖେଳେଇ ହୋଇ ପଡ଼ିଥିବା ବାଳକେରିକୁ ଦେଖି ଟୀକା ଟିପ୍‍ପଣୀ ଦିଏ । ତାକୁ ଚେତାଇଦିଏ, କେତେ ସୁନ୍ଦର ସେ ? ଦର୍ପଣର ଛାଇ ଉପରୁ ସେ ଆଖି ଲେଉଟାଇ ପାରାନା । ମୁଗ୍‍ଧ ଦୃଷ୍ଟିରେ ନିଜକୁ ନିଜେ ଚାହିଁରହେ । ଅନୁରାଗ ହୁଏତ ସହି ପାରୁ ନ ଥିବ, ଚାଲି ଯାଇଥିବ । ପଛକୁ ଚାହିଁ ଦେଖେ ସେ ଠିଆ ହୋଇ ରହିଚି । ତା’ର ସୁନାପରି ଦେହକୁ ଅନାଇ ରହିଚି । ତୋଫା ମୁହଁଟା ତା’ର ନାଲି ପଡ଼ିଯାଏ । ଅନୁରାଗକୁ ସେ ବୁଝିବାକୁ ଚେଷ୍ଟାକରେ ।

ଅନୁରାଗକୁ ସେ ବୁଝେ । ତଥାପି ବୁଝିପାରେନା ତା’ର ପାଗଳାମିକୁ । ତରୁଣୀ ମନଟା ଗୁଡ଼େଇ ତୁଡ଼େଇ ହୁଏ । ନିଜକୁ ନିଜେ ପ୍ରଶ୍ନ କରିଚାଲେ । କାହିଁକି ? କ’ଣ ଅଛି ତା’ର ? ଏଇ ତୋରାଦେହ ଆଉ ରଙ୍ଗିଲା ରଙ୍ଗିଲା ଓଠ ? ଏଇୟାକୁ ନେଇ ମଣିଷ କ’ଣ ମଣିଷକୁ ଭଲ ପାଇପାରେ ? ରାସ୍ତାଘାଟର ଗୋଡ଼ି ମାଟିର ବି ରଙ୍ଗ ଅଛି । ହେଲେହେଁ କେତେଜଣ ତାକୁ ପସନ୍ଦ କରନ୍ତି ? ଆଦରରେ ସାଉଁଟି ନେଇ ଘରକଣରେ ସାଇତି ରଖନ୍ତି ? କିଛି ଉତ୍ତର ପାଏନା । ଅନୁରାଗର ମୋହ ପାଇଁ ସେ ସହାନୁଭୂତି ଜଣାଏ । ଅନ୍ୟମନସ୍କ ଭାବରେ ପୁଣି ଦର୍ପଣକୁ ଅନାଇ ରହେ ।

ଦର୍ପଣରେ ଦୁଇଟି ଛାଇ ଫୁଟେ । ଗୋଟିଏ ଛବିର ଓ ଅନ୍ୟଟି ଅନୁରାଗର । ଛବିର ଛାଇଟି ଗତି କରୁଛି । କ୍ରମେ ଦୁଇଟି ଛାଇ ଗୋଟିଏ ଛାଇରେ ପରିଣତ ହେଉଚି । ଛବି ଦେହରେ ‘ଅନୁ’ ମିଶିଯାଇଛି । ତା’ପରେ ଦର୍ପଣଟା ସାଫା, ନିର୍ମଳ, କିଛିନାହିଁ, ଫାଙ୍କା ।

ଫେରି ଚାହିଁଲା ଛବି । ଅନୁରାଗ ଚାଲିଯାଇଛି । ସେ ରାଗିଥିବ । ଧାଇଁ ଯାଇ ସେ ତାକୁ ଫେରାଇ ଆଣନ୍ତା । ତଥାପି ସେ ଯାଇ ପାରୁନି । ବାଳିକା ଛାତିଟା ତାର ଥରି ଉଠୁଛି । ନା’ ସେ ଫେରିବ ନାହିଁ, ଠିଆ ହୋଇ ରହିବ । ନିଜର ଫୁଟିଲା ଛାଇକୁ ଦେଖି କାଳ କାଳ କଟାଇ ଦେବ । ରୂପ ଗୌରବରେ ସେ ଫୁଲି ଉଠିବ । ଇସ୍‍ କେଡ଼େ ଫୁଲେଇ ସେ ? କେଡ଼େ ବେସରମୀ ?

ଛବିର ଧ୍ୟାନ ଭାଙ୍ଗିଗଲା । ଭାଉଜଙ୍କର ଟାଇଁ ଟାଇଁ କଥା କାନ ଫଟାଇ ଦେଉଛି । ଭାଇ ଅଫିସରୁ ଫେରିବେଣି । ସେ ଘର ଧନ୍ଦାରେ ଲାଗିବ । ସୁନା ରୂପାର କୁଲେଇରେ ଖେଳିବାକୁ ବେଳ କାହିଁ ତା’ର ?

ସେ ଦିନ ପୋଷ୍ଟମାଷ୍ଟରଙ୍କ ଝିଅ ଲଳିତା କହୁଥିଲା; ସୁନାନାକୀ ସାଧବ ଝିଅର କଥା । କେଡ଼େ ଅଲିଅଳରେ ବଢ଼ିଥିଲା । ବାପ ମା’ ମଲେ । ଭାଉଜମାନେ ବଣରେ ଛେଳି ରଖାଇଲେ । ବଡ଼ ସାଧୁତାର ସୁନାନାକୀ ଝିଅ । ତା’ କପାଳରେ ପୁଣି ଏତେ କଷଣ ?

 

ଛବିର ଅମାନିଆ ଆଖି ଦୁଇଟି ଭେଦି ଆସିଲା । ରୂପ କଥାର ସାଧବଝିଅ ପାଇଁ କାନ୍ଦି ଉଠୁଥିଲା ସେ । ଛି, କେଡ଼େ ପାଗଳୀ ? ଏ କଣ ସତକଥା ? ତଥାପି ଏ କାହାଣୀକୁ ସେ ପୂରାପୂରି ଫାଙ୍କି ଦେଇପାରିବନି ।

 

ତା’ର ବାପ ମାଆ ଆଜି କେଉଁଠି ଥିବେ ? ମନ ହେଉଛି, ସେ ସେମାନଙ୍କ ପାଖକୁ ଧାଇଁ ଯାଆନ୍ତା । ଭାଇ କହୁଥିଲେ, ସେମାନେ ତାକୁ କେଡ଼େ ସ୍ନେହ କରନ୍ତି । ସେ ସେମନଙ୍କ କୋଳରେ ବସି ଓଜନର ଆପତ୍ତି ଜଣାନ୍ତ । ଏ ମୁଲକରେ ଆଉ ଦଣ୍ଡେ ହେଲେ ରହନ୍ତା ନାହିଁ ।

 

ରାତି ହେଲାଣି । ଝରକାର ଲୁହାବାଡ଼କୁ ଆଉଜି କେତେବେଳଯାଏ ସେ ଠିଆ ହୋଇରହିବ? ସେ ବାହାରିବ । ‘ନାଇଟି ଡ୍ୟୁଟି ’ ପାଇଁ ପ୍ରସ୍ତୁତ ହେବ । ଡାକ୍ତରଖାନାକୁ ଦୁଇମାଇଲ ରାସ୍ତା । ଚାଲି ଚାଲି ଯିବାକୁ ହେବ । ପାଖରେ ଥିଲା ରକ୍ଷା ନ ଥିଲା । ଗାଡ଼ିଘୋଡ଼ାର ହଇଚଇରେ କାନବଧିର ହୋଇଯାଆନ୍ତା । ମାନସିକ ଅସୁସ୍ଥ ଦେଖି ବଡ଼ ସାହେବ ସୁପାରିଶ୍‍ କରିଛନ୍ତି । ସମୁଦ୍ର କୂଳରେ ଘରଭଡ଼ା ନେଇ ବସା କରି ରହିଛି । ନ ହେଲେ ସମୁଦ୍ରର ହାଓ୍ୟା ହୁଏତ ସ୍ୱପ୍ନ ହୋଇ ଥଆନ୍ତା ।

 

ସିମି ବୁଢ଼ୀର ପାଦଶବ୍ଦ ଶୁଭୁଚି । ପାଖରେ କେଉଁଠି ଆସୁଥିବ । ଅଭୁତ ଏଇ ଜୀବଟି । କେତେ କ’ଣ ମାମୁଲି ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରି ପକାଇବ ।

 

ଶବ୍ଦଟା କ୍ରମେ ନିକଟତର ହେଉଛି । କି, ମାଆ, ନିଦ ଯାଉଛୁ କି ? ଆଜି କଣ ବତୀ ଲଗାଇବୁନି ? ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ତା’ ଖଟ ପାଖକୁ ଲାଗି ଆସିଲା ସିମିବୁଢ଼ୀ ।

 

ସେ ସହଜଗଳାରେ ଉତ୍ତର ଦେଲା—ନା, ଆଲୁଅ ଦରକାର ହେବନି । ଏଇଲାଗେ ଯେ ଡିଉଟିରେ ଯିବି ।

 

ସବୁବେଳେ ଖାଲି ଡିଉଟି ? ଚମକି ଉଠିଲା ସିମି । ଖଟି ଖଟି କଳା ପଡ଼ିଲୁଣି । ଆଉ କେତେ ଖଟିବୁ ?

 

ସେ କିଛି ଉତ୍ତର ଦେଲାନି । ବାଧ୍ୟ ଶିଶୁଟିପରି ପାଖରେ ବସି ସବୁ ଶୁଣି ଯାଉଥାଏ । ବୃଦ୍ଧା, ନିବିଡ଼ ଅନ୍ଧାରରେ ତା’ ପିଠିରେ ହାତ ବୁଲାଉଥିଲା । ଆଲୁଅ ଥିଲେ ଦେଖି ଥାଆନ୍ତା, ସିମି ବୁଢ଼ୀର ମୁଗୁନିପରି ମୁହଁଟା ସ୍ନେହରେ କିପରି ଚିକ୍‍କଣ ହୋଇ ଉଠିଛି ।

 

ବୁଢ଼ୀର ହାତ ପରଶରେ ସେ ଶୋଇଆସୁଛି । ମା’ ହାତରେ ନିର୍ମଳ ସୁଆଦରେ ଭରି ଉଠିଛି ସୁନାର ଏ ହାତ ଦିଓଟି । ସେ ସବୁ ଭୁଲିଗଲା । ପିଲାଟି ପରି ତା’କୋଳରେ ମୁଣ୍ଡ ଗୁଞ୍ଜି ଶୋଇ ରହିବାକୁ ଇଚ୍ଛା କଲା ।

 

କଚିରୀ ଘଣ୍ଟାରେ ଆ’ଠ ବାଜିଲା । ଅନ୍ଧାର ଘରର ଡାହାଣୀ ପରି ଗୋଡ଼ ମେଲାଇ ବସି ରହିଛି ସିମିବୁଢ଼ୀ । କୋଳରେ ପଡ଼ି ନିଦ ଯାଇଚି ଛବି ।

 

ସିମିବୁଢ଼ୀ ଡାକିଲା, ଉଠିବନୁ ମା’ ? ଘଣ୍ଟା ପଡ଼ିଲାଣି । କାମରେ ଯିବୁ ପରା ?

 

ଚାଉଁ କରି ନିଦଟା ଭାଙ୍ଗିଗଲା । ଆଖି ମଳି ମଳି ଉଠି ବସିଲା ଛବି । ନିଦରେ ବର ବର ହୋଇ ମନ ରଗଟା ତା’ ଉପରେ ମେଣ୍ଟାଇ ନେଲା । ଦାନ୍ତ ନିପିଡ଼ି ସିମିବୁଢ଼ୀଟା ହସି ଉଠିଲା । ଅନ୍ଧକାରଟା ସତେ ଯେମିତି ତା’ର ହସରେ ଫାଟି ଫାଳ ଫାଳ ହୋଇ ଯାଉଥାଏ ।

 

ଅନ୍ଧାର ଭିତରେ ଦିଆସିଲିଟା ଖୋଜି ଡିବିରିରେ ନିଆଁ ଧରାଇଲା ସିମି । ଡିଉଟି ପାଇଁ ସଜ ହେବ ଛବି । ପାଞ୍ଚଜଣ ଧାଈ ଯେପରି ସଜ ହୁଅନ୍ତି । ସିମି ନିଜ ହାତରେ ତାକୁ ସଜାଇ ଦେବ-। ଭାଇ ଦାନିଏଲ୍‍କୁ ଯେପରି ସଜ କରିଦିଏ । କେତେ ହାକିମ ହୁକୁମା ଓ ସାଇବ-ମେମ୍‍ ମେଳରେ ସେ କାଳ କଟାଇଚି । ଆଜି ସିନା ସେ ବୁଢ଼ୀ ହୋଇଚି, ତଥାପି ଦିନେ ସେ ଯୁବତୀ ଥିଲା-। ଭଅଁର ବି’ ଅନେକ । ରଙ୍ଗ ଢଙ୍ଗର ପ୍ରଜାପତି ଉଡ଼ି ଯାଆନ୍ତି । ଇସ୍‍ମାଇଲ ଆସେ, ଯୋହନ ଆସେ-। ସମସ୍ତେ ତାକୁ ଇସାରା ଦିଅନ୍ତି । ଛାତି ଉପରକୁ ଟାଣି ନେବାକୁ ଚେଷ୍ଟା କରନ୍ତି-। ରୂପଗର୍ବରେ ସେ ହସି ଉଠେ । ଭଅଁର ପଲଟାକୁ ଘଉଡ଼େଇ ଦିଏ ।

 

ଛାଇ ମିଶା ଆଲୁଅରେ ସେ ସିମିବୁଢ଼ୀକୁ ଚାହିଁ ରହିଥିଲା । ତା’ର ତନ୍ମୟତାର ବିନ୍ଦୁବିସର୍ଗ ବୁଝୁନଥିଲା । ତଥାପି ତାର ଧ୍ୟାନ ଭାଙ୍ଗିବାକୁ ଇଚ୍ଛା କଲା ନାହିଁ । ହାତେ ହାତେ ବେଶ ପୋଷାକ ପିନ୍ଧି ସଜ ହୋଇଗଲା । ବୁଢ଼ୀ ନିଜ ଚିନ୍ତାରେ ମଗ୍ନଥାଏ । ତା’ର ବାପା ମା’, ଭାଇ ଭଉଣୀ ଓ କେତେ ସାଇବ-ସାଇବାଣୀ ତା’ ଭିତରୁ ବାହାରି ଭିତରେ ଲୀନ ହୋଇ ଯାଉଥାଆନ୍ତି । ସମସ୍ତେ ତା’ର ଚିହ୍ନା । କାହା ସହିତ ତାର ପରିଚୟକୁ ସେ ଅସ୍ୱୀକାର କରିପାରିବ ନାହିଁ ।

 

ପାଲୁଣୀ ସିମି ନିଜକୁ ନିଜେ ବିସ୍ମୟରେ ଚାହିଁ ରହିଲା । ତା’ର ହିରଣ୍ୟ ଗର୍ଭରୁ କେତେ ଲୋକ ବାହାରୁଛନ୍ତି । ଭାଇ ଦାନିଏଲ୍‍ ଡାକି ଉଠୁଚି. ସାମୁଏଲ ଅଳି କରୁଚି । ଇସ୍‍ମାଇଲ୍‍ ଆଖି ନଚାଇ ଥଟ୍ଟା କରିଯାଉଚି । ଛି. କେଡ଼େ ଦୁଷ୍ଟ ଏଇ ଦାନିଏଲ୍‍ ? ସାଇବର ବାରିକ ବୋଲି ମନଟା ତାର ସାଏବି । ଭାଇ ଭଉଣୀଙ୍କୁ ଟାପରା କରେ । ସାଇବିଠାଣିରେ ଢଳି ଢଳି ଡାକେ, ‘My dear Simi’ ଛି, କେଡ଼େ ଅଲାଜୁକ ଏଇ ଟୋକାଟା ? କିରସ୍ତାନ ବୋଲି ମନଟା ତାର କୁଣ୍ଢେମୋଟ । ଯେତେ ହେଲେ ତ ଓଡ଼ିଶା ଦେଶର ପୁଅ । ଏଇ ଦେଶର ବଣ ପାହାଡ଼ରେ ଜୀବନ ଗଢ଼ା । ବିଦେଶୀ ସାଇବର ଗୋଲାମ ବୋଲି ନିଜର ମାନ ମହତ୍ତ୍ୱ ନାହିଁ । ଏମିତି ବହେ ଗାଳିଦିଏ ସେ । କିଛି ବୁଝେନା ଦାନିଏଲ୍‍ । ହସିହସି ଗଡ଼ିଯାଏ । ଶୀଘ୍ର ବେଶ କରିଦେବା ପାଇଁ ଅଳିକରେ । ଡେରି ହେଲେ ବଡ଼ ସାଇବ ବିଗିଡ଼ିବ ।

 

ଦାନିଏଲ୍‍ର ଗରଜ ବୁଝେ ସିମି । ତାକୁ ଗାଳି ଦେଇ ପାରେନା । ଏ ଦେଶର ଗୋଡ଼ି ମାଟି ପ୍ରତି ତା’ର ଘୃଣା ଆସେ । ବଣ ମୁଲକର ପ୍ରାଣ, ଡମ ଓ କନ୍ଧ, ସଅରା କାହିଁକି କିରସ୍ତାନ ହେଲେ, ଏଇ ପ୍ରଶ୍ନଟା ତା’ ମନରେ ଗୁରେଇ ତୁରେଇ ହୁଏ ।

 

ପାହାଡ଼ର ବାଉଳା ପବନ ଶିରା ପ୍ରଶିରାରେ କୁହୁକ କାଠି ଛୁଆଇଁ ଯାଏ । ଦୋହଲି ଉଠେ ଯୁବତୀ ସମିର ଦେହ ଆଉ ମନ । ଛାତି ତଳେ ଯୋହନ ଓ ଇସ୍‍ମାଇଲ୍‍ର ଡାକ ଶୁଭେ । ପୁରୁଣା ସିମି କାତି ଛାଡ଼େ । ବୟସର ଜୁଆରରେ ଦାନିଏଲ୍‍ର ଉପସ୍ଥିତି ଭୁଲିଯାଏ ।

 

ଚିଡ଼ ଉଠେ ଦାନିଏଲ୍‍ । ସିମି ମୁହଁକୁ ବଲ ବଲ କରି ଅନାଇ ରହେ । ସିମିର ଚେତା ଆସେ, କଥାର ଆଳଧରି ସେ ନିର୍ବୋଧ ଦାନିଏଲ୍‍କୁ ବାଁରେଇ ଦିଏ । ଦାନିଏଲ୍‍ ବି’ ବିଶ୍ୱାସ କରେ-। ବେଶପଟା ଭିଡ଼ି ସାଇବ ଘରକୁ ବାହାରେ । ଓଠରେ ସାଇବର ଦରପୋଡ଼ା ସିଗାରେଟ୍‍-। ଦେହରେ କଠେ ବଳ । ସାଇବ କୋଠିକୁ ବାହାରେ, ବାରିକ ଦାନିଏଲ୍‍, ସିମି ପାଲୁଣୀର ଅବୋଧ ଭାଇ ଦାନି

 

ଫମ୍ପା ଦୃଷ୍ଟିରେ ଚାହିଁ ରହିଥିଲା ସିମି । ସିତେ ଯେପରି ଦାନିଏଲ୍‍ର ଯିବାପଥକୁ ସେ ଏଇଲାଗେ ଚାହିଁ ବସିଛି । ରାତି ଅ’ଧକୁ ସେ ଫେରିଆସିବ । ଖାଲଦେଇ ପୁଣି ସାଇବକୋଠ ଜଗିବାକୁ ଯିବ । ମଦ ନିଶାରେ ଢଳି ଢଳି ଫେରିବ ଯୋହାନ । ତା’ ପାଖରେ କେତେ ଜୁଲମ୍‍ କରିବ । ସେ ଗାଳିଦେବ, ପାଟି କରିବାର ଭୟ ଦେଖାଇବ । ତଥାପି ଡରିବ ନାହିଁ ଯୋହନ । ତା’ର ମଦୁଆ ହାତରେ ସେ ତାକୁ ଭିଡ଼ି ନେବ । ଓଠରେ ଓଠ ଥାପି ଗେଲ କରିବ । ସେ ମନା କରି ପାରିବ ନାହିଁ । ଟାଣୁଆ ମନଟା ସାଙ୍କୁରି ଯିବ । ଯୋହନ କୋଳରେ ଦେହ ଢାଳି ଶୋଇ ରହିବ । ପାଇକମାନେ ବଣବୁଦାରୁ କୁହାଟ ମାରି ଫେରିଲାବେଳେ ତା’ନିଦ ଭାଙ୍ଗିବ । ସେ ଦେଖିବ, ଯୋହନ ବି ଶୋଇ ଯାଇଛି ।

 

ଯୋତା ଠକ୍‍ ଠକ୍‍ କରି ଛବି ଚାଲିଯାଉଥିଲା । ସିମିବୁଢ଼ୀର ଚେତା ଆସିଲା, ଯୋହନ ଓ ଦାନିଏଲ୍‍ ଫେରିଗଲେ । ଯୁବତୀ ସିମି ବୁଢ଼ୀ ପାଲଟିଲା । ତାର ପୂରିଲା ପୂରିଲା ଦେହ ଓ ବଳିଲା ବଳିଲା ବାହୁ ପଶିଆସିଲା । ସେ ଦେଖିଲା ନୀରବରେ ଛବି ଚାଲିଯାଇଛି ।

 

ପଛରୁ ଡାକିଉଠିଲା ସିମି, ଖାଲି ଖାଲି ବାହାରି ଯାଉଛୁ ମା’ ? କ’ଣ ଦି’ଟା ପାଟିରେ ଦେଇ ଯା ।

 

ଉତ୍ତର ମିଳିଲା, ଖାଇଚି । ଦରକାର ନାହିଁ । ପୁଣିଥରେ ଯୋତା ମଚମଚ ଶବ୍ଦ । ଛବି ଚାଲିଗଲା । ଶଯ୍ୟା ଉପରେ ପଡ଼ିରହିଲା ସିମି, ଅନ୍ଧାର ଘରର ପିତାସୁଣୀ । ଛବିର ସ୍ମୃତି-ରାଜ୍ୟରେ ଘୂରି ଚାଲିଥିଲା ଅନୁରାଗ । ବନ୍ଦୀ ସେ, ନିରୁପାୟ ସେ । ଇଟାପଥରର ଗାରଦ ଭିତରେ ଆବଦ୍ଧ ନଥିଲେ ବି’ ସୁନାର ଏ ଖୋଳଟି ତା’ ପାଇଁ ଯଥେଷ୍ଟ । ସୁନାର ଏ ଖୋଳ ଭିତରେ ସେ ବନ୍ଦୀ ହୋଇଚି । ନଦୀତୀରରେ ବସି ବିଷଣ୍ଣ ଦୃଷ୍ଟିଟା ଏଣେତେଣେ ଖେଳାଇ ଆଣୁଛି ସେହି ଶୁଭ୍ର ବାଲୁକା, ଚପଳଛନ୍ଦା ନଈ ଓ ତା’ର କ୍ଷୀଣଧାରଟି । ଛୋଟ ଛୋଟ କେଇଟି ତରଙ୍ଗ । ତୀର ଭୂଇଁରେ ମଥା ପିଟି ବାହୁଡ଼ି ଯାଉଛନ୍ତି । ତଟିନୀର ଏଇ ବୋଧହୁଏ ନିବେଦନ ?

 

ତରଙ୍ଗ ମଥାପିଟି ଫେରିଯିବ । ଚାହିଁ ରହିଥିବ ଆବଦ୍ଧ ତଟଭୂମି । ବନ୍ଦୀ ସେ । ସୀମା ଲଙ୍ଘିବାର ଶକ୍ତି ନାହିଁ ତା’ର । ତରଙ୍ଗ ପଛରେ ସେ ଧାଇଁ ପାରିବ ନାହିଁ । ଫିକା ଆଖିରେ ସେ ଅନାଇ ରହିଥିବ । ଛବି ଚାଲିଯିବ । ଅନୁରାଗ ଗୋଡ଼ାଇ ଯିବନି । ବାଲିଶେଯର ପିଲାଖେଳ ନରି ସବୁ ହୁଏତ ଲିଭି ଆସିବ । ଉଚ୍ଚନୀଚ ବାଲୁଭୂମି ପୁଣି ସମତଳ ହେବ । ନୂଆ ଛବି ଓ ନୂଆ ଅନୁରାଗ ଖେଳ ଖେଳିବେ । ପୁରୁଣା ଛବି ଲୀନ ହୋଇଆସିବ । ପୁରୁଣା ଛବି ଲୀନ ହୋଇଆସିବ-। ପୁରୁଣା ଅନୁରାଗ ମାଟିରେ ମିଶିବ ।

 

ଏଇ ଅଦଳ ବଦଳ ଭିତରେ ଢଳି ଢଳି ଆସିବ କୀର୍ତ୍ତିଦା । ଉଚ୍ଚଶିକ୍ଷାର ଗୌରବ ନେଇ ଚୌଧୁରୀଘରର ବୋହୁ ସାଜିବ । ବାପା ଓ ଜେଜେବାପା ଖୁସି ହେବ । କୀର୍ତ୍ତିଦା କୁଳଶୀଳା । ବାପ ଅଜାଙ୍କର ନାଁ ଅଛି । ସେହି ନାଁ’ ବିକି ସେ ଲକ୍ଷ୍ମୀପ୍ରତିମା ହେବ । ଚୌଧୁରୀକୁଳକୁ ‘ପୁତ୍‍’ ନର୍କରୁ ଉଦ୍ଧାର କରିବ । ବଡ଼ଘରକୁ ଉଜ୍ଜଳ କରିବା ପାଇଁ ବର୍ତ୍ତମାନ କେତେ ସ୍ୱପ୍ନ ଦେଖୁଥିବ । ଛବି ବି’ ସ୍ୱପ୍ନ ଦେଖୁଥିଲା, କଳାଗାର ଧଳାଗାର ଟାଣି ରାଜାପୁଅକୁ ଚାହିଁ ବସିଥିଲା । ଘୋଡ଼ା ଝପଟାଇ ରାଜାପୁଅ ହୁଏତ ପାରିଧିରେ ଗଲା । ତଥାପି କଳାଗାର ଧଳାଗାର ଡେଇଁ ପାରିଲା ନାହିଁ । ରାଜାପୁଅ ଫେରିଆସିଲା । ହଜିଗଲା ତା’ର ପକ୍ଷୀରାଜଘୋଡ଼ା ଓ ଅଗ୍ନାଗ୍ନି ବନସ୍ତର ରାଜକୁମାରୀ ।

 

ତେଣୁ କୀର୍ତ୍ତିନାର ଏ ସ୍ୱପ୍ନରେ କିଛି ନୂତନତା ନାହିଁ । ରାଜାପୁଅ ହୁଏତ ଯିବ ନାହିଁ । ଘୋଡ଼ା ଗୋଡ଼ରେ ଜଖମ ଲାଗିବ । ଅମାନିଆ ଘୋଡ଼ାଟା କୁଆଡ଼େ କେଜାଣି ଉଡ଼ିଚାଲିବ । ତା ପରେ କୀର୍ତ୍ତିଦା ? କ’ଣ ହେବ ତା’ର ଦଶା ? ଭାବି ପାରିଲାନି ଅନୁରାଗ । ବୁନିୟାଦିର ମନଟା ଦବି ଆସିଲା । ଚୌଧୁରୀବଂଶର କୁଳପ୍ରଦୀପ ଅନୁରାଗ । ବାପାମାଆଙ୍କ ଆଶାରେ ଜଳାଞ୍ଜଳି ଦେଇ ପାରିବନି ସେ । କୁଳର ମହତ ରଖିବ । ପିତୃପୁରୁଷର ଯଶକୁ ଏ ପିଢ଼ିରୁ ସେ ପିଢ଼ିକି ଟାଣିନେବ । ବହମାନ ରକ୍ତଧାରା ସେ । ବହିଯିବା ତା’ର ଧର୍ମ । ଅଳିଆ ଆବର୍ଜନା ଧରି ସେ ବହିଚାଲିବ । ମନଇଚ୍ଛା ବହିଯିବାର ସ୍ୱାଧୀନତା ନାହିଁ । ବାପ ଅଜାର ମନମାଫି ନାଳୀ ଖଣ୍ଡେ ସେ-। ବୁନିଆଦିର କ୍ଷେତ ଭିତରକୁ ଗଡ଼ି ଚାଲିବ । ପଡ଼ିଆ ଭୂଇଁକୁ ଉଠିଆ କରିବ । ଏଇ ଦାୟ ପାଇଁ ତା’ର ଜନ୍ମ । ଏଇ ଦାୟ ପୂରଣ କରି ତା’ ବଂଶର ଶଅଶଅ ମାଟିରେ ମିଶିଛନ୍ତି । ସେ ବି’ ମିଶିବ-। ତା’ପରେ ତା’ର ପୁଅ, ତା’ର ନାତି—ଏମିତି ଅସୁମାରୀ । ବଂଶର ସୁଅ ବନ୍ଦ ହେବ ନାହିଁ । ଗୋଟିକ ପରେ ଗୋଟିଏ ଆସୁଥିବେ. ଯାଉଥିବେ । ପିତୃପୁରୁଷର ନିଶୁଣୀ ଡେରା ହୋଇଛି-। ସ୍ୱର୍ଗରୁ ନର୍କ ଯାଏ । କେହି ଥକି ଯିବାର ପ୍ରଶ୍ନ ଉଠୁନି । ସିଡ଼ି ମଝିରେ ଗଣ୍ଠି ନ କରି ସ୍ୱଚ୍ଛନ୍ଦ ଭାବରେ ଚାଲିବେ । ଶୃଙ୍ଖଳାର ଗଡ଼ିଚାଲିବ ବଂଶର ଯିବା ଆସିବା । ଛବି ବା କୀର୍ତ୍ତିର ସେଠି ସ୍ୱତନ୍ତ୍ର ସ୍ଥାନ କାହିଁ ? ସେମାନେ ନିମିତ୍ତ ମାତ୍ର ।

 

ତାହା ହେଲେ କାହିଁକି ସ୍ୱପ୍ନ ଦେଖୁଥିଲା ଛବି ? ନିଜକୁ ନିଜେ ପ୍ରଶ୍ନ କଲା ଅନୁରାଗ । ନଦୀକୂଳର ପ୍ରତ୍ୟେକ ବାଲିରେଣୁ ବି’ ସେଇ ପ୍ରଶ୍ନ ପଚାରିଲେ । ସେ ଉତ୍ତର ପାଇଲା ନାହିଁ । ଅର୍ଥହୀନ ଦୃଷ୍ଟିରେ ଅନାଇ ରହିଲା । ଶୂନ୍ୟରୁ ହସି ଉଠିଲା ଛବିର ପଚାସଢ଼ା ଶବଟା ।

 

ଛି, ଏଇ ପ୍ରଶ୍ନର ଉତ୍ତର ଦେଇ ପାରୁନ ? ଲାଜୁରା ହୋଇ ଉଠିଲା ଅନୁରାଗ ।

 

ଆଖି ମେଲାଇ ଦେଖିଲା ସାମ୍ନାରେ ଠିଆ ହୋଇଛି ଛବି । ତା’ର ମୁର୍ଦ୍ଦାରଟା ପୁଣି ଜୀଇ ଉଠିଛି । ତାଜା ରକ୍ତ ମାଂସରେ ପୁରି ଯାଇଛି ତାର ଅଙ୍ଗ ପ୍ରତ୍ୟଙ୍ଗ । ଚାଲି ଚାଲି ଆସି ସେ ତା’ ନିକଟରେ ବସି ପଡ଼ିଲା । ଶୀତଳ ବାଲୁକା ନୀରବ ହୋଇ ଆସୁଥାଏ ।

 

ଛବିର କଅଁଳ ହାତଟିକୁ ନିଜ ହାତରେ ଧରି ଗେଲ କରୁଛି ଅନୁରାଗ । ଖେଳେଇ ହୋଇ ପଡ଼ିଥିବା ବାଳକେରିକୁ ଆଦରରେ ସାଉଁଳି ଦେଉଛି । ଜହ୍ନ ଆଲୁଅରେ ବେଶ୍‍ ସୁନ୍ଦର ଦିଶୁଛି ସେଇ ଦରଫୁଟିଲା ମୁହଁଟି । ଗଣ୍ଡ ଦେଶରେ ଲୁହଧାରା କେଇଟି ଶୁଖି ଆସିଛି । ତଥାପି କି ଅମଳିନ ଏଇ ମୁଖ ? ଏ ମୁଖ ଦେବୀର ନା, ମାନବୀର ? ସେ ସ୍ଥିର କରି ପାରୁନି । କେବଳ ମୁଗ୍‍ଧଭାବରେ ଚାହିଁ ରହିଛି ।

 

ଜୀବନରେ ଅନେକ କଥା ପଚାରିଛି ସେ । ଅନେକ କିଛି ଶୁଣିବାକୁ ଚାହିଁଚି । କିନ୍ତୁ କୌଣସିଟିର ଉତ୍ତର ପାଇନି । ଭାଇ ଭାଉଜଙ୍କ ଗଞ୍ଜଣାରେ ଛବି ଅସ୍ଥିର । ବାପ ମା’ କେଉଁ ଅଜଣା ମୂଲକରେ ! ଯାହାଙ୍କୁ ଭାଇ ବୋଲି ଭାବେ ସେ ତାର ମା’ ପେଟର ଭାଇ ନୁହନ୍ତି । ପୋଷ୍ୟ ପୁଅ । ଭାଉଜ ପରଝୁଅ । ତାଙ୍କ ଦୋଷ ଦେଇ ଲାଭ କ’ଣ ? ସେମାନେ ତା’ର ଆଶ୍ରା । ସେମାନଙ୍କୁ ଛାଡ଼ି ସେ କେଉଁଠିକି ଯିବ ? ଦୁଃଖରେ ମନଟା ଭାରୀ ହୋଇ ଉଠିଲେ ସେ ଏଇ ନଈ ଧାରକୁ ଧାଇଁ ଆସେ । ନୀରବ ବାଲି ଭୂଇଁକୁ ତା’ର ମନକଥା କହେ । ହେଲେହେଁ ତା’ ଆଗରେ କେବେ ତୁଣ୍ଡ ଖୋଲି ସେ ତା’ର ଦୁଃଖର କାହାଣୀ କହିନି ।

 

ଛବିର ଅଜ୍ଞାତରେ ବେଳେ ବେଳେ ତା’ର ମନ ତାତିଉଠେ । ଏ ସବୁର କିଛି ସମାଧାନ କରିବା ପାଇଁ ସେ ଚଞ୍ଚଳ ହୋଇପଡ଼େ । ପୁଣି କଣ ଭାବି ଛାଏଁ ଛାଏଁ କମିଆସେ ଉତ୍ତେଜନା । ବାଲି ଭୂଇଁ ପରି ଛାଏଁ ତାତି ଛାଏଁ ଶୀତଳ ହୋଇ ଉଠେ ମନ । ଛବିକୁ ସେ ସୁଖୀ କରି ପାରେନା । ତାର ବ୍ୟର୍ଥ ପ୍ରତିଜ୍ଞାରେ ଆକାଶର ଚନ୍ଦ୍ର ହସି ଉଠେ, ତାରା ମୁହଁରେ ଫୁଟି ଉଠେ ବିନ୍ଦୁ ବିନ୍ଦୁ ଝାଳ ।

 

ଚାରୋଟି ବସନ୍ତ ଅତୀତ ହୋଇଛି । ବାଲି ଉପରେ କୂଳବୁଡ଼ା ବନ୍ୟାର ଅକାତ ପାଣି ଛୁଟିଛି । ଗୋଳିଆ ପାଣିରେ ଜଳ ଦେବତା ଗର୍ଜି ଉଠିଛି । ଛବି ଓ ଅନୁରାଗର ସ୍ମୃତି ଧୋଇ ହୋଇ ଯାଇ ନୂଆବାଲି ପଡ଼ିଛି । ତଥାପି କରି ପାରିନି ସେ କିଛି ପ୍ରତିକାର । ମନ ଭିତରୁ ନୈରାଶ୍ୟର ହା’ ହା’ କାର ଉଠିଛି । ପୌରୁଷର ବାହାନା ଧରି ସେ ଛବିକୁ ଠକି ଦେଇଛି । ତଥାପି ଥକି ଯାଇନି ନିରୀହା ଛବି । ଭଙ୍ଗା ନାଆକୁ ପାଲଟାଣୀ ଭସାଇ ରଖିବାର ଆୟାସ ଯାହାଙ୍କୁ ଅବିନାଶ କେବେ ଜାଣନ୍ତି ନାହିଁ । ଏପରି ସମାଗମ ସେ କେବେ ଆଶା କରି ନଥିଲେ ।

 

ଯାହା ହେଉ ନୀରବ ହୋଇ ସେ ବସି ରହିଲେ । ନିକିତି ତଉଲ ଓ ଭରି ମସାରେ ହିସାବ ଚାଲିଲା । ତାପରେ ଜାତିଆଣ, କୁଳଶୀଳ ଓ ଗୋତ୍ର ବିଚାର—ଏମିତି କେତେ କଥା । ସେ ପାଟି ଫିଟାଇବା ଉପଯୁକ୍ତ ମନେ କଲେନି ।

 

ପାଖ ଘରେ ସେ ଶୋଇ ରହିଥାଏ । ଆଖିକୁ ନିଦ ଆସୁ ନ ଥାଏ । ବାପା ଓ ଜେଜେ ବାପଙ୍କର ଗମ୍ଭୀର ବାଣୀ ତା’ର ସ୍ନାୟୁଗୁଡ଼ିକୁ ଛିଡ଼ାଇ ଦେବାର ଚେଷ୍ଟା କରୁଥାଏ । ସେ ବୁଝିପାରୁ ନ ଥାଏ, ଏ ପ୍ରହେଳିକାର ଅର୍ଥ । ଦୁଇଟି ଜୀବନକୁ କଣ୍ଡେଇ କରି ଏ ବଂଶର ଲୋକେ ଆଜିଯାଏ ଯେଉଁ ଖେଳ ଖେଳୁଥିଲେ ତା’ର ମର୍ମ କଣ ହୋଇପାରେ ? କେବଳ ଖେଳିବା କଣ ତାଙ୍କର ଉଦ୍ଦେଶ୍ୟ ?

 

ଖେଳ ବଢ଼ିଲା । ସଭା ମୌନ ହୋଇଆସିଲା । ଅବିନାଶ ଆହତ ସ୍ୱରରେ ବିଦାୟ ମାଗୁଥିଲେ । ସମାଜର ଏ ଅଭ୍ରାନ୍ତ ନିର୍ଣ୍ଣୟରେ ପାଟି ଖୋଲିବାର ଶକ୍ତି ନ ଥିଲା । କେବଳ ଯିବାପାଇଁ ସେ ବ୍ୟଗ୍ର ଥିଲେ । କନ୍ୟାଦାୟର ଶକ୍ତ ବୋଝଟା ଆହୁରି ଶକ୍ତ ହୋଇ ତାଙ୍କର ସମୁଦାୟ ଶରୀରଟାକୁ ଚାପି ଦେଉଥାଏ । ଆଉ ଘଡ଼ିକ ପାଇଁ ଏଠାରେ ରହିବାକୁ ସେ କୁଣ୍ଠିତ ଥିଲେ । ପିତାଙ୍କର ଚିର ପରିଚିତ ସେହି ମୁଖଟା ଆଜି କେମିତି ଅସ୍ୱାଭାବିକ ଜଣା ପଡ଼ୁଥିଲା । କୌଣସି ଗୋଟାଏ ଦୋ’ଛକିରେ ପଡ଼ି ସେ ଯେପରି ଘାବରା ହୋଇଯାଇଥିଲେ ।

 

ଛବି ବିଦାୟ ନେବାକୁ ଆସିଛି । ସକାଳ ଅପେକ୍ଷା ସେ ଅଧିକ ଲାଜକୁଳୀ ହୋଇ ଉଠିଛି-। ମୁଖରେ ସରସତା ନାହିଁ । କିପରି ଗୋଟାଏ ଉଦାସ ଭାବ । ଖଟ ବାଡ଼ ଧରି ଠିଆ ହୋଇଛି-। ବିଦାୟ ମାଗି ପାରୁନି । ଦୁଇଟି ରଦ୍ଧଧାରା ଅଜଣା ଏକ ପାହାଡ଼ୀ ବିଲରେ ମିଳିଯାଇଛନ୍ତି-। ବାହାରକୁ ବହିଯିବାର ଉତ୍‍କଣ୍ଠା ଅଛି । ବହିଗଲେ ମଧ୍ୟ ମୁକ୍ତି । ତଥାପି ଗୋଟିଏ ଅନ୍ୟଟିକୁ ଛାଡ଼ି ପାରୁନି । ଶିଳାର ବ୍ୟୁହ ଭିତରେ ଛନ୍ଦାଛନ୍ଦି ହୋଇ ଫୁଲି ଉଠୁଛନ୍ତି ଦୁଇଟି ଜଳସ୍ରୋତ । ଉଭୟ ନୀରବ । ପାଟିରେ ଭାଷା ନାହିଁ । ଫୁଲି ଉଠିଥିବା ଜଳୋଚ୍ଛ୍ୱାସର କେଇଟି ଛିଟିକା ଏତେ ତେଣେ ବିଞ୍ଛି ହୋଇପଡ଼ିଛି ।

 

ଓଦା ଗଳାରେ ସେ ଡାକିଲା, ଛବି...ଛବି ଉତ୍ତର ଦେଲା, ଉଁ... । ସ୍ୱର ଅତ୍ୟନ୍ତ କ୍ଲାନ୍ତ ଓ ମ୍ରିୟମାଣ ।

 

ତଟଭୂମି ପଥ ଛାଡ଼ିଦେଲା । ଜଳର ଛୋଟ ଛୋଟ ହାବୁକା ମାନ କୂଳ ଲଙ୍ଘିବାକୁ ଉପକ୍ରମ କଲେ । ଛାତିରେ ଛାତି ମିଶାଇ କାନ୍ଦିଉଠିଲେ ଦୁଇଟି ଜଳଧାରା । ପଥରର ବ୍ୟୁହ ମେଲା ହୋଇଗଲା । ଆଗରେ ସବୁଜ ଉପତ୍ୟକା । ଦୁଇଟି ସ୍ରୋତ ଚାଲିଲେ । ପାଖକୁ ପାଖ । ଅଳ୍ପଟିକେ ଛଡ଼ା ଛଡ଼ି । ଦୁଇଟି ସୁଅ ମୁହଁରେ ଗୋଟିଏ ସଙ୍ଗୀତ । ଗୋଟିଏ ଧାର ଆଗେଇ ଚାଲିଲା । ଅନ୍ୟଧାରଟି ପଛରେ ପଡ଼ି ରହିଲା ।

 

ଅବିନାଶ ପଛକୁ ଫେରି ଚାହିଁଲେ । ଅଧୋମୁଖରେ ଛବି ତାଙ୍କର ଅନୁସରଣ କରୁଥାଏ-। ଚୌଧୁରୀଘର ଛାଡ଼ି ଆସିଲେଣି ।

 

ନିକଟରେ ହୁଏତ ସେମାନେ ଏ ଭୂଇଁ ଛାଡ଼ିବେ । ନୂଆ କର୍ମକ୍ଷେତ୍ରରେ ଡେରା ପଡ଼ିବ । ଅଖ ସଙ୍ଗେ ସଙ୍ଗେ ଚକ ଗଡ଼ି ଚାଲିବ । ମଝିରେ ପଡ଼ି ରହିବ କେତେ ବଣବୁଦା ଆଉ ଚିହ୍ନା ଅଚିହ୍ନା ମୂଲକ । ଚକ ସଙ୍ଗରେ ଗଡ଼ିଯିବାର ଶକ୍ତି ନାହିଁ ବଣବୁଦାର । ସେ ସ୍ଥାଣୁ, ଅଟଳ । ଦୀର୍ଘ ଶ୍ୱାସଟିଏ ପକାଇଲା ଅନୁରାଗ । ହେଲେ ହେଁ ମନର ଘଣ୍ଟାଚକଟା କମିଲା ନାହିଁ । ଛବି ଆସିଲା, ଫେରିଗଲା-। ଫେରି ଆସିଲାନି ଅତୀତର ସେହି ଛାଡ଼ି ଆସିଥିବା ଦିନଗୁଡ଼ିକ ।

 

ହାତରେ କିଛି ପାଇଟି ନାହିଁ । ଖାଲି ଖାଲି କେତେ ବସି ରହିବ ? କୁସ୍‍ଧରି ଦରବୁଣା ମୋଜାଟି ବୁଣି ଚାଲିଥିଲା ଛବି । ଥରେ ଦି’ଥର ହାତ ଫୁଟି ରକ୍ତ ବାହରିଲାଣି । ତାକୁ ଜଣାନାହିଁ । ଜାଣିଲେ ମଧ୍ୟ ଯନ୍ତ୍ରଣା ନାହିଁ । ବୁଣି ଚାଲିଛି ।

 

ବଡ଼ସାହେବ ଆସୁଛନ୍ତି, ଅନୁରାଗ ଆସିଛି । ବହି ଆସୁଥିବା ରକ୍ତ ଟିକକ ପୋଛି ଦେବାପାଇଁ ଉଭୟଙ୍କ ଭିତରେ ଆକୁଳତା । ଜଣେ ଅନ୍ୟଜଣକୁ ଟପିଯିବା ପାଇଁ ଚେଷ୍ଟା କରୁଛି । ବିସ୍ମିତ ହେଲା ଛବି । ଛି’ କେଡ଼େ ରକ୍ତଲୋଭୀ ଏ ମଣିଷଗୁଡ଼ାକ ? ବିଲୁଆ କୁକୁରଙ୍କ ଠାରୁ ବି’ ହୀନ । କଞ୍ଚାଦେହର ରକ୍ତ ଟୋପାକ ପାଇଁ ଏତେ ଲାଳସା ?

 

ଅପରେସନ୍‍ ଥିଏଟରରେ ରୋଗୀର ତାଜାରକ୍ତ ସେ ଦେଖିଛି । ବଞ୍ଚିବାର ନିଛୁକ୍‍ ଆଗ୍ରହରେ ସେ ରକ୍ତର ପ୍ରତ୍ୟେକ କଣିକା ଟକମକ ହୋଇ ଫୁଟି ଉଠୁଥାଏ । ତଥାପି ସେ ରକ୍ତକୁ ପୋଛି ନେବାପାଇଁ କେହି’ତ ଆଗଭର ହୁଏନା । ସତେ ଯେପରି ସେ ବିଷାକ୍ତ ଶୋଣିତର ଇତିହାସ ନାହିଁ । ତାହା ନିରର୍ଥକ ଓ ସ୍ୱାଦୁହୀନ । ତାହାହେଲେ କି ସ୍ୱାଦୁ ଅଛି ତା’ର ଏଇ ରକ୍ତରେ ? ଏଇ ରକ୍ତ ପାଇଁ ଏତେ ଲୋକ କାହିଁକି ପାଗଳ ହୁଅନ୍ତି ? ବୁଢ଼ିଆଣୀ ପରି ଜାଲ ଛନ୍ଦି ସିମିବୁଢ଼ୀ ଜଗିରହେ । ମାଛି ପରେ ମାଛିର ସୁଅ ଛୁଟେ । ବଡ଼ମାଛି ସାନମାଛିକୁ ଘଉଡ଼ାଇ ଦିଏ । କ୍ରୋଧରେ ଭଣ ଭଣ ହୋଇ ଉଠେ ସାନମାଛିଟା । ରକ୍ତ ଚାଖିବାକୁ ତା’ର ବି ଅଧିକାର ଅଛି ।

 

ସିମିବୁଢ଼ୀ ହସି ଉଠେ । ମାଛି ପଲଟା ତା ଜାଲରେ ବନ୍ଦୀ ହୁଅନ୍ତି । ନିର୍ମମ ଭାବରେ ଗୋଟିକ ପରେ ଚିପି ଚାଲେ ସେ । ଉନ୍ମାଦ ରକ୍ତବୀର୍ଯ୍ୟ ଗୁଡ଼ାକୁ ମାରିଦେବାର ତା’ର କି ଆନନ୍ଦ ?

 

ସେଦିନ ଡାକ୍ତର କିରଣବାବୁ ତା’ପାଖରେ ଘଷି ହୋଇଗଲେ । କଣେଇ କଣେଇ ହସି ଉଠିଲେ ପାଖର ଧାଈ କେଇଟି । ତାକୁ ନେଇ ହସର ଏ ଫୁଆରା, ସେ ବୁଝିପାରୁ ନଥିଲା । ସାଙ୍ଗ ସାଥିମାନଙ୍କ ଇସାରାରୁ ବୁଝିଲା ସାହେବ ତାକୁ ଭଲ ପାଆନ୍ତି । ମନକୁ ମନ ବହେ ହସିଲା । ଏହା ଭିନ୍ନ ଆଉ କଣ କରିପାରନ୍ତା ସେ ?

 

ଭଲପାଇବାର ସ୍ୱରୂପଟା କ୍ରମେ ତା’ପକ୍ଷେ ଅବୋଧ୍ୟ ହୋଇ ଉଠୁଥିଲା । ରାସ୍ତାଘାଟର ଗୋଡ଼ି ମାଟି ଓ ସ୍ନେହ ପୀରତି ଭିତରେ ତଫାତ୍‍ କ’ଣ, ସେ ଜାଣିପାରୁନଥିଲା । ଭଲ ପାଇବାର ଅନ୍ତ ନାହିଁ । ଯେ’ ପାରୁଛି, ସେ ଗୋଟାଇ ଆଣୁଛି । ଯାହାର ଇଚ୍ଛା ସେ ଫିଙ୍ଗି ଦେଉଛି । ଡାକ୍ତର ବାବୁ ଗୋଟାଉଛନ୍ତି, ଅନୁରାଗ ବି’ ଦିନେ ଗୋଟାଉଥିଲା । ସେ ଗୋଟାଇ ପାରିଲା ନାହିଁ । ହାତ ରହିଗଲା । ବେଳାଭୂଇଁରୁ ଅପସରି ଗଲା ସେ । କେତେ ଯିବେ, କେତେ ଆସିବେ । କେବଳ ଯାଇ ପାରିବନି ବାଲିର ଏଇ ଧୂସର ଶେଯଟା । ତା’ଉପରେ ସମସ୍ତେ ନାଚି କୁଦି ଯିବେ । କିରଣ ବାବୁ ଚାହାଣୀ ଢାଳିବେ । ସେ ଚୋରାଚାହାଣୀରେ ଅର୍ଥ ଥିବ । ରୋଗୀଟିର ନାଡ଼ି ଦେଖୁ ଦେଖୁ ହାତ ଅସ୍ଥିର ହୋଇ ଉଠିବ । ସେ ଆଖି ଫେରାଇ ପାରିବନି । ପୁରୁଷ ଆଖିର ନିଆଁରେ ଜଳି ଉଠିବ ସେ-। ତାର ବାଳିକା ଛାତି ଦୁଲୁକି ଯିବ । ‘ଚାର୍ଟଟା’ ବଢ଼ାଇ ଦେବା ପାଇଁ ପାଖକୁ ପାଖ ଘୁଞ୍ଚି ଯିବ ସେ-। ଥରିଲା ଥରିଲା ହାତରୁ ‘ଚାର୍ଟ’ଟି ଖସି ପଡ଼ିବ । ଡାକ୍ତର ବାବୁ ହସି ଉଠିବେ । ହତଭାଗ୍ୟ ରୋଗୀଟା ଯନ୍ତ୍ରଣାରେ ଚିକ୍ତାର କରି ଚାଲିବ । ହୁଏତ ଏ ସବୁର ଅର୍ଥ ବୁଝୁ ନଥିବ ସେ ।

 

କ୍ରସ୍‍ଟା ଆଉ ଚାଲୁନି । ହାତ ଦି’ଟା ବନ୍ଦ ହୋଇ ଆସିଲାଣି । ପ୍ରସୂତି-ସଦନର, ଝାପ୍‍ସା ସ୍ମୃତିଟା ଗୋଳମାଳିଆ ହୋଇ ଆଖି ଆଗରେ ନାଚି ଯାଉଛି । ଦରବୁଣା ମୋଜାଟି ଯେଉଁଠି ଅଛି, ସେଇଠି ଥାଉ । ଆଜି ଆଉ ବୁଣି ପାରିବ ନାହିଁ ।

 

ଡାକି ଡାକି ଘର ଭିତରକୁ ପଶିଆସିଲା ସିମି । ଛବିର ପାଖକୁ ଲାଗି ବସି ପଡ଼ିଲା । ଏ ଘରଟାରେ ଯେମିତି ତାର ଅବାଧ ପ୍ରବେଶ ! ଜନ୍ମ ଜନ୍ମର ଅଧିକାର ନେଇ ପଶିଆସେ । ମନାକରି ହୁଏନା । ଛବିର ମୁଖମଣ୍ଡଳରେ କିପରି ଗୋଟାଏ ବିରସ ଭାବ ଫୁଟି ଉଠିଲା । ତା’ର ଚିନ୍ତାଧାରା ଓଲଟ-ପାଲଟ ହୋଇ ଯାଉଛି । ନୂଆ ଛବି ପୁରୁଣା ହେଉଚି । ଫିକା ମୁହଁରେ ଫେରିଯାଉଛନ୍ତି କିରଣ ବାବୁ । ଅନୁରାଗ ଅଭିଶାପ ଦେଉଛି । ତଥାପି ମେଘନାଦ ପାଚିରୀ ଘେରା ରାଜଅନଃପୁର ଭିତରୁ ସେ ବାହାରି ପାରୁନି । କଡ଼ା ଆଖିରେ ଜଗିରହିଚି କ୍ଲୀବ ପ୍ରହରୀ, ନଂପୁସକ, ସିମିବୁଢ଼ୀ । କାୟା ପଛରେ ଛାୟା ପରି । ତା’ର ଅର୍ଗଳ ଭାଙ୍ଗିବାକୁ ଯୁ’ ନାହିଁ । ସମସ୍ତଙ୍କର ଅର୍ଗଳ ଭାଙ୍ଗିଚି । ଭାଇ-ଭାଉଜଙ୍କର ବନ୍ଧନ ସେ ହାତେ ହେତେ କାଟି ଦେଇଛି । ବାପ ମା’ଙ୍କ ପାଇଁ ଲୁହ ଢାଳିବାକୁ ଅବକାଶ ପାଇନି । ସଂସାର ଛଡ଼ା ଜୀବନ ଧରି ଗଛମୂଳକୁ ଗୋଡ଼ ବଢ଼ାଇ ଦେଇଛି । ହେଲେହେଁ ଗଛ ମୂଳରେ ମଧ୍ୟ ନିସ୍ତାର ନାହିଁ । ମୁଣ୍ଡ ଉପରେ ପିତାସୁଣୀଟା ଗୋଡ଼ ମେଲାଇ ତାକୁ ଜଗି ରହିଛି-

 

ଅନୁରାଗର ଅଭିଶାପରେ ଝଡ଼ି ଝଡ଼ି କଣ୍ଟା ହେବ ପଛେ, ହାଡ଼ିଆଣୀ ‘ରତନା’ ପରି ମୁକ୍ତିର ନିଶ୍ୱାସ ସେ ମାରିପାରିବ ନାହିଁ । ହରିଜନ ଝିଅ ରତନା । କେଡ଼େ ସୌଭାଗ୍ୟବତୀ ? ପେଟରେ ପାପବୋଝ ବୋହି ହସି ହସି ଡାକ୍ତରଖାନାକୁ ଆସିଥିଲା । ଅବସ୍ଥା ସଙ୍କଟାପନ୍ନ । ‘ଏମର୍‍ଜେନ୍‍ସି ଓ୍ୟାର୍ଡ଼’ ରେ ଭର୍ତ୍ତି ହେଲା । ରାତ୍ରି ସେତେବେଳେକୁ ନିଶବ୍ଦ ହୋଇ ଆସୁଥାଏ। ବ୍ରାହ୍ମଣ ଯୁବକଟି ତା’ର ସେବା ଶୁଶ୍ରୁଷାରେ ଲାଗିଥାଆନ୍ତି । ଫେରାର୍‍ ଆସାମୀ ପରି ସବୁଥିରେ କିପରି ଏକ ସଂକ୍ରସ୍ତଭାବ ମୁଖମଣ୍ଡଳକୁ ଆଚ୍ଛନ୍ନ କରି ରଖିଥାଏ ।

 

ଡାକ୍ତରଖାନାରେ ସେଦିନ ଭାରୀ ଗୋଟାଏ ଚାଞ୍ଚଲ୍ୟ—ଧାଈ ମହଲରେ ପ୍ରବଳ ଗୋଟାଏ ଉତ୍ତେଜନା । ଘୃଣାଜୀବନର ଏହି ପ୍ରଣୟ-କାହାଣୀ ଏ ତୁଣ୍ଡରୁ ସେ ତୁଣ୍ଡ ଖେଳି ଯାଉଥାଏ-। ଏମରଜେନ୍‍ସି ଓ୍ୟାର୍ଡ଼ରେ ତା’ର ‘ନାଇଟି ଡ଼୍ୟୁଟି’ । ଯିବନି ବୋଲି ମନସ୍ଥ କରୁଥିଲା । ଦୁନିଆରେ ଏ ପାପକୀଟ ଦୁଇଟିଙ୍କୁ ଅବହେଳା ମଧ୍ୟରେ ମରିବାକୁ ଛାଡ଼ିଦେବ । ମାୟାବିନୀ ରାତ୍ରି ଗର୍ଭରେ ସେମାନଙ୍କର ବିଳାପ ଲୁଚିଯିବ । ଚିକିତ୍ସାଳୟର ପିଶାଚୀ ରାତ୍ରି ପକ୍ଷ ମେଲାଇ ସବୁ ଲୁଚାଇ ଦେବ । ତାକୁ କେହି ଦାୟୀ କରିପାରିବେ ନାହିଁ-। ପ୍ରଭାତରେ ନିର୍ମଳ ଆଲୋକରେ ସେ ସମସ୍ତଙ୍କ ପରି ସଫେଇ ଦେଇ କହିବ, ‘କେସ୍‍ଟା’ ବଡ଼ ‘ହୋପ୍‍ଲେଶ’ । ଏ ‘ଷ୍ଟେଜ୍‍’ ରେ କିଛି କରିବାର ନ ଥିଲା-। ଡାକ୍ତରବାବୁ ଯଥେଷ୍ଟ ଚେଷ୍ଟା କରିଛନ୍ତି । ଅଭାଗିନୀ ସେତିକି ଦିନକୁ ଆସିଥିଲା-

 

ଭାଗ୍ୟ ନାଆଁରେ ଅପବାଦ ଦେଇ ମଣିଷର ଅବହେଳା ଲୁଚିଯିବ । ଭାଗ୍ୟ ଦେବତା ନିଜପକ୍ଷରୁ ସାକ୍ଷୀ ଦେଇ ପାରିବ ନାହିଁ ।

 

ରାତାରାତି ଅପରେସନ୍‍ ନ ହେଲେ ରୋଗିଣୀର ବଞ୍ଚିବା ଆଶା ଖୁବ୍‍ କମ୍‍ । ତେଣୁ ଅପରେସନ୍‍ ପାଇଁ ସର୍ଜନ୍‍ ‘ଘୋଷ’ ତତ୍ପର ହେଉଛନ୍ତି–ଓ୍ୟାର୍ଡର ବେହେରାଟି ଜଣାଇ ଦେଇଗଲା । କ୍ଲାନ୍ତିରେ ରତନା ବୋଧ ଶୋଇ ଆସିଥାଏ । ପାପ ଫଳଟିକୁ ଦୁନିଆ ଆଗକୁ ଆଣିବା ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା–ରତନାର ପ୍ରାଣ ସଂଶୟରେ ଶିହରି ଉଠିଲା ପରେଶ । ତଥାପି ସେ ନାହିଁ କରି ପାରିଲା ନାହିଁ ।

 

ଓ୍ୟାର୍ଡ଼ ଆଗରେ ଦେବଦାରୁ ଗଛ ଚୁଳକରୁ ପକ୍ଷୀ କେଇଟି ପାଟି କରି ଉଠିଲେ । ଶାନ୍ତିଭଙ୍ଗର ସୂଚନା ପାଇଁ ସେମାନେ ହୁଏତ ଅଭିଯୋଗ କରୁଥିଲେ । ସେ ଦ୍ୱିଧାଗ୍ରସ୍ତ ହୋଇ ଗୋଟିଏ ସ୍ଥାନରେ ଠିଆ ହୋଇଥାଏ । କାନ୍ଦି କାନ୍ଦି ଆସି କେହି ତାର ପାଦତଳେ ପଡ଼ିବାର ସେ ଅନୁଭବ କଲା । ଚିନ୍ତା ରାଜ୍ୟରୁ ଫେରି ଆସିଲା । ପୂର୍ବର ସଙ୍କଳ୍ପ ସବୁ ଗୋଳମାଳିଆ ହୋଇ ଉଠିଲା । ଗଛ ତଳର ତିଳ ତଣ୍ଡୁଳିତ ଛାୟାରେ ସେ ନିରେଖି ଚାହିଁଲା...ପରେଶ, ଗଭୀର ନିଶିର ସେହି ଅପାକ୍ତେୟ । ପ୍ରେମର ପରୀକ୍ଷା ଦେବାକୁ ଧାଇଁ ଆସିଛି । ଲୁହ ଛଳ ଛଳ ଆଖିରେ ଗଭୀର ଅନୁଯୋଗ । ଧାଈ ଜୀବନରେ ଏ ଅନଭୂତି ନୂଆ ନୁହେଁ । ତଥାପି କରୁଣାରେ ତାର ନାରୀ ହୃଦୟ ତରଳି ଆସିଲା । ସେ ପରେଶକୁ ଉଠାଇ ଦେଇ ଭରସା ଦେଲା, କିଛି ଚିନ୍ତା ନାହିଁ ।

 

ଅପରେସନ ପାଇଁ ଷ୍ଟ୍ରେଚରଟିରେ ରତନାକୁ ସ୍ଥାନାନ୍ତରିତ କରାଯାଉଥିଲା । ଆତଙ୍କିତ ଦୃଷ୍ଟିରେ ଚାହିଁ ରହିଥିଲା ପରେଶ । ସେ ତାକୁ ବୋଧ ଦେଇ ସର୍ଜନଙ୍କ ପଛେ ପଛେ ଚାଲିଲା । ‘କ୍ଲୋରଫର୍ମ’ ନିଶାରେ ଅଚେତ ହୋଇ ଶୋଇ ଆସିଛି ରତନା । ମୁଖରେ ପ୍ରଶାନ୍ତ ଦୀପ୍ତି ଓ ବିଜୟର ଉଲ୍ଲାସ । ଛୁରୀ ତଳେ ହସି ହସି ବେକ ପତାଇ ଦେଇଛି । ସଂକୋଚ ଭୟରେ ଆତ୍ମହତ୍ୟା କରିନି । ପେଟର ଛୁଆକୁ ବୁଦା ବାଡ଼ରେ ଫିଙ୍ଗି ନିଜକୁ ସତୀ ସାବିତ୍ରୀ ବୋଲି ସାବ୍ୟସ୍ତ କରିନି । ସଙ୍ଗେ ସଙ୍ଗେ ଚାଲିଛି ତାର ସହଯାତ୍ରୀ ହାତ ଧରାଧରି ହୋଇ ଚାଲିଛନ୍ତି । ଅଧବାଟରୁ ଖସି ଯିବାର ପ୍ରୟାସ ନାହିଁ । ସମାଜ, ଲୋକନିନ୍ଦା, ବାପ ମାଆ, କୌଣସିଟି ତାଙ୍କର ପଥରୋଧ କରିପାରିନି । ଉଚ୍ଚ ବର୍ଣ୍ଣର ରକ୍ତ ନୀଚ ବର୍ଣ୍ଣରେ ମିଶିଛି । ରକ୍ତ, ରକ୍ତର ମହାମିଳନରେ ବର୍ଣ୍ଣ ଧର୍ମ ହଜିଯାଇଛି । ମଣିଷ, ମଣିଷଭାବରେ ସେମାନେ ଯାତ୍ରା ରଚିଛନ୍ତି । କାଣନ୍ତିନି ସେମାନେ କୁଆଡ଼େ ଆଗେଇଛନ୍ତି-। ସ୍ୱର୍ଗକୁ ନା ନର୍କକୁ ? ତଥାପି ଉନ୍ମାଦ ଯାତ୍ରୀ । ଆଗେଇ ଚାଲିଛି । ଆଗରେ କଣ ପଡ଼ିବ ଜାଣେନା-। ଅଜଣା ଦିଗ୍‍ବଳୟକୁ ଉଡ଼ି ଚାଲିଛି ମୁକ୍ତି ଆଶାରେ ରଙ୍ଗୀନ ଦୁଇଟି ସ୍ୱପ୍ନିଳ ଜୀବନ ।

 

ଦ୍ୱାର ଦେଶରେ ଅପେକ୍ଷା କରିଛି ପରେଶ । ରତନା ପାଖକୁ ଧାଇଁ ଯିବାକୁ ବ୍ୟଗ୍ର ହେଉଛି । ତଥାପି ଡାକ୍ତରବାବୁଙ୍କ କଡ଼ା ଆଦେଶ ଲଙ୍ଘି ଭିତରକୁ ଯାଇ ପାରୁନି ।

 

କ୍ଷୀଣ ଚିତ୍କାରଟିଏ ଭାସି ଆସିଲା । ଚୌଦିଗର ନୀରବତା ଭିତରେ ନିଶିଥିନୀ ହାଇ ମାରୁଥିଲା । ପଦ୍ମପତ୍ରର ଜଳ ବିନ୍ଦୁଟି ଉଚ୍ଛନ୍ନ ହୋଇ ଉଠୁଛି । ସରସୀ ବକ୍ଷରେ ମିଶିଗଲେ ସେ ହୁଏତ ଶାନ୍ତି ପାଆନ୍ତା ।

 

ଅପରେସନ ଶେଷ ହୋଇଛି । ଆଲୋକ ଦେଖିବା ପୂର୍ବରୁ ଅନ୍ଧାରୀ ଗୁହାରେ ଶୋଇ ପଡ଼ିଛି ମାଆ ପେଟରେ ଶିଶୁଟି । ସେ ଆଉ ଉଠିବ ନାହିଁ । ରତନାର ହୃଦଯନ୍ତ୍ର କ୍ରିୟା କ୍ରମେ ଶିଥିଳ ହୋଇ ଆସୁଛି । ଦୃଢ଼ ପ୍ରଣୟକୁ ଦୁନିଆ ଆଗରେ ଦେଖାଇବା ପାଇଁ ସେ ବୋଧହୁଏ ଏତେ ବାଟ ଧାଇଁ ଆସିଥିଲା ?

 

ଆଖି ମେଲିବାକୁ ଚେଷ୍ଟା କଲା ରତନା । ସର୍ଜନଙ୍କ ମୁଖରେ ସରସତା ନାହିଁ । ‘ଷ୍ଟିଚ୍‍’ ସରି ବାଣ୍ଡେଜ୍‍ ହୋଇ ଆସିଲାଣି ।

 

ଡାକ୍ତରଙ୍କ ଆଦେଶରେ ବେହେରା ଦ୍ୱାର ଖୋଲିଦେଲା । ଝଡ଼ ବେଗରେ ଛୁଟି ଆସିଲା ପରେଶ । ରତନ ଆଖି ଖୋଲି ଚାହିଁଲା । ତା’ର ନିସ୍ତେଜ ଚାହାଣୀରେ ହସ ଫୁଟି ଉଠିଲା । ଶୀର୍ଣ୍ଣ କପାଳ ଉପରୁ ଝାଳବିନ୍ଦୁ କେଇଟି ପୋଛିଦେଲା ପରେଶ । ପାଖ ଘରୁ ଅନ୍ୟ ଗୋଟିଏ ପ୍ରସୂତିର ଛୁଆଟି କାନ୍ଦି ଉଠିଲା । ରତନାର ଯାହା କଛି ଦୁଃଖ, ସବୁ ଉଭେଇଗଲା । ପ୍ରେମର ଫଳ ଥୋଇ ସେ ବାଟ କାଟୁଛି । ପରେଶ ତାକୁ ଗାଳିଦେଇ ପାରିବ ନାହିଁ । ହାଡ଼ିଆଣୀ ରତନା ବଞ୍ଚି ରହିବ । ବର୍ଣ୍ଣସଙ୍କରର ନାଁ ପଛରେ ଫୁଟି ଉଠିବ ଏହି ବର୍ଣ୍ଣ ବିହୀନାର ଲାଞ୍ଛିତ ମାତୃତ୍ୱ । ଲାଞ୍ଛିତ ହେଲେ ବି’ ତାହା ଗୌରବାବହ, ବାପ-ମା’ର ସର୍ତ୍ତରେ ଗଢ଼ା । ସମାଜର କର୍ଣ୍ଣଧାର ଚନ୍ଦ୍ରସୂର୍ଯ୍ୟ ସାକ୍ଷୀ ଅଛନ୍ତି । ଜୀବନ-ବେଦିରେ ଏମିଳନର ମନ୍ତ୍ର ଅଳୀକ ନୁହେଁ ।

 

ସ୍ୱସ୍ତିରେ ନିଶ୍ୱାସ ନେଲା ରତନା । ଗଣ୍ଡଦେଶରେ ବୁଲି ଆସୁ ଆସୁ ପରେଶଟି ହାତଟି ତା’ର ଓଷ୍ଠ ସ୍ପର୍ଶ କଲା । ନଇଁ ଆସିଲା ଦୁଇଟି ପିପାସିତ ଓଷ୍ଠ । ପରେଶ ପ୍ରାଣ ଲାଭ କଲା । ତା’ର ନିର୍ଜୀବ ଧମନୀରେ ପୁଣି ରକ୍ତର ସୁଅ ଛଟି ଚାଲିଲା ।

 

ରତନା ଆଉ ଚେଇଁଲା ନାହିଁ । ତା’ର ନିଶ୍ଚଳ ଦେହଟା ବରଫ ପରି ଥଣ୍ଡା ହୋଇ ଆସିଲା । ଅଧୀର ହୋଇ ପରେଶ ଡାକିଲା—ରତି, ରତି...କୌଣସି ଶବ୍ଦ ନାହିଁ । ଡାକ୍ତରବାବୁ ଚାଲିଗଲେଣି । ଭୋ’ କରି କାନ୍ଦି ଉଠିଲା ପରେଶ ।

 

ହାଡ଼ିଆଣୀ ରତନା ସ୍ୱର୍ଗକୁ ଯାଇଛି । ତା’ର ବର୍ଣ୍ଣସଙ୍କର ଛୁଆଟା ହାତ ଗୋଡ଼ ହଲାଇ ଖେଳି ବୁଲୁଛି । ସ୍ୱର୍ଗରେ ଥାଇ ଡାକ ଦେଉଛି ରତନା । ଇସ୍‍ କି ବୀଭତ୍ସ ଏ ଚିତ୍ର ? ଛବିର ସର୍ବାଙ୍ଗ ଥରି ଉଠିଲା । କୋଳ କାଖର ଶିଶୁ ପରି ସେ ସିମି ବୁଢ଼ୀକୁ ଜାବୁଡ଼ି ଧରିଲା ।

 

ଛବିର ଭାବାନ୍ତର ବୁଝିପାରୁ ନ ଥିଲା ସିମି । ଭୂତ ପ୍ରେତର ଦୃଷ୍ଟି ଭାବି ଅସ୍ଥିର ହୋଇ ଉଠୁଥିଲା । ପିଲାଦିନେ ବଣ ବୁଦାକୁ ମହୁଲ ସାଉଁଟି ଯାଇ ଏମିତି କେତେଥର ସେ ଭୂତ ଗ୍ରାସରେ ପଡ଼ିଥିବ । ବଣ ପାହାଡ଼ର ଭୂତ ଗୁଡ଼ାକ ଜୋକ ପରି ରକ୍ତ ଶୋଷି ନିଅନ୍ତି । ଝରଣାରୁ ଚଳ ଚଳ ପାଣି ଆଣି ଯୋହନ ତାକୁ ଚେତା କରାଏ ।

 

ଛବିର କପାଳରେ ହାତ ବୁଲାଉ ବୁଲାଉ ଏମିତି କେତେ କଣ ଭାବି ଚାଲଥିଲା ସିମି । ଛବିର ଭୟ ଟିକେ କଟି ଆସିଲାଣି । ତଥାପି ମଲା ମଣିଷର ସେହି ଶୂନ୍ୟ କୁହାଟଟା ମନେ ପଡ଼ିଲେ ତା’ ଦେହ ଶୀତେଇ ଉଠୁଛି ।

 

ସିମି ବୁଢ଼ୀ ପଚାରିଲା—କଣ ହେଲା ମାଆ ?

 

କିଛି ହୋଇନି, ସରଳ ଭାବରେ ଉତ୍ତର ଦେଲା ଛବି । ଆଉ କଣ ବା’ ଉତ୍ତର ଦିଅନ୍ତା ସେ ? ସନ୍ତୁଷ୍ଟ ହେଲାପରି ମୁଣ୍ଡ ଟୁଙ୍ଗାରିଲା ସିମି । ଛବିର ଆଖି ଉଜ୍ଜଳ ହୋଇ ଉଠିଲା । ଓଲାମୀ ସିମିକୁ ଠକି ଦେଇଛି ବୋଲି ସେ ଆତ୍ମ ପ୍ରସାଦ ଅନୁଭବ କରୁଥିଲା ।

 

ବାତାୟନ ପଥରେ ଚେନା ଚେନା ଆକଶକୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଥିଲା ସିମି । ଏ ଦୃଷ୍ଟି ଓଲାମୀ ସିମିର ? ନିଜକୁ ନିଜେ ପ୍ରଶ୍ନ କରୁଥିଲା ଛବି । ସିମିବୁଢ଼ୀର ପ୍ରଭାହୀନ ଆଖି ଦୁଇଟି ଜଟିଳ ହୋଇ ଉଠିଛି । କପାଳର ରେଖା ଟାଣି ଟାଣି ହୋଇଯାଉଛି । ଏ ଆଖିରେ ଆଶା ବା ନୈରାଶ୍ୟ ନାହିଁ । ଦୁଇଟି ନିର୍ବିକାର ଆଖି । ବେଳେ ବେଳେ ଦପ୍‍ ଦପ୍‍ ହୋଇ ଜଳି ଉଠି ପୁଣି ଲିଭି ଆସୁଛି ।

 

ଏ ଦୃଷ୍ଟିର ଅର୍ଥ କ’ଣ ? ଛବି ବୁଝିପାରୁ ନଥିଲା । ତଥାପି ନିଜ ଦୁର୍ବଳତାରେ ନିଜେ ପୋଡ଼ି ହୋଇ ଯାଉଥିଲା ।

 

ସିମି ବୁଢ଼ୀ ପାଖରେ କିଛି ଅଛପା ରହିନି । ଲୁଚାଇବାକୁ ଚେଷ୍ଟା କରି ମଧ୍ୟ ସେ ଲୁଚାଇ ପାରିନି । ସିମିର ଅଭିଜ୍ଞ ଦୃଷ୍ଟିରେ ତା’ର କ୍ଷତ ବିକ୍ଷତ ମନର ଛାଇ ପଡ଼ିଛି । ଲୁଚାଇ ପାରିବନି ସେ । ଫୁଲ ଫୁଟିଲେ ବାସ ଚହଟିବ । ତାକୁ ଲୁଚାଇ ରଖିବାକୁ ଚେଷ୍ଟା କାହିଁକି ?

 

ବୋହୁ ଦେଖାବଢ଼ିଲା । ସଭିଙ୍ଗ ମୁହଁରେ କୀର୍ତ୍ତିର ପ୍ରଶଂସା । ମା’ ଖୁଡ଼ି ସନ୍ତୁଷ୍ଟ । କୀର୍ତ୍ତିକୁ ସେମାନେ କେତେ କ’ଣ ପ୍ରଶ୍ନ ପଚାରିଥିଲେ । ଜବାବ୍‍ ନ ଦେଇ ସେ ତୁନି ରହିଲା । ତା’ର ଏ ମୌନତା ବେଶ୍‍ ମନକୁ ପାଇଛି । ସବୁ କଥାରେ ତୁନି ରହିବା ହୁଏ ତ ବୁନିୟାଦିର ଲକ୍ଷଣ । ବାପ ମା’ ଶିଖାଇଥିବେ । ଭାଇ ଭାଉଜ କାନେ କାନେ ଫୁଙ୍କିଥିବେ । ଅତି ସତର୍କରେ ଶୁଆଶାରୀ ପରି ସେ ଗୁଣି ରଖିଥିବ । ଭୁଲିବାର ଚାରା କାହିଁ ? ଖସଡ଼ା ବାଟ, ଗୋଡ଼ ଚିପିଚିପି ଚାଲିବାକୁ ହେବ । ଆସ୍ତେ ଆସ୍ତେ ଖୁବ୍‍ ସତର୍କରେ । ସାମାଜିକତାର ଅଜଗର ଶୋଇଛି । ମୁଣ୍ଡରେ ଗୋଡ଼ ପଡ଼ିଲେ ରକ୍ଷା ନାହିଁ ।

 

‘‘ଛବିଟା ଟିକେ ହେରେସୀ । ଠାଣିମାଣି ନଥିଲା’’—ମା ଓ ଖୁଡ଼ି ମତ ଦେଉଥିଲେ । ସେ ନିର୍ବାକ୍‍ ଭାବରେ ଶୁଣିଥିଲା ଓ ମନ ଭିତରେ ହସି ଥିଲା ଯଥେଷ୍ଟ । ଯୁକ୍ତିବାଦୀ ମଣିଷର ଘଡ଼ି ଘଡ଼ି ବଦଳୁଥିବା ମତରେ ଯେ କେହି ହସିବାର କଥା । କୀର୍ତ୍ତିବା ଘରୁ ମା’ ଖୁଡ଼ି ଫେରିବା ପରେ ସେ ମୂକପରି ବସି ରହିଛି । ଭାବନାର କୂଳ କିନାରା ନାହିଁ ‘ବୀତୁ’ର କାନ୍ଦଣାଲହରୀ ବେଳେ ବେଳେ ତା’ର ଧ୍ୟାନ ଭାଙ୍ଗି ଦେଉଛି । ଏକୁଟିଆ ବସି ବସି ଅସ୍ୱସ୍ତି ଲାଗିଲାଣି । ନଈପଠାରୁ ଟିକେ ବୁଲି ଆସିବ ।

 

ନଈ ଆଡ଼କୁ ମୋହିଁ ଚାଲିଲା ଅନୁରାଗ । ବନ୍ଧ ଉପରେ ଗୋରୁ ଗାଈଙ୍କର ଖୋଜି ଲୁଚି ଆସୁଛି । ଅସ୍ପଷ୍ଟ ଗୋଧୂଳିରେ ତାହା ପୂରାପୂରି ଲିଭି ଆସିବ ।

 

ପାଣି ପାଖରେ ଡଙ୍ଗାଟିଏ ଓଲଟା ହୋଇ ପଡ଼ିଛି । ତଳର ଶିଉଳି ଗୁଡ଼ା ଖରା ପଡ଼ି ବସି ପଡ଼ିଲା । କିଛି ଦୂରରେ ବନିଶୀ ପକାଇ ମାଛ ଧରୁଛି ଝାରିଆ । ପାଦଠାରୁ ଭଣ୍ଡାଯାଏ ଗୋଟାପଣ ଶେତା । କଦଳୀ ଗର ପରି ବାହୁ ଦି’ଟାରେ ମାଂସପେଶୀ ପିଚିକି ଉଠୁଛି । କଳା କଳା ହାତ ଦିଓଟି ପାଣି ଭିତରେ ପ୍ରତିବିମ୍ୱିତ ହେଉଛି । ଏଇ ବଳିଷ୍ଠ ହାତ ଦୁଇଟିରେ କେତେ ମାଛ ଓ ମଗର ମାଙ୍କୁଚ ଝିଙ୍କି ଆଣିଚି ସେ ।

 

ଅନୁରାଗ ଡଙ୍ଗା ଉପରୁ ଉଠି ‘ଝାରିଆ’ ଆଡ଼କୁ ଅଗ୍ରସର ହେଲା । ନଈ ପାଣି ଅସ୍ପଷ୍ଟ ହୋଇ ଆସିଲାଣି । ଝାରିଆ ଘରକୁ ଫେରିଯିବ । ଆଜି ଜଳଦେବତାର ଦୟା ନାହିଁ ।

 

ଅନୁରାଗ ପଚାରିଲା, କି ଝରିଆ ? ହଁ’ ବାବୁ ! ବନିଶୀ ଥୋଇ ପାଖକୁ ଚାଲିଆସିଲା ସେ ।

 

କ’ଣ ଖାଲି ଖାଲି ?

 

ହଁ’ ବାବୁ, କିଛି ହେଲାନି ଆଜି । ଯୋଗ ଥିଲେ କାଲିକି । ବେପରଓ୍ୟା ହସି ହସି ଚାଲି ଯାଉଥିଲା ଝାରିଆ । ଅନୁରାଗ ପଛରୁ ଡାକିଲେ । ଲେଉଟି ପଡ଼ି ସେ ଜବାବ୍‍ ଦେଲା, କ’ଣ ବାବୁ-?

 

ରାତି ପାଇଁ ଘରେ ଭାତ ଅଛିତ ?

 

ନା’ ବାବୁ, ଉପାସରେ ଶୋଇ ପଡ଼ିବି । ଗୋଟାଏ ବୋଲି ପେଟକୁ ଏତେ ଚିନ୍ତା ? କାଲି ଦେବତା ପ୍ରସନ୍ନ ହେଲେ ଦି’ ଦିନର ଭାତ ଉଠାଇ ନେବି ।

 

ଝାରିଆ ଚାଲିଗଲା । ଅନ୍ଧାର ଭିତରେ ତାର କଳା ମିଚିମିଚି ଦେହଟା ଲୁଚି ଆସୁଥିଲା । ଅନୁରାଗ ତା’ର ଯିବା ପଥକୁ ଚାହିଁ ରହିଲା । କେଡ଼େ ସୁଖୀ ଏହି ଝାରିଆ ? ଭୋକ ଉପାସରେ ବି, ଗୀତ ଗାଇ ଗାଇ ମାଛ ଧରୁଛି । ଦିନଯାକ ପାଣି ପଙ୍କ ପହଁରି ଖାଲି ହାତରେ ଫେରି ଯାଉଛି । ତଥାପି ଚିନ୍ତା ନାହିଁ, ଦୁଃଖ ନାହିଁ । ଏକା ଏକା ଜୀବନ । ସଂସାର ଗଢ଼ିବାର ସମସ୍ୟା ନାହିଁ । ଜଳଦେବତାର ମର୍ଜି ଉପରେ ବଞ୍ଚି ପାରିଛି । କେଡ଼େ ସାଦା ସିଧା ମଣିଷଟି । ଜୀବନ କଣ ଜାଣେନି-। ତଥାପି ତାର ଅସୁଖ ନାହିଁ । ଜବନଟା ଆଦୌ ବିସ୍ୱାଦୁକର ନୁହେଁ । ଏ ନଈ, ବାଲି ଓ ତଣ୍ଡିବଣ ପରି ନିହାତି ପ୍ରାକୃତିକ । ଟଣା ଓଟରା ସମସ୍ୟା ଓ ତା’ର ସମାଧାନ ପାଇଁ ଚେଷ୍ଟା ନାହିଁ ତା’ର-। ‘ବାପ’ ଅଜାର ଜାଲ, ପୋଳୁଅ ଓ ବନିଶୀକୁ ସେ ଚିହ୍ନେ । ଜଳ ଦେବତାର ମନ ସେ କଳିଚି-। ନଈର ଖାଲ, ଢିପ ଓ ଗଣ୍ଡ ବାଲିଚର ତା ଜିଭ ଆଗରେ ଥୁଆ । ସେଇଠି ସେ ଖେଳେ । ବାଲି ପଙ୍କର ଚନ୍ଦନ ବୋଳି ହୋଇ ଘରକୁ ଫେରିଯାଏ । ନିଦକ ଭାବରେ ଶୋଇ ରହି ଘୁଙ୍ଗୁଡ଼ି ମାରେ-। ରାତି ପାହିଲେ ପୁଣି ସେଇ ନଦୀ ବେଉଷା । କେଉଟ ପିଲା ଝାରିଆ ଓ ନଈ ଏକା ମା’ ପେଟର ଭାଇଭଉଣୀ । କେହି କାହାକୁ ଛାଡ଼ି ପାରିବେ ନାହିଁ ।

 

ଝାରିଆ କଥା ଭାବି ଆନନ୍ଦିତ ହୋଉଛି ଅନୁରାଗ । ମନରେ ଡେଣା ଲାଗୁଛି । ପକ୍ଷୀ ଉଡ଼ିଯିବାକୁ ଚଞ୍ଚଳ ହେଲାଣି । ସେ ଉଡ଼ିଯିବ । ଆକାଶ ଆଉ ଦିଗ୍‍ବଳୟ ଯେଉଁଠି ସ୍ନେହରେ ଭିଡ଼ାଭିଡ଼ି ହୁଅନ୍ତି, ସେଇଠିକି । ଦୂରକୁ, ଅତି ଦୂରକୁ, ଯେଉଁ ନୀଳ ଆକାଶ ସୀମାରୁ ମଣିଷ ତିଆରି ସମାଜ ବା ବୁନିୟାଦିର ରତ୍ନମୀନାରୀ ସେ ଦେଖି ପାରିବନି । ଆକାଶରେ ନୀଳିମା ଆସ୍ତରଣ ଭିତରେ ସେ ପକ୍ଷୀ ଡେରିବ । କୁଳୀନତା ବା ଜାତିଆଣର ରନ୍ଧ୍ର ଭେଦି ଯିବ ସେ । ଆକାଶ ପକ୍ଷୀର ପରିଚୟ ହିଁ ଆକାଶ । କିଏ କେଉଁ ନୀଡ଼ରୁ ଆସିଛି ତା’ର ହିସାବ କେହି ରଖେନା । ଏହିପରି ଏକ ବେହିସାବୀ ଜୀବନ ଧରତ ଝାରିଆ ବଞ୍ଚିଛି । ସେ ବଞ୍ଚିବ, ବିଶାଳ ପୃଥ୍ୱୀ ଓ ନିର୍ମଳ ଆକାଶର ଆହ୍ୱାନ ସେ ଏଡ଼ି ପାରିବ ନାହିଁ ।

 

ଅନୁରାଗ ଚାଲିଛି । ଆକାଶ ଆଉ ଦିଗ୍‍ବଳୟର ମିଳନ କ୍ଷେତ୍ରକୁ । ଦିଗ୍‍ବଳୟ ଘୁଞ୍ଚି ଘୁଞ୍ଚି ଯାଉଛି । ମଝିରେ ମଝିରେ ଛାଡ଼ି ଯାଉଛି ବ୍ୟବଧାନ । ଏ ନିଷ୍ଠୁର ବ୍ୟବଧାନର ଶେଷ କେଉଁଠି-? ଭାବି ଭାବି ମୁଣ୍ଡ ତା’ର ଗରମ ହୋଇ ଉଠୁଥିଲା ।

 

ପଦ ଅବଶ ହୋଇ ଆସିଲାଣି । ତଥାପି ସେ ଆଗେଇ ଯିବ । ଅମଡ଼ା ମାଡ଼ି ଦିଗ୍‍ବଳୟର ସୀମା ଆବିଷ୍କାର କରିବି ।

 

ଅନେକ ଆଗେଇଛି । ପଛକୁ ଚାହିଁଲେ ଆଖି ପାଉନି । ଫେରିଯିବାକୁ ଅଭିଳାଷ ନାହିଁ । ଦିଗ୍‍ବଳୟଟା ଦୌଡ଼ି ଦୌଡ଼ ଚାଲିଛି । ତା’ର ଗତି ସଙ୍ଗେ ସଙ୍ଗେ ତାଳ ଦେଇ ଘୁଞ୍ଚି ଯାଇଛି ମାୟାର ଏ ଆସ୍ତରଣଟା । ସେ ଧାଇଁ ଧାଇଁ କ୍ଲାନ୍ତ ହେବ । ତଥାପି ଧରା ଦେବନି ମରୀଚିକାର ଏ ସ୍ୱର୍ଣ୍ଣକୁରଙ୍ଗ-। ଖାଲି ଧାଇଁବାର ଇଙ୍ଗିତ ଦେବ । ଆଖି ଆଗରେ ଫିଟି ଯିବ ବିଶାଳ ଧାରଣାର ବିଚିତ୍ର ରୂପ-

 

ବିଶ୍ୱର ସ୍ୱରୂପ ସେ ଦେଖି ପାରୁଛି । ସୀମାହୀନ ପୃଥିବୀ, ଅନନ୍ତ ଆକାଶ । ଏହା ଭିତରେ ଶତ ସହସ୍ର ପଲ୍ଲୀ ଆଉ ସହର । ଅନାଦି ଧରଣୀର ଇତିହାସରେ କେଡ଼େ ଟିକି ଟିକି ସେମାନେ । ସମସ୍ତେ ମିଶି ଯାଇଛନ୍ତି । ପୃଥ୍ୱୀର ମାନଚିତ୍ରରେ କେଡ଼େ ଅସ୍ଫଷ୍ଟ ଏଇ ବିନ୍ଦୁଗୁଡ଼ାକ । ପିମ୍ପୁଡ଼ି ପରି ଲେସି ହୋଇ ରହିଛନ୍ତି । ପୃଥ୍ୱୀର ଆଦି ମଣିଷ ଏଇ ଲେସଡ଼ା ଧାଇଟିକୁ ସ୍ୱୀକାର କରିପାରୁନି । ତା’ ଆଖିରେ ବିରାଟ ବିଶ୍ୱର ଦୃଶ୍ୟ । ଅଗଣନ ଗ୍ରହ ତାରକା, ଅସାନ୍ତ ଅନ୍ତରୀକ୍ଷ । ଭୂମାନନ୍ଦରେ ସେ ବିହ୍ୱଳ ହୋଇ ଗାଇ ଯାଉଛି, ସେ ଏ ବିଶ୍ୱର ଏବଂ ଏ ବିଶ୍ୱ ତା’ର— କି ମହାଭାବ ? ଅନୁରାଗର ବୁକୁ ପୁଲକି ଉଠିଲା, ନୂତନ ଆଲୋକରେ ଆଖି ଝଲସି ଗଲା । କଲେଜ ଜୀବନର ଦର୍ଶନ-ପଢ଼ା ଅନୁଭୂତିକୁ ଘଷି ମାଜି ସେ ନିଜର ମୁହଁ ଦେଖିଲା, ବେଶ୍ ଉଜ୍ୱଳ ଏ ମୁଖ । ଦୁଃଖ ବା ଶୋକର ଚିହ୍ନ ନାହିଁ । ପକ୍ଷୀ ପକ୍ଷ ଝାଡ଼ୁଛି । ଉଡ଼ିଯିବାର ଉପକ୍ରମ କରୁଛି । ଯିବା ଆସିବାର ଅବଶୋଷ ନାହିଁ । ପରମ ଶାନ୍ତିପଦ ଏ ଯାତ୍ରା ।

 

କ୍ଲାନ୍ତ ପଦ ଦୁଇଟି ତା’ର ଅଜଣାରେ ଅଟକି ଯାଇଛି । ସେ ବସିଛି କି ଚାଲିଛି ଜଣା ନାହିଁ-। ଶିଶିର-ଶୀତଳ ପଠାରେ ମୁଦି ହୋଇ ଆସିଛି ଆଖି ଯୋଡ଼ିକ । ଶୋଇପଡ଼ିଛି ଅନୁରାଗ-। ଅର୍ଦ୍ଧନିଦ୍ରା ଓ ଅର୍ଦ୍ଧଜାଗୃତି ଭିତରେ ଦିଗ୍‍ବଳୟଟା ତା’ କୋଳରେ ନଇଁ ଆସିଛି । ତା’ଭିତରେ ପେନ୍ଥି ପେନ୍ଥି ତାରା ଆଉ ଚାନ୍ଦର ମହୋତ୍ସବ । ବଉଦର ତରୀଟିରେ ଝୁଲି ଝୁଲି ସେ ଉପରକୁ ଉଠୁଛି-। ପୃଥିବୀର କେତେ ଉପରକୁ ଉଠିଲାଣି ସେ । ତଳେ ଦୁଇଟି ତାରା ତାକୁ ନିଷ୍ପଲକ ନେତ୍ରରେ ଚାହିଁ ରହିଛନ୍ତି । ତାରାର ମିନତି ଏଡ଼ି ସେ ସ୍ୱର୍ଗକୁ ଉଡ଼ି ଚାଲିଛି । ଆଉ ଫେରିବାର ପ୍ରଶ୍ନ ଉଠୁନି-। ମହାଶୂନ୍ୟକୁ ଉଡ଼ି ଚାଲିବ ସେ । ଧୂଳି ମାଟିର ତାରା ପାଇଁ ଆକାଶ ମଣିଷରେ ଶୋଚନା କାହିଁକି-?

 

ପ୍ରଚଣ୍ଡ ବେଗରେ ବଉଦର ତରୀ ଭାସୀ ଚାଲିଛି । ପାହାଡ଼ ପର୍ବତରେ ଧକ୍‍କା ଖାଇ ତା’ର ଗତି ବଦଲିଗଲା । ଭଉଁରୀ କାଟି ଘୂରି ବୁଲିଲା ତା’ର ଶୂନ୍ୟତରୀଟି । ତାପରେ ଭାଙ୍ଗି ଭାଙ୍ଗି ବିଖଣ୍ଡ ହୋଇଗଲା । ଆକାଶରୁ ଖସି ପଡ଼ିଲା ଘନୀଭୂତ ବରଫ, ଆଉ ବର୍ଷା । ମୂଷଳ ଧାରାରେ ସେ ଭାସି ଆସୁଛି । ଦୂରରେ ଶାଶ୍ୱତର ଆହ୍ୱାନ । ସମୁଦ୍ର ଲହଡ଼ି ଭାଙ୍ଗୁଚି । ତଥାପି ସେ ଯାଇପାରୁନି । ପଥରେ ଦୁଇଟି ମତ୍ସ୍ୟକନ୍ୟା ଲାଞ୍ଜ ଡେରି ତା’ର ପଥରୋଧ କରୁଛନ୍ତି । ସେ କ୍ଷଣକାଳ ପାଇଁ ଅଟକି ଯାଉଛି ।

 

ଚେଇଁ ଉଠିଲା ଅନୁରାଗ । ତନ୍ଦ୍ରାବିହ୍ୱଳ ଚକ୍ଷୁରେ ସେ ବୋଧହୁଏ ଅନ୍ୱେଷଣ କରୁଥିଲା, କିଏ ଏହି ମତ୍ସ୍ୟକନ୍ୟା ? ଚୌଦିଗର ନୀରବତା ତାକୁ ପରିହାସ କଲା । ଦେହ ହାତରେ ବେଦନା ଅନୁଭବ କରି ସେ ପୁଣି ଶୋଇ ଆସିବାକୁ ଆରମ୍ଭ କଲା । ଘରଠାରୁ କେତେ ଦୂରରେ ପ୍ରଶ୍ନ କରିବାର ଅବକାଶ ନ ଥିଲା ତା’ର ?

 

ସିମିବୁଢ଼ୀ ଦିନକୁ ଦିନ ଅବୋଧ୍ୟ ହୋଇଉଠେ । ଏବେ ଛବି ପାଖକୁ ସେତେ ଯା’ଆସ କରେ ନାହିଁ । ଦିନରାତି କୁଡ଼ିଆ ଦ୍ୱାରରେ ବସି ବାହାରକୁ ଅନାଇ ରହେ । ଦୃଷ୍ଟି ନିଷ୍ପ୍ରଭ ଓ ଗମ୍ଭୀର । ବେଳେ କପାଳରେ ରେଖା କେଇଟି ଫୁଟି ଉଠେ । ଦୀର୍ଘ ନିଃଶ୍ୱାସଟି ପକାଇ ବିଛଣା ଉପରେ ଗଡ଼ି ପଡ଼େ । ଖାଏ କି ନଖାଏ; କେହି ବୁଝେନା । ଶୁଖିଲା ଆଖିରୁ ବୁନ୍ଦା ଦି’ ବୁନ୍ଦା ଜଳ ବିଛଣା ଉପରେ ନିଗିଡ଼ି ଯାଏ । ଖାଲିପେଟଟା ଭାରୀ ଭାରୀ ଲାଗେ ପେଟ ଭିତରୁ ଯୋହନର ଛୁଆଟା ହାତ ଗୋଡ଼ ହଲାଇ ଖେଳି ବୁଲେ ।

 

ମନଟା ଉଶ୍ୱାସ ହୁଏନା । ଘଡ଼ଘଡ଼ି ଧରି କାନ୍ଦିବାକୁ ଇଚ୍ଛା ହୁଏ । ଆଗରେ ଛିଡ଼ା ହୁଏ ଅତୀତ । ବର୍ତ୍ତମାନଟା ହୁଏତ ନାମ ହୀନ । ଭବିଷ୍ୟତ୍‍ ବି ଝାପ୍‍ସା । ତଥାପି ତା’ଗର୍ଭରେ କମ୍‍ ଆଶା ନାହିଁ । ସେଇ ଆଶାର ମୋହିନୀ ଶକ୍ତି ତାଙ୍କୁ ବଞ୍ଚାଇ ରଖିଛି । ମଦ ପିଇ ସାରି ଖାଲି ଘଡ଼ାଟାକୁ ଯୋହନ ଗୋଡ଼ରେ ଠେଲି ଦେଇଛି । ଦାନିଏଲ ଦୂରେଇ ଯାଇଛି । ଖାଲି ହାତରେ ବାହୁଡ଼ି ଆସିଛି ସେ । ଆଖିରୁ ଲୁହ ଟୋପିଏ ମଧ୍ୟ ଖସିନି । ତଥାପି ଯୋହନର ପ୍ରେମକୁ ସେ ମିଛ ବୋଲି ସ୍ୱୀକାର କରିନି । ତା’ର ସ୍ନେହ ସରାଗ ମନେ ପଡ଼ିଲେ ସିଠୁଆ ମନଟା ପୁଣି ନରମି ଆସେ-। ସେ ଭାବେ ଯୋହନ ମରିନି, ତା’ର ଛାତି ତଳେ ବଞ୍ଚି ରହିଛି ।

 

ଯୋହନ ପାଇଁ କେବେ କାନ୍ଦେନି ସେ । ଏତେ ଦୁଃଖରେ ନ କାନ୍ଦି ଥିବାର ପ୍ରାୟଶ୍ଚିତ କରେ । ଛବିର ଅନିଶ୍ଚିତ ଭବିଷ୍ୟତ ତା’ ଆଖି ଆଗରେ ନାଚିଯାଏ । ତା’ର ବିତୃଷ୍ଣ ମନର ଗଳି କନ୍ଦି ସେ ଖୋଜି ବୁଲେ । ନିଜ ମନର ଅଇନା ଉପରେ ଛବିର କଟା ମନଟାକୁ ସେ ତନ ତନ କରି ପରୀକ୍ଷା କରେ । ପ୍ରତ୍ୟେକ ଖଣ୍ଡରେ ସେଇ ଜଟିଳତାର ମୁଦ୍ରାଙ୍କ । କି ସମାଧାନ କରିବ ସେ ?

 

ଛବିକୁ ପଚାରିବ, ତା’ମନରେ ସେହି ଦାରୁଣ ଛାଇକୁ ଧରିବାକୁ ଚେଷ୍ଟା କରିବ । ଯୋହନ ପରି ସେ ଖୁସି ଯାଇ ପାରିବ ନାହିଁ । ଛବିର ହାତରେ ହାତ ମିଳାଇ ଚାଲିବ । ଏକ ଛବି ଅନେକରେ ପରିଣତ ହେବ । ରକ୍ତ ମାଂସରେ ଫୁଟି ଉଠିବ ତା’ର ଜୀଇଳା ଛାଇ । ସିମି ବୁଢ଼ୀ ମରିବ ନାହିଁ । ନିର୍ମୂଳୀ ଲତା ପରି ସେ ବଞ୍ଚି ରହିବ । ହସି ହସି ସେ ଚାହିଁ ରହିବ ତା’ର ମୂଳ ଗଛକୁ-

 

ଭାବି ଚାଲିଥିଲା ସିମି, ସତେ ଯେପରି ତା’ର ଭାବନାର ଅନ୍ତ ନାହିଁ । ହଠାତ୍‍ ତା’ର ଚିନ୍ତାରେ ବାଧା ଦେଇ ପଶି ଆସିଲା ଛବି । ଏତେ ଦିନ ପରେ ସଙ୍ଖୋଳିବାକୁ ଆସିଛି । ସେଦିନ ତା’ର ଅନ୍ୟମନସ୍କତାରେ ବୁଢ଼ୀ ରାଗି ଥାଇପାରେ । ତେଣୁ ସେ ରାଗ ଶାନ୍ତି କରିବାକୁ ଧାଇଁ ଆସିଛି-। ରାଗିବାର ଚିହ୍ନ ବର୍ଣ୍ଣ ନାହିଁ । ତାକୁ ଦେଖିବା ମାତ୍ରେ ପାଛୋଟି ନେଲା ସିମି । ଅନାଦର କରିବାର ପ୍ରଶ୍ନ ଉଠୁନି ।

 

ସିମି ବୁଢ଼ୀ ତାକୁ କ୍ଷମା ଦେଇଛି । ତା’ଉପରେ ସେ ରାଗି ପାରେ ନା । ତା’ ଠାରୁ ଗାଳି ଗୁଲଜ୍‍ ଶୁଣିଲେ ଗର୍ବରେ ତାର ଛାତି କୁଣ୍ଢେ ମୋଟ ହୋଇଯାଏ । ଯୁବତୀ ଛବି ବୁଝି ପାରେନା ତାର ଏହି ନିରଭିମାନ ସ୍ନେହର ଅର୍ଥ । ସିମି ବୁଢ଼ୀ ଚିରଦିନ ଅଜ୍ଞେୟ ହୋଇ ରହେ ।

 

ଆଖି ଧାରରେ ଅବସାଦର ଚିହ୍ନ ହୋଇ ଉଠିଛି । ଭାସିଲା ଭାସିଲା ପତା ଦୁଇଟି ଦୁର୍ବଳ-। ମେଞ୍ଚା ମେଞ୍ଚା କାଳିତଳେ ବୁଡ଼ି ରହିଛି ଛବିର ତାରୁଣ୍ୟ ବୋଳା ଆଖି ଦୁଇଟି । କେଡ଼େ ଶିରୀହୀନ ଦିଶୁଛି । ବୋଧ ହୁଏ ରାତିସାରା ଶୋଇ ପାରିନି ସେ ।

 

ସିମି ବୁଢ଼ୀ ଅପଲକ ନେତ୍ରରେ ଅନାଇ ରହିଛି, ତା’ର ଦୃଷ୍ଟିଭଙ୍ଗି କ୍ରମେ କ୍ରମେ ଜଟିଳ ହୋଇ ଉଠୁଛି । ଛବି ନ ଆସିଥିଲେ ହୁଏତ ଭଲ ହୋଇଥାନ୍ତା ।

 

ସିମିର ଓଠ ଥରି ଉଠିଲା । କ’ଣ କହିବ ସେ, ଏତେ ଦିନର ସିଦ୍ଧାନ୍ତ ଏକାଥରେ ପ୍ରକାଶ କରିଦେବ । ଆଉ ଯନ୍ତ୍ରଣାରେ ଡହଳ ବିକଳ ହୋଇ ପାରିବ ନାହିଁ ।

 

ସିମି ବୁଢ଼ୀ ପାଟି ଖୋଲିଲା । ତଥାପି କିଛି କହିପାରୁ ନ ଥିଲା । କିରସ୍ତାନୀ ସିମି ବୁଢ଼ୀର ପୁଣି ଲାଜ ? ପଦୁଟିଏ ପଚାରି ପାରିବନି ସେ ?

 

ସାହସ ସଞ୍ଚୟ କଲା । ପୁଣି ଥରେ ଡାକି ଉଠିଲା, ମାଆ.. ସେଇ ପରିଚିତ ପଦଟି । ଆଉ ବେଶୀ କିଛି କହିବା ପାଇଁ ତୁଣ୍ଡ ଖୋଲିଲାନି । ଏଇ ପଦଟି ଛବି କେତେଥର ଶୁଣିଛି । ତେଣୁ ସେ ବିସ୍ମିତ ହେଲାନାହିଁ ।

 

ସିମି ବୁଢ଼ୀକୁ ବଲ ବଲ କରି ଚାହିଁ ରହିଥିଲା । ତାର ଦୃଷ୍ଟି ଭିତରୁ କେତେ କ’ଣ କଥା ବାହାରି ନ ପାରି ହୃଦ ଭିତରେ ମଥା ପିଟି ହେଉଥାଏ । ଅପ୍ରକାଶର ଆନ୍ଦୋଳନରେ ସିମି ବୁଢ଼ୀର ପଞ୍ଜରା ଦୋହଲି ଉଠିଲା । ଫିଟାଇ ଦେଲେ ଶାନ୍ତି ପାଇବ ।

 

ନୂତନ ସାହସ ନେଇ ସିମି ବୁଢ଼ୀ ଆରମ୍ଭ କଲା—କଥାଟିଏ କହିବି, କିଛି ଭାବିବୁନି ମା’-?

 

ଛବି ଏଥର ଖିଲି ଖିଲି ହୋଇ ହସି ଉଠିଲା । ମା’ ସମାନ ସିମି ବୁଢ଼ୀର ଏ ଅନୁରୋଧ ନିହାତି ମାମୁଲି ପରି ବୋଧ ହେଲା । ସର୍ବହରା ଜୀବନରେ ତା’ସହିତ ସାକ୍ଷାତ ହେବାପରେ ଅନେକ କଥା କହିଛି ସେ, ଅନେକ କଥା ଶୁଣିଛି ମଧ୍ୟ । ଆଜି ପୁଣି କେଉଁ ନୂଆକଥା ପାଇଁ ତାର ଏ ଅନୁଯୋଗ ?

 

କେତେଦିନ ଏମିତି ଏକୁଟିଆ ରହିବୁ ? ବାହା ସାହାଟିଏ କର—ଏକ ନିଶ୍ୱାସରେ ଏତକ କହି ଦେଇ ସିମି ଟିକିଏ ଆଶ୍ୱସ୍ତା ହେଲା । ଲାଜ ସରମର ଯେଉଁ ସରଗଟା ମୁଣ୍ଡ ଉପରେ ଖସି ପଡ଼ିବ ବୋଲି ସେ ଆଶଙ୍କା କରୁଥିଲା, ତାହା ଖସିଲା ନାହିଁ ।

 

ଛବିର ମୁଖମଣ୍ଡଳରେ ପରିବର୍ତ୍ତନର ମୁଦ୍ରା ଫୁଟିଲା ନାହିଁ । ଫିକା ଦୃଷ୍ଟିଟା ଟିକେ ଜଳି ଉଡିଧପ୍‍ କରି ଲିଭିଗଲା । ସିମି ବୁଢ଼ୀର ମତକୁ ସେ ସାବ୍ୟସ୍ତ କରୁଥିଲା । ସେ ଠିକ୍‍ କହୁଛି । ବିନ୍ଦୁ ବିସର୍ଗତ ଭୁଲ ନାହିଁ । କନିଆଁ ଛବି ବାହାହେବ । ଚୌଧୁରୀ ପୁଅ ବର ହୋଇ ଆସିବେ । ବାଣ ରୋଷଣିରେ ଗାଁ ଦାଣ୍ଡ କମ୍ପି ଉଠିବ । ସମସ୍ତେ କହିବେ ଛବିର ବର ଆସୁଛି, କେତେ ସୌଭାଗ୍ୟର କଥା ? ଏଥିପାଇଁ ପ୍ରସ୍ତୁତ ହେବନି ସେ ?

 

ଉତ୍ତର ନ ପାଇ ବ୍ୟସ୍ତ ହୋଇ ଉଠୁଥିଲା ସିମି । ଆଉ କିଛି ପଚାରିବାରୁ ତା’ତୁଣ୍ଡରେ ବଳ ନ ଥିଲା । ଧୂଳିଆ ମେଘ ପରି ତାନେ ଛେଚି ଦେଇ ସେ, ଥଣ୍ଡା ପଡ଼ିଯାଇଛି । ଆଉ ବର୍ଷିବାକୁ ମନ ନାହିଁ ତା’ର !!

 

ହଁ ବାହା ହେବି ଯେ, ବରତ ପୁଣି ଲୋଡା ? ସହଜ ଗଳାରେ ଉତ୍ତର ଦେଲା ଛବି ।

 

ସିମି ବୁଢ଼ୀ ବୁଝି ପାରିଲା ନାହିଁ । ଛବି ତାକୁ ପରିହାସ କରୁଛି ଭାବି ମୁହଁଟା ତା’ର ପାଉଁଶିଆ ପଡ଼ି ଆସିଲା ।

 

ସିମି ଲଜ୍ଜିତ ହୋଇଛି । ତା’ର ବୁକୁ ଭିତରକୁ ସେ ଦେଖି ପାରିନି । ବାଳିକା ଛବିର ଛାତିତଳେ ଝଡ଼ର ଯେଉଁ ନାଗରେ ବାଜିଛି, ସେ ତା’ର ସନ୍ଧାନ ପାଇଥିଲେ ହୁଏତ ବିସ୍ମିତ ହୋଇ ଥାଆନ୍ତା ।

 

ସବୁ ଭୁଲି ଯିବାକୁ ଚେଷ୍ଟା କଲା ଛବି । ଗେହ୍ଲେଇ ହେଲା ପରି ପିଲାଳିଆ ସ୍ୱରରେ ପଚାରିଲା–ରାଗିଲୁକି ? ଆଚ୍ଛା କହନି ଭଲା, ଏ ଧାଈଟାକୁ ବୋହୁ କରିନେବ କିଏ । ପିତୃପୁରୁଷ ତାଙ୍କର ନର୍କରେ ପଡ଼ିବେନି ?

 

ସ୍ୱାଭାବିକ ଭାବରେ କହି ଚାଲିଥିଲା ସେ । ତଥାପି ମଝିରେ ମଝିରେ ସ୍ୱର ଭାଙ୍ଗି ଆସିଲା । ସେ ଫୁଲି ଫୁଲି କାନ୍ଦି ଉଠିଲା ।

 

ସିମି ବୁଢ଼ୀ ଅଧୀର ହୋଇ ଉଠିଲା । ଛବିର ଲୁହ ପୋଛି ସେ ତାକୁ ଛାତି ଉପରକୁ ଭିଡ଼ି ଆଣିଲା । ଛି’ ସୁନାଟା ପରା, ଏଇ କଥାରେ କାନ୍ଦନ୍ତିନା ? ମା’ ପରି ବୋଧ ଦେଲା ସେ ।

 

ଛବି ବୋଧ ହେଇ ଉତ୍ତରଦେଲା; ନା, କାନ୍ଦିବି କାହିଁକି ? ସଂସାରର ବାପ ମା’ ଝିଅ ପୁଅର ବିବାହ କଥା ପକାଇ ଥାଆନ୍ତି ।

 

ଯା’ର ବାପ ମାଆ ନାହିଁ, ତା ପାଇଁତ.... । ଧାର ଧାର ଅଶ୍ରୁ ବହିଚାଲିଥିଲା । ଲୁହ ପୋଛୁ ପୋଛୁ ସିମିର ଆଖି ଦୁଇଟି ଓଦା ହୋଇ ଆସିଲା ।

 

କିଛି କ୍ଷଣ ପାଇଁ ସବୁ ନୀରବ ହୋଇ ଉଠିଲା । ଦୁଇଟି ପ୍ରଶ୍ନବାଚକ ଦୃଷ୍ଟି ପରସ୍ପରକୁ ଚାହିଁ ରହି ଥାଆନ୍ତି ।

 

ଯିବାକୁ ଠିଆହେଲା ଛବି । ଡିଉଟି ପାଇଁ ପ୍ରସ୍ତୁତ ହେବ । ମନଭରି କାନ୍ଦିବାକୁ ସୁଯୋଗ କାହିଁ ତା’ର ?

 

ଛବି ଆଗେଇ ଚାଲିଲା । କିଛି ଦୂର ପର୍ଯ୍ୟନ୍ତ ପାଛୋଟି ଗଲା ସିମି । ଛବି ଚାଲିଯିବାପରେ କେତେବେଳେ ଧରି ଅନାଇ ରହିଲା । ସେ ଅଦୃଶ୍ୟ ହେବାପରେ ଲେଉଟି ଆସି ବିଛଣା ଉପରେ ପଡ଼ି ରହିଲା ।

 

ଚକ୍ଷୁରେ ତାର ଅନୁତାପ । ସମସ୍ତ ଦୁର୍ଘଟଣା ପାଇଁ ନିଜକୁ ନିଜେ ଦାୟି କରତ ସେ ଯନ୍ତ୍ରଣାରେ ଅସ୍ଥିର ହୋଇ ଉଠିଲା ।

 

ଡାକ୍ତର କିରଣକିଙ୍କର ରାୟ, ପୌଢ଼ ଜୀବନର ପହିଲି ପାହାଚରେ ଜନ୍ମୋତ୍ସବ ପାଳନ କରୁଛନ୍ତି । ସମସ୍ତଙ୍କ ସଙ୍ଗେ ସେ ମଧ୍ୟ ନିମନ୍ତ୍ରିତ ହୋଇ ଆସିଛି । ଉତ୍ସବର ତାଳେ ତାଳେ ନାଚି ଚାଲିଛି । ବେଳେ ବେଳେ ତାନ ଲୟଟା ଠିକ୍‍ ରହୁ ନାହିଁ । ଜୀବନର ଧ୍ରୁପଦଟା କିମିତି ଅଡ଼ୁଆ ଅଡ଼ୁଆ ହୋଇ ଉଠୁଛି ।

 

ଉତ୍ସବର ଭିଡ଼ ଟିକେ କମି ଆସିଲାଣି । ଡାକ୍ତରଙ୍କର ଡ୍ରଇଁ ରୁମରେ ବସିଛି ସେ । ପାଖରେ ଡାକ୍ତରଙ୍କ ଭିନ୍ନ ଆଉ କେହି ନାହାନ୍ତି । ଘରଟିର ଚାରିପଟେ ଆଖି ବୁଲାଇ ଆଣୁ ଆଣୁ ଟେବୁଲ୍‍ ଉପରର ଗ୍ରୀସୀୟ ନାରୀ ମୂର୍ତ୍ତିଟି ଦୃଷ୍ଟି ଆକର୍ଷଣ କଲା । ଘୃଣାରେ ଦୃଷ୍ଟିରେଖା ସଂକୁଚିତ ହୋଇ ଆସିଲା । ଶିଷ୍ଟତା ଅନୁରୋଧରେ ମନୋଭାବ ପ୍ରକାଶ କରିପାରିଲା ନାହିଁ ।

 

ବଡ଼ ସାହେବ ବାରମ୍ୱାର ସେହି ଉଲଗ୍ନ ନାରୀ ମୂର୍ତ୍ତୀଟି ଉପରେ ଆଗ୍ରହ ସହକାରେ ଦୃଷ୍ଟି ନିକ୍ଷେପ କରୁଥିଲେ । ହଠାତ୍‍ ଛବିର ମନୋଭାବ ଲକ୍ଷ୍ୟ କରି ସେ ହସି ଉଠିଲେ । ଲାଜରେ ରଙ୍ଗା ପଡ଼ି ଆସିଲା ଛବି । ଘରଛାଡ଼ି ଉଠି ଯିବାକୁ ଉଦ୍ୟତ ହେଉଥିଲା । ପ୍ରଶ୍ନର ଆଳ କରି କିରଣ ବାବୁ ତାକୁ ଅଟକାଇ ରଖିଲେ ।

 

ମୂର୍ତ୍ତିଟି କିପରି ହୋଇଛି ଛବି ? ଏହାପାଇଁ ମୋତେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । କଲିକତାର ଜଣେ ବଂଧୁ ମୋ ପାଇଁ ଏହା ଯୋଗାଡ଼ କରି ଦେଇଥିଲେ ।

 

ଭଲ ହୋଇଛି । ଅନ୍ୟ ମନସ୍କ ଭାବରେ ଉତ୍ତର ଦେଲା ଛବି । ଏହା ବ୍ୟତୀତ ଆଉ କ’ଣ ଉତ୍ତର ଥାଇପାରେ ଏ ପ୍ରଶ୍ନର ?

 

ଛବିର ପ୍ରଶଂସାରେ ସେ ଉତ୍ସାହିତ ହୋଇଥିଲେ । ଅସ୍ୱାଭାବିକ ଦୃଷ୍ଟି ହାଣି ତା’ର ମୁଖମଣ୍ଡଳକୁ ଚାହିଁ ରହିଥିଲେ । ଏ ଦୃଷ୍ଟିର ଅର୍ଥ କ’ଣ, ସେ ବୁଝୁଥିଲା । ତଥାପି ଚାଲିଯିବାକୁ ଶକ୍ତି ନ ଥିଲା ତା’ର । କାଠର ଛବି ଭଳି ଜଡ଼ ହୋଇ ଆସିଥିଲା । ଡାକ୍ତର ବାବୁଙ୍କ ହାତରେ ତା’ର ହାତ ଦୁଇଟି ଜଡ଼ି ଯାଇଥିଲା । ତାହାର ନରମ ପାପୁଲି ଉପରେ ଡାକ୍ତରବାବୁ ଧୀରେ ଧୀରେ କର ସଞ୍ଚାଳନ କରୁଥିଲେ । ଭୟରେ ତା’ର ସର୍ବାଙ୍ଗ ଥରି ଉଠିଲା । ତଥାପି ପ୍ରତିବାଦ କରି ପାରିଲା ନାହିଁ-। ମୋହିତ ହେଲା ପରି ବସି ରହିଲା ।

 

ଦ୍ୱାର ଦେଶରେ ପାତଳ ପରଦାରେ ମେଞ୍ଚା ମେଞ୍ଚା ଛାଇ ଓ ଆଲୁଅ ଫୁଟି ଉଠୁଥାଏ । ସାଙ୍ଗର ଧାଈମାନେ କଣ ଭାବୁଥିବେ ? ଯାବାକୁ ଉଦ୍ୟତ ହେଲା ଛବି ।

 

ଡାକ୍ତରବାବୁଙ୍କ ଦୃଷ୍ଟିଟା କ୍ରମେ ଭୟଙ୍କର ହୋଇ ଉଠୁଛି । ତାଙ୍କର ଘନ ଘନ ନିଃଶ୍ୱାସରେ ସେ ଜଳି ପୋଡ଼ି ଯାଉଛି । ଅସ୍ଥିର ଚକ୍ଷୁ ପିତୁଳା ଦୁଇଟି କ୍ଷୁଦ୍ର ହୋଇ ଆସିଲାଣି । ସେ ପ୍ରଖର ଦୃଷ୍ଟି ନିକଟରେ ଆତ୍ମସମର୍ପଣ କରିବାକୁ ଭୟ ଲାଗୁଛି ।

 

ବାହାରୁ ହସର ଲହଡ଼ୀ ଖେଳିଗଲା । ମୃତ୍ୟୁ ଦେବତାର ପରିହାସ ନୁହେଁ ତ ? ସମସ୍ତ ଶକ୍ତି ସଞ୍ଚୟ କରି ବାହାରି ଯିବାକୁ ଚେଷ୍ଟା କଲା ଛବି । ଅବଶ ପଦ ଦୁଇଟିକୁ ଟାଣି ଟାଣି ଆଗେଇ ଗଲା । ଡାକ୍ତରବାବୁ ତା’ର ଅନୁସରଣ କରିପାରିଲେ ନାହିଁ । ଆହତ ପୌରୁଷ ତାଙ୍କର ଶିରେ ପ୍ରଶିରା ଦଂଶି ଚାଲିଥାଏ ।

 

କେତେବେଳେ ପରେ ସମସ୍ତେ ବିଦାୟ ନେଲେ । ଛବି କେତେବେଳେ ଗଲା କେହି ଜାଣିଲେ ନାହିଁ । ଡାକ୍ତରବାବୁଙ୍କଠାରୁ ବିଦାୟ ନେବାକୁ ସେ ଆସି ନାହିଁ । ଆସିବା ମଧ୍ୟ ଦରକାର ନ ଥିଲା । କେଉଁ ମୁହଁ ନେଇ ଆସି ଥାଆନ୍ତା ?

 

କିରଣବାବୁ ଆତ୍ମସ୍ଥ ହେଲେ । ଭିତରର ପଶୁଟା ଛାଲ ଘୋଡ଼ାଇ ବିଶ୍ରାମ ନେଉଥାଏ । ତଥାପି ନିଦ୍ରା ଆସିଲା ନାହିଁ । ମଣିଷ ଦରବାରରେ ପଶୁର ବିଚାର ଚାଲିଥିଲା । ଗୁହାରି କରୁଥିଲା ଲୁଣ୍ଠିତା ଛବି । ଆଖି ଦୁଇଟି ଲୁହରେ ଭାସି ଉଠୁଥିଲା ।

 

ଏଇ ଲୁହରେ ସେହିନେ ମଣିଷଠାରୁ ସହାନୁଭୂତି ଚାହିଁଥିଲା । ଅତୀତର କାହାଣୀ ଶୁଣାଇ ଦୟା ଭିକ୍ଷା କରିଥିଲା । ସେ ବୋଧହୁଏ ଭୁଲି ଯାଇଥିଲା କିରଣକିଙ୍କର ପୁରୁଷ । ଅସହାୟା ନାରୀକୁ ରକ୍ଷା କରିବା ପାଇଁ ପୌରୁଷର କାଚ ଢାଙ୍କୁଣିଟା ଅତି ଦୁର୍ବଳ । ନୀତି ବା ଆଦର୍ଶର ଦ୍ୱାହି ସୁଧୁ ଗୋଟେ ଧପାବାଜି ଆଉ ନିରାଟ ମନଗଢ଼ା । ସତ କେବଳ ଭିତରର ଏଇ ଉଦ୍ଦାମ ପଶୁଟା । ଏହି ପୁଶୁତ୍ୱହିଁ ମଣିଷ । ଏଇ ନଗ୍ନ ଅନୁର୍ବର ମଣିଷଟାହିଁ ପ୍ରକୃତିକ । ଆଉ ସବୁ ଫାଙ୍କିବାଜ୍‍ ଓ ଛଳନା । ଦୁର୍ବଳତା ଉଣ୍ଡି ଗଢ଼ି ଉଠିଥାଏ ।

 

ଛବି ସିନା ବୁଝି ନ ଥିଲା, ସେ’ତ ବୁଝିଥିଲେ । ଜାଣି ଜାଣି କାହିଁକି ଏ ଛଳନାର ଆଶ୍ରୟ ନେଲେ ? ନିଜର ମାନସିକ ବ୍ୟବଚ୍ଛେଦ କରିଥିଲେ ସେ ହୁଏତ ନିଜକୁ ଭଲ ଭାବେ ଚିହ୍ନି ପାରି ଥାଆନ୍ତେ । ଛବି ଆଉ ତାଙ୍କ ଭିତରେ ବ୍ୟବଧାନର ରେଖା ସ୍ପଷ୍ଟ ହୋଇ ଉଠିଥା’ନ୍ତା । ଶୀତଳ ଆଲୋକ ଧାରା ବୋଲି ଯାହାକୁ ତୋଳି ଧରିବାକୁ ସେ ବ୍ୟଗ୍ର ହୋଇ ଉଠିଲେ, ସେଥିରେ ଉତ୍ତାପ ବି’ ଯଥେଷ୍ଟ ।

 

ମାଛ କାତିପରି ତା କେବଳ ଜ୍ୟୋସ୍ନାଲୋକରେ ଝଟ ଝଟ ଦିଶେନା, ଲୋକକୁ ପୋଡ଼ିଦିଏ ମଧ୍ୟ । ଏ ପତଙ୍ଗର ଧର୍ମରେ ସେ କାହିଁକି ପାଗଳ ହେଲେ ?

 

କିଛି ଛତ୍ତର ପାଇଲେ ନାହିଁ । ସଭ୍ୟ ଶିକ୍ଷିତ କିରଣକିଙ୍କର ପରାସ୍ତ ହେଲେ । ଭିତରକୁ ପଶୁ ତା’ର ମନମାଫି ସିଦ୍ଧାନ୍ତ ନେଲା । ଦିବାଲୋକରେ ମଣିଷ ଓ ପଶୁର ସମବାୟ ଏହାକୁ ମାନିନେବ । ପ୍ରେମର ଫିସାଦି କାଢ଼ି ହାଟ ବାଟରେ ବିକି ଚାଲିବ । ଗ୍ରାହକ କିରଣବାବୁ କାବ୍ୟ କବିତାର ଦେବତା ବନିବେ । ଛବିର ପୂଜାଫୁଲ ତାଙ୍କର ପାଦତଳେ ଖସି ପଡ଼ିବ ।

 

କି ଏକ ଖିଆଲରେ ଉତ୍‍ଫୁଲ୍ଲ ହୋଇ ଉଠିଲେ କିରଣ । ନୈରାଶ୍ୟ ଭିତରେ ଆଶାର ସୂର୍ଯ୍ୟ ହସିଗଲା । ବ୍ୟର୍ଥତା ମଧ୍ୟରେ ସାର୍ଥକତାର ସନ୍ଧାନ ପାଇ ସେ ଆତ୍ମବିଭୋର ହୋଇ ପଡ଼ିଲେ-

 

ଛବି ପାଖରେ ଥିଲେ ସେ ତାକୁ ଏକଥା ବୁଝାଇ ଦିଅନ୍ତେ । ଘଡ଼ିକ ତଳର ଭୁଲକୁ ଠିକ୍‍ର ରୂପ ଦିଅନ୍ତେ । ଦୁର୍ବଳତାର ଏଇ ପ୍ରାୟଶ୍ଚିତ୍ତରେ ଛବି ସନ୍ତୁଷ୍ଟ ହୁଅନ୍ତା । ମନ ଗହୀରର ଝଡ଼ ଝଞ୍ଜାକୁ ସେ ସ୍ୱାଗତ ଜଣାନ୍ତା ।

 

ରାତ୍ରି ନୀରବ ହୋଇ ଆସିଲାଣି । ବାହାରେ କାହାର ପାଦ ଶବ୍ଦ ଶଭୁଛି ।

 

କିଏ ? କର୍କଶ ସ୍ୱରରେ ପଚାରି ଉଠିଲେ ଡାକ୍ତରବାବୁ । ମୁଁ, ଗଦ୍‍ଗଦ୍‍ କଣ୍ଠରୁ ଉତ୍ତର ଆସିଲା । କିଏ ଛବି ? ସେଠି କାହିଁକି ? ଭିତରକୁ ଆସ । ଦ୍ୱାର ପର୍ଯ୍ୟନ୍ତ ପାଛୋଟି ଗଲେ ଡାକ୍ତର ସାହେବ । ମନଟା ଶଙ୍କାକୁଳ ହୋଇ ଉଠିଲା । କେତେ କ’ଣ ଚିନ୍ତାରେ ସେ ଅସ୍ଥିର ହୋଇ ପଡ଼ିଲେ-

 

ପଛେ ପଛେ ଆସିଲା ଛବି । ଡାକ୍ତରବାବୁ ଆସନ ଦେଖାଇ ଦେଲେ । ବସିବାର ଇଚ୍ଛା ନଥିଲା ତା’ର । ମୁଖ ମଣ୍ଡଳରେ କିପରି ଗୋଟାଏ ବିଶ୍ରଦ୍ଧ ଭାବ । କେଶକେରିକ ଏଣେ ତେଣେ ଖେଳେଇ ହୋଇ ପଡ଼ିଛି । ସୁନାରଙ୍ଗର ଦେହ ଉପରେ କେରି କେରି ଝାଳ । ବୁକୁତଳେ ଝଡ଼ ପଟୁଛି । ବେଳେ କାଳ ଚିନ୍ତା ନ କରି ସେ ଧାଇଁ ଆସିଛି ।

 

କିରଣବାବୁ ତଟସ୍ଥ ହେଲେ । ନିରୀହା ଛବିର ସେହି ଗମ୍ଭୀର ମୂର୍ତ୍ତି ଆଡ଼କୁ ଅନାଇ ରହିଲେ । ଟେବୁଲ ଉପରର ସେଇ ଉଲଗ୍ନ ନାରୀ ମୂର୍ତ୍ତି ଆଉ ଏହି ଜୀବନ୍ତ ପିତୁଳା, ତାଙ୍କର ଚକ୍ଷୁ ସମ୍ମୁଖରେ ଦୁଇ ବିପରୀତ ଦିଗରେ ଦୌଡ଼ାଦୌଡ଼ି କରୁଥାଆନ୍ତି ।

 

କେଉଁଟି ବାସ୍ତବ, କେଉଁଟି ନକଲି, ତାହା ବୁଝିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ଉଠୁଥିଲା ।

 

ହାତର କାଗଜଟି ଟେବୁଲ୍‍ ଉପରେ ଥୋଇଲା ଛବି । ଡାକ୍ତରବାବୁଙ୍କର ଚକିତ ଦୃଷ୍ଟି ତା’ଉପରେ ଥରେ ବୁଲିଆସିଲା । ଅବିଚଳିତ ଭାବରେ ଛବି ଠିଆ ହୋଇ ରହିଥାଏ । ପଦଟିଏ ଶୁଣିବା ପରେ ସେ ଚାଲିଯିବ । ଏହି ପଦଟି ପାଇଁ ସେ ଅମାନିଆ ହୋଇ ଧାଇଁ ଆସିଛି । ଭବିଷ୍ୟତ୍‍ର କୌଣସି ଚିନ୍ତା ତା’ର ପଥରୋଧ କରି ପାରିନାହିଁ ।

 

ଅନ୍ୟବେଳ ହୋଇଥିଲେ ସେ ମତ ଦେଇ ଥାଆନ୍ତେ, କେଡ଼େ ଉଦ୍ଧତା ଏଇ ଛବି ? ବର୍ତ୍ତମାନ ତା’ର ଔଦ୍ଧତ୍ୟ ତାଙ୍କୁ ସ୍ୱାଭାବିକ ବୋଧ ହେଲା । ଘୃଣା ପରିବର୍ତ୍ତେ ସେ ବରଂ ତା’ସପକ୍ଷରେ ଯୁକ୍ତି କଲେ । ସଂସାରର ରଜ୍ଜୁ ଯେ କାଟି ଦେଇଛି, ତା ପାଇଁ ଏ ଔଦ୍ଧତ୍ୟ କିଛି ନୁହେଁ-। ଏ ହୁଏତ ତା’ର ବନ୍ଧନହୀନ ଜୀବନର ଏକ ସହଜ ପ୍ରକାଶ, ଏକ ଅନାବିଳ ସ୍ୱତନ୍ତ୍ରତା ଅଛି-। ମୁକ୍ତ ଆକାଶରେ ଘୂରି ବୁଲୁ ବୁଲୁ ବାଣୁଆର ଶରାହତ ହେଲେ ସେ ନିଜର ସ୍ୱାଧୀକାର ପାଇଁ ଏପରି ଚିତ୍କାର କରି ଉଠେ ।

 

ନିଜ କର୍ମ ପାଇଁ ସେ ଅନୁତପ୍ତ ହୋଇ ଉଠିଲେ । ଓଦାଗଳାରେ ଡାକିଲେ, ଛବି...କଣ୍ଠ ବାଷ୍ପରୁଦ୍ଧ ହୋଇଆସିଲା । ‘ମୋତେ କ୍ଷମା ଦିଅ’ ଆଖିରେ ଏଇ ମିନତି ପୂରି ରହିଥିଲା ।

 

ଡାକ୍ତରବାବୁଙ୍କ ଆଖିରୁ ଦରଦର ଅଶ୍ରୁ ବହି ଚାଲିଛି । ପୁରୁଷର ଏ ଲୁହକୁ ପ୍ରଥମେ ପ୍ରଥମେ ଅବିଶ୍ୱାସ କଲା ଛବି । ମଣିଷଖିଆ କୁମ୍ଭୀର ବି’ ଏପରି ବିଳାପ କରିଥାଏ । ତାହା ହେଲେ ମଣିଷ ଆଉ କୁମ୍ଭୀରର ଲୁହ ଭିତରେ ପାର୍ଥକ୍ୟ କଣ ?

 

ପୁଣି କ’ଣ ଭାବି ତା’ର ନାରୀ ହୃଦୟ ତରଳି ଆସିଲା । ନିଜର ନିଷ୍ପତ୍ତି ପାଇଁ ନିଜେ ସନ୍ତର୍ପିତ ହେଲା । ଲଜ୍ଜାରେ ମଥା ନଇଁ ଆସିଲା । ପୂର୍ବର ଦୁର୍ଘଟଣାକୁ ସେ ସ୍ୱୀକାର କରି ପାରିଲା ନାହିଁ । ପୁରାଣର କେଉଁ ସିଦ୍ଧତପା ମହର୍ଷି ନିକଟରେ ଠିଆ ହୋଇ ସେ ତା’ର ହୃଦୟ ପରିବର୍ତ୍ତନର ଚିତ୍ର ଦେଖିଲା ପରି ଅନୁଭବ କଲା ।

 

ଆଖିଜଳରେ ଧୋଇ ହୋଇ କିରଣବାବୁ କେଡ଼େ ଶାନ୍ତ ଦିଶୁଛନ୍ତି । ଘଡ଼ିକ ତଳରେ ହିଂସ୍ର ଆଖି ଦୁଇଟି ନିର୍ମଳ ନମ୍ରତାରେ ପୂରି ଯାଇଛି । ପୂର୍ବର ଭୟ ଦୁଶ୍ଚିନ୍ତା କୁଆଡ଼େ ଉଭେଇ ଗଲାଣି । ଏ ଆଖିକୁ ଭୟକରି ସେ ପଳାଇବାକୁ ଇଚ୍ଛା କରୁନି । ଆଜିର ଏ ଜନ୍ମୋତ୍ସବରେ କିରଣବାବୁ ନୂଆ ପାଲଟିଛନ୍ତି । ପୁରୁଣା ଘଟ ଭିତରେ ନୂତନତାର ଦେବତା ପଶିଛି । ପୁରୁଣା ଭୂତଟାକୁ ଜାଳି ପୋଡ଼ି ପାଉଁଶ କରି ଦେଇଛି ସେ ।

 

ଧାଈ ଛବି ବାରମ୍ୱାର ସେ ମୁଖକୁ ଚାହିଁ ଆତ୍ମପ୍ରସାଦ ଅନୁଭବ କରୁଥିଲା । ଘଡ଼ିକତଳର ନର୍କ ପୁରୀରେ କାଳ କାଳ ବିତାଇ ଦେବାରେ ତା’ର ଦୁଃଖ ନ ଥିଲା । ଆତ୍ମ ପରୀକ୍ଷାରେ ସେ ଜୟୀ ହୋଇଛି, ଏହି ଦମ୍ଭରେ ହସି ଉଠୁଥିଲା ସେ ।

 

ଫେରିବାକୁ ଇଚ୍ଛ କରୁଥିଲା ଛବି । ଡାକ୍ତରବାବୁ ମନା କରି ପାରିଲେ ନାହିଁ । ଆସନ ଛାଡ଼ି ଠିଆ ହେଲେ । ଛବି ପାଇଁ ଏ ଲୌକିକତା ନୂଆ ହେଲେହେଁ ଏଥିରେ ସେ ବିସ୍ମିତ ହେଉ ନ ଥିଲେ ।

 

ଯିବା ପଥରୁ ଫେରି ଚାହିଁଲା ଛବି । ଇସ୍ତଫା ପତ୍ରଟି ଫେରାଇ ନେବା ପାଇଁ ଭିକ୍ଷା କରୁଥିଲା । ତା’ର ବିମୁଗ୍‍ଧ ନେତ୍ରରେ ସ୍ୱସ୍ତିର ମୁଦ୍ରାଙ୍କ । ଏ ସ୍ୱସ୍ତି ଧାତ୍ରୀ ଛବିର ? ବଶ୍ୱାସ କରି ପାରିଲେ ନାହିଁ କିରଣ । କମ୍ପିତ ହସ୍ତରେ ଇସ୍ତଫା ପତ୍ରଟି ଫେରାଇ ଦେଲେ ।

 

ଡାକ୍ତରବାବୁ ଶୋଇବାକୁ ଗଲେ । ନିଦ ଆସିଲା ନାହିଁ । ମନ ଭିତରେ ଆକାଶ-ପକ୍ଷୀର ବାଉଳା ସଙ୍ଗୀତ ଚେଇଁ ଉଠୁଥାଏ ।

 

ଫେରାର ଆସାମୀ ପରି ଘୂରି ବୁଲୁଛି ଅନୁରାଗ । କେତେ ଦିନ ହେବ ଘର ଛାଡ଼ିଲାଣି ମନେ ନାହିଁ । କେଉଁଠି ଖାଇଚି, କେଉଁଠି ଶୋଇଚି, ତା ମଧ୍ୟ ଜାଣେନା । କେଉଁଠି କି ଯିବ ସ୍ଥିର ନାହିଁ । ତଥାପି ଆଗେଇ ଚାଲିଛି ।

 

ସମୁଦ୍ରଟା । ଆଗରେ ଅନନ୍ତ ନୀଳ ସମୁଦ୍ର, ପଛରେ ଗାଁ ଗଣ୍ଡା, ହିଡ଼ବାଡ଼, ଆଉ ମଣିଷ ତିଆରି ଟିକି ଟିକି ସମାଜ । ଏଠି ହୁଏତ ସମାଜର ଗନ୍ଧ ନାହିଁ । ସମୁଦ୍ର-ପହଁରା ମଣିଷ କେଇଟିର ବସ୍ତି । ସମସ୍ତେ ଏକ ନାଆଁରେ ପରିଚିତ । ‘ମତ୍ସଜୀବୀ’, ସେମାନଙ୍କର ସାଧାରଣ ପରିଚୟ । ପେଷା ନେଇ ଚିହ୍ନା ହୁଅନ୍ତି । ଅନ୍ୟ ପରିଚୟ ଆବଶ୍ୟକ ପଡ଼େନା ।

 

ବାଟ ପାଖର ଗଛମୂଳରେ ଟିକେ ବିଶ୍ରାମ ନେଲା । ପାଦଠାରୁ ମୁଣ୍ଡଯାଏ ଝାଳରେ ଜରଜର । ଧୂଳି ବଲବଲ ଦେହ । ଲହୁଣୀ ପରି କଅଁଳ ଦେହ ଖରାରେ କଳା ହୋଇଗଲାଣି । ଆଖି ଦୁଇଟି କୋରଡ଼ିଆ । ତଥାପି ଭୋକର ଦାଉ ନାହିଁ । ମନର ଅବସାଦ ଅନେକ ମାତ୍ରାରେ କମି ଯାଇଛି ।

 

ଅଳ୍ପ ଦୂରରେ ଛୋଟ ଛୋଟ ଚୁଳାଏ ଘର । ବେଶ୍‍ ଶାନ୍ତ, ନିରୁପଦ୍ରୁତ । ପାଦେ ପାଦେ ପକାଇ ସେ ସେହି ଘର ଆଡ଼କୁ ଆଗେଇ ଚାଲିଲା । ତୀବ୍ର ଆଇଁସିଣା ଗନ୍ଧରେ ନାକ ଫାଟି ପଡ଼ୁଛି-। ଜଳଦେବତାର କେତୋଟି ଗେହ୍ଲା ପୁଅର ଘର ହୋଇଥିବ । ସିନ୍ଧୁ ପାରର ଏଇ ବିଚ୍ଛିନ୍ନ ପଲ୍ଲୀରେ ସଭ୍ୟତାର ସୂର୍ଯ୍ୟୋଦୟ ହୋଇନି । ଅସଭ୍ୟତାରେ ବୁଡ଼ି ରହିଛି ଏ ଶାନ୍ତ ପଲ୍ଲୀଗୁଡ଼ିକ । ହେଲେହେଁ ଏ ଅସଭ୍ୟତା ନିରୀହ ଓ ଅମାୟିକ । ଏହି ଅନ୍ଧାର ଭିତରେ ବୁଡ଼ି ରହିବାକୁ ମନ ହେଉଛି-। ଫେରିବାର ପ୍ରଶ୍ନ ଉଠୁନି । କାହିଁକି ଫେରିଯିବ ସେ ? ମଣିଷଗଢ଼ା ମୁଖାଟାକୁ ତ ସେ ସମାଜରେ ଫିଙ୍ଗି ଦେଇ ଆସିଛି । ଗୋଷ୍ଠୀ, ସମାଜ, ଆଭିଜାତ୍ୟ କେହି ତା ସଙ୍ଗରେ ଗୋଡ଼ାଇ ଆସି ନାହାନ୍ତି-। ବୁନିୟାଦିର ଦୁର୍ବଳ ଡୋରିଟା ତାକୁ ଆଉ ଟାଣି ପାରିବ ନାହିଁ । ବୁନିଆଦି–ଭୀରୁ ଅନୁରାଗ ମରିଛି-। ତା’ର ଆତ୍ମାଟା ଆଜି ସ୍ୱର୍ଗରେ । ତା ଘଟରେ ଯେ ପ୍ରବେଶ କରିଛି, ସେ କେବଳ ଗୋଟାଏ ମୁଁ–ସମ୍ୱଳ ବାଟୋଇ । ତାର ଯାତ୍ରାର ଅନ୍ତ ନାହିଁ । ମୃତ୍ୟୁ ଯାଏ ସେ ଚାଲିଥିବ । ଅମଡ଼ା ସରଣୀର ସରାଇ ଘରେ ‘ମୁ’ ବୋଲି ଲେଖିଯିବ । କେତେ ନାଁ’ ଭିତରେ ମିଶିଯିବ ଏହି ନାମ ହୀନ ‘ମୁଁ’ ଟି-

 

ଚାଲି ଚାଲି ଗୋଟିଏ ଭଙ୍ଗା କୁଡ଼ିଆ ନିକଟରେ ପହଞ୍ଚିଛି । ପଲ୍ଲୀଟିର ସ୍ପଷ୍ଟ ଚିତ୍ର ସେ ଠିଆ ହୋଇ ଦେଖିନେଲା । ଖଳାକୁ ଖଳା ମାଛ ଶୁଖୁଆ ଖେଳା ଚାଲିଛି । ବଡ଼ ବଡ଼ ମାଛମାନ କାଣ୍ଡିମରା ହୋଇଛି । ଦେହ ମୁଣ୍ଡକୁ ନଜର ନାହିଁ । ନିର୍ବିକାର ଭାବରେ ମାଇପେ କେତେଜଣ ମାଛ ଖେଳାଇବାରେ ଲାଗିଛନ୍ତି ।

 

ମରଦ ବୋଲି ଜଣେ କେହି ଘରେ ନାହିଁ । ବଡ଼ ଜାଲ କେଇଟି ଶୁଖୁଚି । ପାଖକୁ ପଣ ପଣ ଖାଳେଇ, ମୁଗୁରା, ଟଙ୍ଗା ଓ ଖଇଁଚି । ମାଛ ଗନ୍ଧରେ ସାହିଟା ଭଣ ଭଣ ହୋଇ ଉଠୁଛି । ଜାଲ ପାଖରେ ବସି ଜାଲ ଘାଈରୁ ଗେଣ୍ଡା-ଶାମୁକା ଛଡ଼ାଉଚି କେଉଟ ଝିଅ ସତିଆ । ପାଖ ମାଇପେ ‘ଦଳେଇ ଝୁଅ’ ବୋଲି ଡାକିଲେ ଜବାବ୍‍ ଦେଉଛି, ହସି ଉଠୁଛି ।

 

ତା’ ପ୍ରତି ତା’ର ନଜର ନାହିଁ । ଗେଣ୍ଡା ଶାମୁକାରେ ଖେଳି ଚାଲିଛି । ଗେଣ୍ଡାରେ ଗେଣ୍ଡା ପିଟି ହୋଇ ବେଶ୍‍ ଏକ ସଙ୍ଗୀତ ସୃଷ୍ଟି କରୁଛି । ଉତ୍‍କର୍ଣ୍ଣ ହୋଇ ଶୁଣୁଛି ସତିଆ ।

 

ଚିଲ ଦୁଇଟା କାହୁଁ ଉଡ଼ି ଆସି ମେଞ୍ଚା ମଞ୍ଚା ମାଛ ଧରି ଉଡ଼ଗଲେ । ‘ହେ’ ‘ହ’ ନେଲା, ନେଲା...ବୋଲି ହୁରି ପକାଇ ଥୋଡ଼ାଏ ଦୂର ଧାଇଁ ଗଲେ ମାଇପି ପଞ୍ଝାକ । ପିଲାଟି ତରଛ ହୋଇ ଚାହିଁ ରହିଲା । ତାର ଖେଳ ଭାଙ୍ଗିଗଲା ।

 

ସେମାନେ ଫେରି ଆସିଲେ । ପୁଣି କାମରେ ଲାଗିଲେ । ଚିଲ ବିଷୟରେ କୁହା କହି, ଅସଂଖ୍ୟା ଆବିଷ୍କାର । ସତିଆ ପୂର୍ବପରି ତା’ର ଖେଳ ଆରମ୍ଭ କଲା ।

 

କାମସାରି ମାଇପି ଦଳଟା ଗାଧୋଇ ବାହାରିଲେ । କଳାପାଣି ପୋଛି ହୋଇ ପଡ଼ୁଛି । ଭୋକରେ ଅନ୍ତ ଦୁଇଁ ହେଲାଣି । ଅଣ୍ଟାରେ ‘କେତୋ’ଟି ମାନ ବସାଇ ପୋଖରୀ ତୁଠକୁ ଗଡ଼ି ପଡ଼ିଲେ । ଚିମୁଟା ଚିମୁଟି, ହାସ, ପରିହାସ । ମୋଟେ ଯେମିତି କ୍ଲାନ୍ତି ନାହିଁ ।

 

ସତିଆ ସେମିତି ଖେଳ ଚାଲିଥାଏ । ଲୁଣୀ ପବନଟା କୁଡ଼ିଆ ଦେହରେ ପିଟି ହୋଇ ଯାଉଛି ।

 

ପାଖ କୁଡ଼ିଆର ଛାଇ ତଳେ ସେ ଠିଆ ହେଲା । ହାତ ହଲାଇ ସତିଆକୁ ଡାକିଲା । ପହିଲେ ପହିଲେ ପିଲାଟି ଦୋ’ ଦୋ’ ପାଞ୍ଚ ହେଉଥିଲା । ଯାହା ହେଉ କେତେ ଡାକରେ ପାଖକୁ ଆସିଲା । ଗେଣ୍ଡା ଶାମୁକା କେଇଟି ହାତରେ ଧରିଥାଏ । ‘ଆ’ ଖେଳିବୁ ଆ’ ଡାକି ଡାକି ତା’ ପାଖକୁ ଛୁଟି ଆସିଲା । ଅଚିହ୍ନା ମଣିଷ ବୋଲି ଭୟନାହିଁ । କଅଁଳ କଥା ପଦେ ଶୁଣି ଧାଇଁ ଆସିଛି ।

 

ଏଣେ ତେଣେ ପଡ଼ିଥିବା ଶାମୁକା କେଇଟି ସାଉଁଟି ତା’ହାତକୁ ଦେଲା । ଟାଉ ଟାଉ ହୋଇ ଖେଳି ଚାଲିଲା ସତିଆ । ତା’ର ନୁଖୁରା କେଶରେ ସେ ହାତ ବୁଲାଉଥାଏ ।

 

ନେ’ ତୁ ନେ’ କହି ସେ ଗେଣ୍ଡା କେଇଟି ତା’ହାତକୁ ବଢ଼ାଇ ଦେଲା । ଅନୁ ଖେଳି ଚାଲିଲା ସତିଆର ବରାଦି ଖେଳ ।

 

ପାଣି ସରସର ହୋଇ ମଇଁଷି ପରି ମଣିଷ କେଇଟି କୂଳ ଉପରକୁ ଉଠି ଆସିଲେ । ବଡ଼ ବଡ଼ ଖାଳେଇରେ ମାଛ, କଇଁଚ ଗୁଡ଼ାକ ଛଟପଟ ହେଉଥାଆନ୍ତି । ପଛରେ ଗୋଟାଏ ବଡ଼ ମଗରକୁ ଟାଣି ଟାଣି ଆଣୁଥାଆନ୍ତି ଆଉଦଳେ ଲୋକ । ନିଶ୍ଚିନ୍ତ, ନିଦକ । ହସି ହସି ଗଡ଼ି ଯାଉଥା’ନ୍ତି । ସତେ ଯେପରି ଆଜି ଗୋଟାଏ ବଡ଼ କୌତୂହଳ ଜୁଟିଛି । ଏ ଆନନ୍ଦ ଛାଡ଼ିବାର ନୁହେଁ-

 

ଅନୁର ଆଖି ଦୁଇଟି ସେଆଡ଼କୁ ଟାଣି ହୋଇଗଲା । ସତିଆର ଆଉ ଖେଳରେ ମନ ନାହିଁ । ‘ହେଇଲେ ମଗଲ, ମଗଲ’ କହି ସେ ବାପ ଦାଦିଙ୍କ ପାଖକୁ ଦୌଡ଼ିଗଲା ।

 

‘ଅନ’ ସେଇଠି ସେମିତି ବସି ରହିଥାଏ । ସାମୁଦ୍ରିକ ଜୀବନର କୌତୂହଳ ନାଚି ଉଠୁଥାଏ ତା’ର ମନ । ପାଞ୍ଚସାତ ବର୍ଷର କେଉଟ ଝିଅ ସତିଆ । ଆନନ୍ଦ ଭିତରେ ବି ତାର ଜୀବନ ଗଢ଼ା । କେହି ତା’ର ଯତ୍ନ ନେଉନି । ଅଶେଷ କୌତୂହଳର ଗହଳି ହୋଇ ସେ ବଢ଼ି ଚାଲିଛି । ମନକୁ ପାପ ଛୁଇଁବ । ନିରୀହ ମନ, ନିରୀହ ଜୀବନ । ମଗରର ଆଖି ଭିତରେ ଅସୁରୁଣୀର ମାୟାପୁରୀ ସନ୍ଧାନ କରୁଛି । ମାଛରଜା ପୁଅକୁ ବାହା ହେବା ପାଇଁ ଅଳି କରୁଛି । ବାପ ଦାଦି ହସି ହସି ବୋଧ ଦେଇଛନ୍ତି । ଚିଡ଼ି ଉଠିବା ଦରକାର ପଡ଼ୁନି । ସଭିଙ୍କ ମନକଥା ସମସ୍ତେ ବୁଝୁଛନ୍ତି । ଅସଭ୍ୟ ମଣିଷର ଏଇ ବୋଧହୁଏ ଆଶୀର୍ବାଦ । ସମୁଦ୍ର ପାଣିର ମଣିଷ, ପାଣି ପହଁରେ ଜାଲ ପକାଏ । ପାଣିପରି ଶୀତଳ ତା’ର ତିକ୍ତତା ନାହିଁ । ଜୀବନର ଗନ୍ଧ ନପାଇ ତହିଁରେ ମାତିଯିବା ତା’ର ଧର୍ମ । ତେଣୁ ମଗରକୁ ମାଛ ରଜା ଭାବି ସତିଆ ଆନନ୍ଦରେ ନାଚିଯାଏ । ମାଛରଜା ପୁଅକୁ ବାହାହେବା ପାଇଁ ଯୁଗ ଯୁଗ ଧରି ଅନାଇ ରହେ ।

 

ଜୀବନଟା କେଡ଼େ ସ୍ୱଚ୍ଛନ୍ଦ, କେଡ଼େ ଉଶ୍ୱାସ ! ଝାରିଆ ଏଥି ପାଇଁ ହସିପାରେ । ପେଟରେ ଦାନା ନଥିଲେ ମଧ୍ୟ ପାଣି ପଙ୍କ ଚକଟି ମାଛ ଧରେ । ସଞ୍ଜବେଳେ ଖାଲି ହାତରେ ଫେରିଯାଇ ନିଦକରେ ଘୁଙ୍ଗୁଡ଼ି ମାରି ଶୋଇ ରହେ ।

 

ସତିଆ ମା’ ପାଖରେ ଠିଆ ହୋଇଛି । ମା’ କାନରେ କ’ଣ କହି ତା’ ଆଡ଼କୁ ଚାହିଁ ରହିଛି । ମା’ କୁ ହୁଏତ ତା କଥା କହୁଥିବ । ଦଳିଆଣୀ କାନରୁ ଦଳେଇ କାନକୁ ଯିବ । ବଡ଼ ଦଳେଇ ବାଟୋଇ ବୋଲି ପାଛୋଟି ନେବ । ତାପରେ ଚାଲିବ ଅତିଥିସତ୍କାର ନାଁ’ ଗାଁ ଓ ଜାତିଗୋତ୍ରର ବିଚାର ।

 

ବାଟୋଇର ବି’ ମୁକ୍ତି ନାହିଁ । ବାଟବଳଦିଆର ବି ଗୋଟେ ପରିଚୟ ଅଛି । ଏହି ପରିଚୟଟାକୁ ଉଡ଼ାଇଦେଲେ ମଣିଷ ହୁଏତ ସୁଖୀ ହୋଇ ପାରନ୍ତା । ସେ କାହାକୁ ଜାଣନ୍ତା ନାହିଁ । ତା’ର ହିସାବ କେହି ରଖନ୍ତେନି । ବଣ ମାଳତୀପରି ବଣରେ ଫୁଟି ବଣରେ ଝଡ଼ି ଯାଆନ୍ତା । କେତେ ଆନନ୍ଦ ମିଳନ୍ତା ଜୀବନର ଏଇ ଅଜ୍ଞାତ ବାସ ଆଉ ଅଜ୍ଞାତ ମୃତ୍ୟୁରେ ?

 

ସଞ୍ଜ ମାଡ଼ି ଆସିବ । କେତେବେଳେ ବସି ଭାବୁଥିବ ସେ ? ମାଡ଼ି ଚାଲିବା ତା’ର ପ୍ରକୃତି । ସେ ବସିପାରିବ ନାହିଁ । ଲୋକ ଗହଳି ଛାଡ଼ି ଆଗେଇ ଯିବ । ରାତିଟା ପାଇଁ ଥାନ ଅଭାବ ହେବନି । ଏତେ ବାଲିଚର, ଏତେ ସମୁଦ୍ର ପଠା । ଆକାଶପକ୍ଷୀ ରାତି କାଟୁଛି । ଗଛ ତଳର ବାଟୋଇ ଅଚିନ୍ତାରେ ଶୋଇ ଯାଉଛି । ଚିନ୍ତା କାହିଁକି ? ଆକାଶ ତଳର ମଣିଷ ପାଇଁ ବସାର ଅଭାବ ? ଠିଆ ହେଲା ଅନୁରାଗ ।

 

ବଡ଼ ଦଳେଇ ମୋଟା ଗଳାରେ ଡାକି ଉଠୁଥିଲା । ବାଟର ବାଟୋଇ ପାଇଁ ଏତେ ଚିନ୍ତା କାହିଁକି ? ନା’ ପୁଣି ସେ ସମାଜର ବେଡ଼ି ଭିତରକୁ ଯାଇ ପାରିବ ନାହିଁ । ଦୁଧଭାତ ଦେଇ ସୁନାପଞ୍ଜୁରୀ ମଧ୍ୟକୁ ଟାଣିନେବାପାଇଁ କେଡ଼େ ଆକୁଳ ଏଇ ସମାଜ ? ସମାଜର ଭେଳିକିରେ ସେ ଭୁଲିବ ନାହିଁ । ତା ବାଟରେ ସେ ଆଗେଇ ଯିବ । ଦଳେଇ ଡାକୁଥାଉ । ଦଳିଆଣୀ ଥର ଥର ତିଆରି ଯାଉ । କାହା କଥା ଶୁଣିବ ନାହିଁ । ସମାଜହୀନ ମଣିଷର ପୁଣି ବାଧ୍ୟ ବାଧକତା ? ବିଶ୍ୱାସ କରିବାକୁ ରାଜି ନ ଥିଲା ସେ ।

 

ସତିଆ ଶୋଇ ଆସିଥିବ । ନିଜର ଗେଣ୍ଡା ସାମୁକା ଧରି ସପନ ରାଇଜରେ ଖେଳି ଚାଲିଥିବ । ଅଜଣା ବାଟୋଇଟି ଶ୍ରଦ୍ଧାରେ ତା’ ମୁଣ୍ଡରେ ହାତ ବୁଲାଇ ଆଣିବ । ଦରୋଟି ତୁଣ୍ଡରେ ସେ କହି ଚାଲିବ–‘‘ତୁ, ନେ, ତୁ’ ନେ’’–

 

ସମୁଦ୍ର ପହଁରି ବାପ ଦାଦି ମାଛରଜା ପୁଅକୁ ବନ୍ଦୀ କରି ଆଣିବେ । ଦଳେଇ ରଜାର ଦୁର୍ଗରେ ସେ ଆବଦ୍ଧ ହେବ । କାନ୍ଦି ଉଠିବ କୁଆଁରୀ ସତ୍ୟବତୀ । ମା’ଙ୍କର ଛାତି କରତି ହେବ । ଝିଅପାଇଁ ବାପ ପାଖରେ ଗୁହାରି କରି ସେ ତା’ର ବରକୁ ମୁକୁଳାଇ ନେବେ । ଦାଣ୍ଡ ଧୂଳିରେ ବାହା ବଢ଼ିବ । ଧୂଳିର ଭାତ, ଧୂଳିର ଡାଲି । ଖେଳ ଭାଙ୍ଗିବ । ତା’ପରେ ଆସିବ ଜୀବନର ସଉଦା । ସଂସାରର ଶକ୍ତ ଦାୟିତ୍ୱ । ସାଗର ତୀରର ଧୀବର କନ୍ୟା । କ’ଣ ଜାଣେ ସେ ଜୀବନର ବେଭାର-? କାନ୍ଦି କାନ୍ଦି ଧୂଳିରେ ଲୋଟିଯିବ । ମା’ ବାପକୁ ଛାଡ଼ି ବରୁଣ ପୁରୀର ବୋହୂ ହୋଇଯିବ-। ଜଳ ଜଳ କରି ଚାହିଁ ରହିଥିବ ବାଟ କଡ଼ର ଏ ବାଟୋଇ ? ଯିବା ଆସିବାର ସେ ଏକ ନିରବ ଦ୍ରଷ୍ଟା-

 

ଦଳେଇ ବୁଢ଼ାର କଳା ମିଚିମିଚି ହେହଟା ଅନ୍ଧାର କାଟି ଧସେଇ ଆସୁଛି । ସେ ଆଉ ଦଣ୍ଡେ ହେଲେ ଠିଆ ହୋଇ ପାରିବ ନାହିଁ, ପଳେଇ ଯିବ । ଚୋର ଚସ୍କର ପରି ଛପି ବୁଲିବ । କାହାର ସ୍ୱାଗତ ସେ ଚାହେଁ ନାହିଁ । ମିଳାଇ ଯିବାରେ—ଆନନ୍ଦ । ବାଟର ବାଟୋଇ ସେ । ନିଜର ରାହାଧରି ଚାଲିବ । ଅମଡ଼ା ମାଡ଼ିଲେ ମଧ୍ୟ ଭୟନାହିଁ । ତା’ପାଇଁ କାହିଁକି ଏତେ ଅଭ୍ୟର୍ଥନା ? ତାକୁ ଧରିବା ପାଇଁ କାହିଁକି ଏତେ ପ୍ରୟାସ ? କିଛି ବୁଝିପାରୁ ନ ଥିଲା ସେ ।

 

ଦିନଟିଏ ଗଡ଼ିଲେ ବରଷ ଗଡ଼େ । ନିଲଠା ମନ ଆଶା ବାନ୍ଧେ । ଆଶାର ଖିଅ ଧରି ବଞ୍ଚି ରହେ ପାଗଳ ମଣିଷ । ସୁଖର ସ୍ୱପ୍ନ ଦେଖେ । ଭଙ୍ଗା ମନକୁ ବୋଧଦିଏ । ବଞ୍ଚିବାପାଇଁ ବାଟ ଓଳାଏ । ଏ ପ୍ରବୃତ୍ତି ଯେପରି ନିତ୍ୟ ନୈମିତିକ । ଏହାରି ଅନୁରୋଧରେ ଚାହିଁ ରହିଛନ୍ତି ଚୌଧୁରୀ । ଯୁଗ ଯୁଗର ଉଦାସୀନତା ଭରା ଆଖି ଦୁଇଟି ବେଳେ ବେଳେ ଉଜ୍ଜଳ ହୋଇ ଉଠୁଛି । ବିବେକ ଆଖି ମିଟିକା ମାରୁଛି; ଜଣାଇ ଦେଉଛି, ଏ ନୀରବ ଆତ୍ମପ୍ରବଞ୍ଚନା । ତଥାପି ଏ ପ୍ରବଞ୍ଚନାରେ ଆନନ୍ଦ ଅଛି । ମିଛକୁ ସତ ବୋଲି ମାନିନେବାର ମାଦକତା ଅଛି । ‘ବୀରୁ’ର ରୋଗ ଶୋକ ଭୁଲି ସେ ଅନୁର ଫେରିବା ପଥକୁ ଅନାଇ ରହିଛନ୍ତି । ସଂସାରର କୌଣସି ଦୁଃଖ ସେ ମୁହୂର୍ତ୍ତଟି ପାଇଁ ତାଙ୍କୁ ବିଚଳିତ କରିପାରୁନି ।

 

ପର ମୁହୂର୍ତ୍ତରେ ସେ ଭୁଲି ଯାଉଛନ୍ତି । ମାଡ଼ି ବସିଥିବା ଦୁଃଖର ବୋଝ ତଳୁ ଆଶାର ଏ କ୍ଷୀଣ ଚିତ୍କାରରେ ସେ ସନ୍ଦେହୀ ହୋଇ ଉଠୁଛନ୍ତି । ଚକ୍ଷୁ ଦୁଇଟି ପୁଣି ଗମ୍ଭୀର । ଡୋଳା ଚାରି ପାଖରେ ଉଦାସୀନତାର ପ୍ରେତ ଘୂରି ବୁଲୁଛି । ଚିକ୍‍ଣ କପାଳର ରେଖା ଟାଣି ଟାଣି ହୋଇ ଯାଉଛି-। ପ୍ରଶସ୍ତ ଲଲାଟରେ ତଥାପି ପଡ଼ୁଛି ରଙ୍ଗିମାର ଏକ ବହଳ ଆସ୍ତରଣ । କାଚପରି ସ୍ୱଚ୍ଛ ଆଖି ଦୁଇଟିରେ ଲୁହ ଆସୁନି । ତଥାପି ବେଳେ ବେଳେ ତାହା ଜଳିଲା ପରି ଦିଶୁଛି । ଏ ଜଳିଲା ଦୃଷ୍ଟିକୁ ଅନୁ ସବୁବେଳେ ଭୟ କରୁଥିଲା । ଛାଟି ପିଟି ହୋଇ ପଳାଇ ଯିବାକୁ ଚେଷ୍ଟା ଚଳାଉ ଥିଲା-। ହେଲେହେଁ ଏ ଦୃଷ୍ଟିରେ ଅଗ୍ନି ନାହିଁ । ଭିତରର ଫୁଟିଆଣି ପାଣିକୁ ଚାପି ଧରି ଯାହା କିଛି ଉତ୍ତାପ-

 

ସେ ଖୁବ୍‍ କମ୍‍ ହସନ୍ତା । ହସିଲା ବେଳେ ପ୍ରାଣଟା ଉଶ୍ୱାସ ହୁଏନା । ଅନ୍ତର୍ଦାହଟା ଜକ ଜକ ହୋଇ ଫୁଟି ଉଠେ । ମନର ଢାକୁଣିଟା ଖୋଲି ହୋଇ ଆସେ । ବତୁରି ବତୁରି ଯାଏ ହୃଦୟର ଅସୀମ ଅନୁଭୂତି । ଚନ୍ଦ୍ରକାନ୍ତ ମଣି ପରି ଚକ୍ଷୁ ଦୁଇଟି ଶୀତଳ ହୋଇ ଉଠେ । କଣ୍ଠ ଦେଇ ଝରିପଡ଼େ କେତେ ଯୁଗର ଅବସାଦ ।

 

ଚୌଧୁରୀଙ୍କର ଏ ଭାବାନ୍ତର କେହି ବୁଝେ ନାହିଁ । ବାହାରୁ ଜଳ ଜଳ ହୋଇ ଦିଶେ ଅନୁଭୂତିହୀନ ଏକ ପାଷାଣ ପ୍ରତିମାର ରୁକ୍ଷଗମ୍ଭୀର ରୂପ । ତଥାପି ଏ ମଣିଷଟା ପଥର ପରି ଟାଣ ନୁହେଁ । ସ୍ନେହର କେତେ ରୁଦ୍ଧ ସ୍ରୋତ ତା’ର ଛାତି ଫଟାଇ ବହିଯିବାକୁ ଚେଷ୍ଟାକରେ । ଝରଣାର ଏହି ଆର୍ତ୍ତନାଦରେ ଛାତିଟା ତା’ର ପଥର ହୋଇ ଉଠେ । ରକ୍ତମାଂସର ମଣିଷଟା କାହିଁକି ପାଷାଣ ହେଲା । କେହି ବୁଝିବାକୁ ଚେଷ୍ଟା କରେନା ।

 

‘ବୀରୁ’ ସଂଘର୍ଷ ଚଳାଇଛି । ଶେଯ ଛାଡ଼ି ଖେଳି ବୁଲିବାର ଉପକ୍ରମ କରୁଛି । ହେଲେହେଁ ଉଠିପାରୁ ନାହିଁ । ଦେହଠାରୁ ମୁଣ୍ଡଯାଏ ରଙ୍ଗା ପଡ଼ି ଆସିଲାଣି । ତଥାପି ନିଜର ଅକ୍ଷମତାରେ ସେ ସନ୍ତୁଷ୍ଟ ନୁହେଁ । ଚେଷ୍ଟା ଚଳାଇଛି । ଯନ୍ତ୍ରଣାରେ ଅଙ୍ଗ ପ୍ରତ୍ୟଙ୍ଗ ଅସ୍ଥିର ହୋଇ ଉଠୁଛି ।

 

ପନ୍ଦର ବର୍ଷର ପୁଅ ବୀତରାଗ । ବାଲ୍ୟ କାଳରୁ ପକ୍ଷାଘାତ ରୋଗରେ ଅକର୍ମଣ୍ୟ ହୋଇ ବିଛଣା ଧରିଛି । ବର୍ଷା ବସନ୍ତର ଅସରନ୍ତି ଝଡ଼ ଛାତି ଉପରେ ବହି ଚାଲିଛି । ଗାଁ ଦାଣ୍ଡରେ ଥରେ ଖେଳି ବୁଲିବା ପାଇଁ ସେ ଆକୁଳ ହୋଇ ଉଠିଚି । ନିଜର ଅକ୍ଷମତାରେ ସନ୍ତୁଷ୍ଟ ରହିନି । କରୁଣ ଦୃଷ୍ଟିରେ ବାପ ମାଆଙ୍କ ଆଡ଼କୁ ଅନାଇ ରହିଛି । ଏ ଦୃଷ୍ଟିର କି ଅର୍ଥ ଦେବେ ସେମାନେ ?

 

ସେହି ବୀତରାଗ, ଅନୁ ପରେ ତା’ର ଜନ୍ମ । ତାଙ୍କର ଦେହ ଭୋଗ ବାସନାର ଶେଷଫଳ । ଜନ୍ମ ବେଳକୁ ମା’ର ଅବସ୍ଥା ନିହାତି ସଙ୍କଟାପନ୍ନ । ଆଲୋକ ଦେଖିବାର ଆଶା ନଥିଲା । ତେଣୁ ଦୁଃଖରେ ନାଁ’ ଦେଇଥିଲେ ବୀତରାଗ । ‘ବୀତି’ ବୋଲି ଡାକନ୍ତି । କେଡ଼େ ସୁନ୍ଦର ସୁକୁମାର ଶିଶୁଟି ? ଚଳତ୍‍ଶକ୍ତି ରହିତ ହାଡ଼ ମାଂସ ପିତୁଳାରେ ପରିଣତ ହେବ ବୋଲି କିଏ କଳ୍ପନା କରିଥିଲା ?

 

କାଳ ତା’ ପଥରେ ଚାଲିଲା । ଅଇଁଠା, ମାଗୁଣି ବା ଅରକ୍ଷିତ ବୋଲି ନାଁ’ ଦେଇ ନାକୁ ଠକାଯାଇ ପାରିଲା ନାହିଁ । ବୀତରାଗ ନାଁ ଦେଇ ବା କୋଉ ନିସ୍ତାର ମିଳିଲା ? ନାମହୀନ ହୋଇଥିଲେ ଅବା ସୁଖୀ ହୋଇଥାନ୍ତା । ପୁଳାଏ ହାଡ଼ ମାଂସର କ’ଣ ବା ଆଉ ନାଁ ।’ ଥାଇପାରେ-?

 

ପୂର୍ବରୁ ଆସିଥିଲା ‘ଅନୁ’ । କରୁଣ ସୁଲଭ ଅନୁରାଗରେ ପ୍ରଥମ ଅଭିବ୍ୟକ୍ତି ।

 

ଶିକ୍ଷା ଦୀକ୍ଷାରେ ଉପଯୁକ୍ତ ହୋଇଥିଲା । ହେଲେହେଁ ବୀତୁର କ୍ଷତି ସେ ପୂରଣ ପରି ପାରିଲା ନାହିଁ । ଡେଣା ଟାଣ ଥିବା ପକ୍ଷୀ ପରି ମନଇଚ୍ଛା ଉଡ଼ି ବୁଲିଲା । କିନ୍ତୁ ବସାରେ ପଡ଼ି ରହିଲା ଏ ଅବହେଳିତ ଶାବକଟି । ଆକାଶରେ ଉଡ଼ି ବୁଲିବାର ଅଧିକାର ନାହିଁ ତା’ର । ନୀଡ଼ର ଅନ୍ଧକାର ମଧ୍ୟରେ ସଢ଼ିଯିବ । ତଥାପି ତାର ଖଣ୍ଡ ବିଖଣ୍ଡ ପର ଗୁଡ଼ିକୁ ସଜାଡ଼ି ଦେବାରେ ବାପ ମାଆର କି ଆନନ୍ଦ ? ‘ଅନୁ ଆଉ ‘ବୀତ’, ଦୁଇଟି ନିବରଚ୍ଛିନ୍ନ ଧାରାରେ ସେମାନଙ୍କର ରକ୍ତସ୍ରୋତ ବହି ଚାଲିଛି । ତଥାପି ଏଇ ଦୁର୍ବଳ ଧାରାଟିକୁ ବାଟ କଢ଼ାଇ ନେବାରେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ । ଅଦେଖା ହାତର ଅଭିଶାପ ଭିତରେ ଅକର୍ମଣ୍ୟର ଏତିକି ହୁଏତ ସୁବିଧା । ଦୁନିଆଁରେ ସେ ସମସ୍ତଙ୍କର ସହାନୁଭୂତିର ପାତ୍ର । ବାପ ମା’ଙ୍କ ସ୍ନେହ ଭାଗଟା ତା’ ଉପରେ ବେଶି ।

 

ସ୍ରଷ୍ଟାର ଏ ଲୀଳାରେ ବିସ୍ମିତ ହେଉଥିଲେ ପୌଢ଼ । ହେଲେହେଁ ତାକୁ ରୋକିବା ତାଙ୍କର ସାଧ୍ୟାତୀତ । ସ୍ରଷ୍ଟାର ଅନ୍ଧଶାସନ ଚାଲିଥିବ । ପଶୁପରି ଅର୍ଗଳି ଦେହରେ ମଥା ନଇଁଦେବ ନିର୍ଯ୍ୟାତିତ ମଣିଷ ଶିଶୁ । ବିଧାତାର ଦାଢ଼ୁଆ ଖଣ୍ଡା ହାଣି ଚାଲିବ । ପଶୁର ଦୋଷ କ’ଣ ? କେହି ପ୍ରଶ୍ନ କରିବେ ନାହିଁ । ଅର୍ଗଳି ଭିତରେ ଜୀବନ ଦେବା ତା’ର ପରମ୍ପରା । ସ୍ରଷ୍ଟାକୁ ପ୍ରଶ୍ନ କରିବାର ଅଧିକାର ନେଇ ସେ ଜନ୍ମ ହୋଇନି । ଫଳତଃ ରକ୍ତର ଏ ଫଗୁ ଖେଳ ଚାଲିଥିବ ।

ଏଇ ଫଗୁ ଖେଳ ଭିତରେ ଜନ୍ମ ମୃତ୍ୟୁର ଯାହାକିଛି ଇତିହାସ । ରକ୍ତର ଲାଲିମାରେ ସେ ଇତିହାସର ପ୍ରତ୍ୟେକ ପୃଷ୍ଠା ଆଛନ୍ନ । ସେହି ରକ୍ତ ସ୍ରୋତରେ ପହଁରି ପହଁରି ଅନୁବୋଉ ଆସିଛନ୍ତି, ଅନୁ ଆସିଛି । ଦୁର୍ବଳ ବୀତରାଗଟା ବି ସୁଅ କାଟି ଧାଇଁ ଆସୁଛି । ଜଣକୁ ଠେଲି ଆଉ ଜଣେ ଆଗେଇ ଯାଉଛି । ଜନ୍ମମୃତ୍ୟୁର ଖେଳ ଘରେ ବି ଏ ପ୍ରତିଦ୍ୱନ୍ଦିତା ? କି ତାଜୁବ୍‍, କି ତାମସାରେ ଏ-?

ବାହାରେ ପବନର ପାଦ ଶବ୍ଦ ଶୁଭୁଛି । ‘ଅନୁ’ ଆସିଗଲା ପରା ? ନିଷ୍ଠୁର ପରିହାସ ପରି ପବନଟା ଫେରିଗଲା । ବିସ୍ମିତ ହୋଇ ଚାହିଁ ରହିଥିଲେ ଚୌଧୁରୀ ।

ପୋଖରୀ ମଝିରେ ଅଚଳ ଦୀପିଦଣ୍ଡି ପରି ଅନୁ ବୋଉ କେତେବେଳୁ ଆସି ପାଖରେ ଛିଡ଼ା ହୋଇଥିଲେ ।

କଣ ଏତେ ଭାବୁଚ ବସି ?

ନା, କିଛି ନାହିଁ...ସେଇ ପରିଚିତ ଉତ୍ତର । ଅକାତ ପାଣିର ସହିଷ୍ଣୁ ଦୀପି ଦଣ୍ଡିଟା ଆଡ଼କୁ ଅପଲକ ନେତ୍ରରେ ଚାହିଁ ରହିଥିଲେ ସେ । ସତେ କ’ଣ ନିରାପଦ ଏଇ ଦୀପିଦଣ୍ଡିଟା ? ଝଡ଼ଝଞ୍ଜାର କିଛି ହିସାବ ରଖେନା ? ଅଗାଧ ଜଳରେ ନିଶାଣଖୁଣ୍ଟ ପରି ଖାଲି ଛିଡ଼ା ହୋଇ ରହିଛି ?

ସନ୍ଦିଗ୍‍ଧ ଦୃଷ୍ଟିରେ ସେ ଅନୁ ବୋଉଙ୍କୁ ଚାହିଁ ରହିଲେ । ପୁଣିଥରେ କାନ୍ଦି ଉଠିଲା ବୀତୁ । ହୁଏତ କଡ଼ ଲେଉଟାଇବାକୁ ଚେଷ୍ଟା କରୁଛି ।

ଅନୁବୋଉଙ୍କର ଧ୍ୟାନ ଭାଙ୍ଗିଗଲା । ବାହାରେ କାହାର ପଦଧ୍ୱନି ଶୁଭିଲା । ବସିଲା ସ୍ଥାନରୁ ଉଦ୍‍ବେଗର ସହିତ ଉଠି ପଡ଼ିଲେ ଚୌଧୁରୀ ।

ପ୍ରତି ଓ୍ୟାର୍ଡ଼ରୁ ରୋଗୀମାନଙ୍କର କାନ୍ଦଣା ସ୍ୱର ଭାସିଆସେ । ଗାଡ଼ି ଗାଡ଼ି ଶବ ଯାଏ । ତଳେ ନ ପଡ଼ୁଣୁ କେତେ କେଜାଣି ଜୀବନ ପାଖୁଡା ମଉଳି ଆସନ୍ତି । ଏ ନିତି ଦିନିଆ ଅନୁଭୂତିରେ ଡାକ୍ତର, ନର୍ସ ଓ ବେହେରାମାନଙ୍କର ଜୀବନ ଗଢ଼ା । ସେମାନେ ବିଚଳିତ ହୁଅନ୍ତି ନାହିଁ । ଥଟ୍ଟା ତାମସା କରି ମେହେନ୍ତରମାନେ ଶବଗାଡ଼ି ଠେଲି ନିଅନ୍ତି । ଜୀବନର ମୂଲ ବୁଝିବାକୁ ଅବକାଶ ନ ଥାଏ ।

ବର୍ଷ ବର୍ଷ ଧରି କିରଣବାବୁ ଏ ଜୀବନର ଗହକି, ଆଜି କିଛି ନୂଆ ନୁହେଁ । ତଥାପି ସବୁ କଥାରେ ଏବେ ସେ ତଟସ୍ଥ ହୋଇ ଉଠନ୍ତି । ଜୀବନଟା ଓଲଟି ଗଲା ପରି ବୋଧହୁଏ । ଲୁହାର ମଣିଷ ପରି କାମ କରି ଯାଆନ୍ତି । ଜୀବନର ଆସ୍ୱାଦ ବିସ୍ୱାଦ ବୁଝି ହୁଏନା । ଦେହଟା ପୂରା ପୂରି ଶୀତଳ, ଶୀତ ରାତିର ଧାତୁପିଣ୍ଡ ଭଳି ଥଣ୍ଡା । ଯଦି କେବେ ଏ ମଣିଷ ତାତିଥିଲା, ତା’ ତାହାର ନିଜ ତାପ ନୁହେଁ । ବାହାରର କେଉଁ ଅଗ୍ନିକଣା ସଂସ୍ପର୍ଶରେ ଆସି ସେ ତାତି ଉଠିଥିଲା । ଅଗ୍ନିକଣା ଉଡ଼ି ଚାଲିବା ପରେ ସେ ଶୀତଳ ହୋଇଯାଇଛି । ତଥାପି ମନର ଓଜନଟା କମିନି, ବରଂ ବଢ଼ି ଚାଲିଛି । ହୁଏତ ତାତିବାର ଆନନ୍ଦ ଥିଲା । ଜୀବନଟା ଟିକେ ଉଶ୍ୱାସ ବୋଧ ହେଉଥିଲା । ଭାରୀ ଭାରୀ ମନଟା ଅସ୍ୱସ୍ତିକର ଲାଗୁଛି । ସବୁଥିରେ କିପରି ଏକ ଅପରାଧୀ ଭାବ । ଉଦାସ ମନରେ କାମ କରି ଚାଲିଛନ୍ତି ।

 

ଛବିର ଛାଇ ପଡ଼ିଲା ତାଙ୍କର କାକୁସ୍ଥତା ବଢ଼ିଚାଲେ । ସତେ ଯେପରି ସେ ତା’ର କରୁଣା ଭିକ୍ଷା କରୁଛନ୍ତି । ଧାଈ ଛବି ଅଭୟ ଦିଏ । ଥରକୁ ଥର ସନ୍ତୋଷମିଶା ଚାହାଣୀରେ ଅନାଇ ରହେ । ପାଖରେ ଧରା ନ ଦେଇ ଧରା ଦେବାର ଅଭିନୟ କରେ । ତା’ର ସରଳତା ତାଙ୍କୁ ଆନନ୍ଦ ଦିଏ । ଠାଣି ମାଣିରେ ଆଖି ଲାଖି ରହେ । ଅନାଶକ୍ତ ପ୍ରାଣଟା ପୁଣି ଆସକ୍ତ ହୋଇଉଠେ । ବୁଡ଼ିଯିବାକୁ ଚେଷ୍ଠା କରେ । ସିଙ୍ଗିବୁଡ଼ା ଦେଇ ଥଳ କୂଳ କଛେ । ଅକାତ ପାଣି, ଗମ୍ଭୀର ଗଣ୍ଡ, ଥଳ କୂଳ ପାଏନା । ଫାଏଁ ଫାଏଁ ହୋଇ ଉପରକୁ ଉଠେ । ଜଳର ହ୍ରଦ କିଛି ହୁଏନା କେବଳ ନୈରାଶ, ଆତ୍ମଗ୍ଲାନି । ଛବିର ଚତୁର ଆଖିରୁ କିଛି ଅଛପା ରହେନା ।

 

ତୁମେ କେବିନ୍‍ ଚାର୍ଯରେ ଅଛନା ? ଧୀର ଭାବରେ ପଚାରିଲେ କିରଣବାବୁ ।

 

ଛବିର ଚିନ୍ତା ଗୋଳମାଳ ହୋଇଗଲା । ଦୟନୀୟ କଣ୍ଠରେ ସେ ଉତ୍ତର ଦେଲା, ହଁ ।

 

ରୋଗୀଟିର ଅବସ୍ଥା କିପରି ?

 

ଚାରିଦିନ ହେବ ସେତେ ଭଲ ନୁହେଁ, କହି ସେ ଫେରିଗଲା । ଆଷାଢ଼ର ଆକାଶ ପରି ମୁହଁଟି ଭାରୀ ଭାରୀ ହୋଇ ଆସିଲା । କିରଣବାବୁ କିଛି ବୁଝିପାରିଲେ ନାହିଁ । ପ୍ରସାରିତ ଦୃଷ୍ଟିରେ ନିଜକୁ ନିଜେ ନିରୀକ୍ଷଣ କଲେ । ଆତ୍ମଗ୍ଲାନିରେ ମନଟା ସଂକୁଚିତ ହୋଇ ଆସିଲା ।

 

ଛବି କେବିନରେ ପହଞ୍ଚି ଦେଖେ ରୋଗୀଟି ଶୋଇଯାଇଛି । କ୍ଷତ ସ୍ଥାନର ‘‘ବ୍ୟାଣ୍ଡେଜ’’ ଗୁଡ଼ିକ ଦେହଟିକୁ ଚିତ୍ର ବିଚିତ୍ର କରି ଦେଇଛି । ଚିହ୍ନିବା ସହଜ ନୁହେଁ । ଛବି ସେ ମୁଖଟିକୁ ନିରେଖି ରହିଲା । ଶ୍ମଶ୍ରୁଜାଳରେ ଆଚ୍ଛନ୍ନ । ତଥାପି ସୁନ୍ଦର ସେ ମୁହଁଟି । ଶୁଷ୍କ ପଦ୍ମଦଳ ପରି ଆଖିକୋଣରୁ ଛାତ୍ରନେତା ‘‘ଆହାଦ’’ ଡାକି ଉଠୁଛି, ଢଳି ଢଳି ଆସୁଛି ମଦୁଆ ଗଫୁର୍‍, ନାରୀଶିଳ୍ପୀ ‘କାନନିକା’ ଓ ବିଖ୍ୟାତ୍‍ ଶିଳ୍ପପତି ନନ୍ଦଲାଲ । କିଏ ଧର୍ମଘଟରେ, କିଏ ବା ରାସ୍ତଘାଟର ଢେଲା ମାଡ଼ରେ, କିଏ ଗାଡ଼ିଚାପା ବା ମୋଟର ଆକ୍‍ସିଡେଣ୍ଟରେ । ଦେହ କ୍ଷତ ବିକ୍ଷତ, ଅଙ୍ଗ ଅବଶ । ତୁଣ୍ଡରେ ଯନ୍ତ୍ରଣାର ଚିତ୍କାର । ବଞ୍ଚିବା ପାଇଁ ଟଣା ଓଟରା ଛନ୍ଦା ଛନ୍ଦି । ବାପା ମା’ ଭାଇ ଭଉଣୀ,-ଅସରନ୍ତି ସଂବନ୍ଧ । ଯୋଡ଼ନ୍ତି, ଭାଙ୍ଗନ୍ତି । ‘ଛବି’ ଭୁଲିହୋଇଯାଏ । ପାସୋରିଯାଏ ପୋଡ଼ା ଘା’ର ଜ୍ୱାଳା । ଚିହ୍ନଟା ଖାଲି ରହିଯାଏ । ଚିହ୍ନଟାକୁ ଉଖାରି ବସେ ଛବି ଖାଲି ପୋଡ଼ା ଜଳା ଓ ବିନ୍ଧା ଛିଟିକା । ରାତି ରାତି ଜଗିବସିଛି । ମୋଡ଼ିଛି, ଘଷିଛି । ହାତରୁ ଧନ ସାରି ମିଠା କଥା ଶୁଣିଛି । କଅଁଳି ଉଠିଛି ମନଟା । ସବୁଜ କ୍ଷେତର ସ୍ୱପ୍ନ ଦେଖିଛି ।

 

ସମସ୍ତେ ଆସିଛନ୍ତି, ଯାଇଛନ୍ତି । ଗଲାବେଳେ ସେଇ ‘ଧନ୍ୟବାଦ’, ପଦେ ଦି’ ପଦ ମୁହଁ ରୁଚା କଥା । ତା’ପରେ ଛବି ହଜିଯାଇଛି । ଛାତ୍ର ନେତାର ଜୟଧ୍ୱନିରେ, ନାରୀ କବିଙ୍କର ଲେଖନୀ ମୁନରେ ବା ଶିଳ୍ପପତିଙ୍କର ଯନ୍ତ୍ରଶାଳାରେ କେଉଁଠି ତା’ ନାମର ଝଙ୍କାର ।

 

ଟାଣି ଟାଣି ନିଃଶ୍ୱାସ ନେଉଥିଲେ ଛବି । ତଥାପି ଆଶା ଭରସାହୀନ ରୋଗୀଟିକୁ ବଞ୍ଚାଇବାରେ ତା’ର କି ଆନନ୍ଦ ? ରୋଗୀର ବିବର୍ଣ୍ଣ ଓଠରେ ପ୍ରାଣର ଉତ୍ତାପ ପାଇ ସେ କିପରି ବାୟାଣୀ ହୋଇଯାଏ ? ଭୁଲିଯାଏ ତାର ଅତୀତ, ବର୍ତ୍ତମାନ । ଆହାଦ୍‍ ଫେରଯାଏ ଭୁଲିଯାଏ ‘କାନନିକା’ । ଗଫର୍‍ ମଦ ପିଇ ପୁଣି ପାଗଳ ହୁଏ । ହେଲେହେଁ ହଜିଯାଏନା ତା’ର ସେବାର ଆନନ୍ଦ । ସେବିକା ସେ । ଏଥିରୁ ଅଧିକ କଣ ଆଶା କରେ ସେ ?

 

ସୁପ୍ତ ବ୍ୟକ୍ତିଟି କରୁଣ କଣ୍ଠରେ ଚିତ୍କାର କରି ଉଠିଲା । ସେ ତା’ର ଉଷ୍ମକପାଳରେ ହାତ ବୁଲାଇ ଆଶ୍ୱାସନା ଦେଲା । ପାଟିକୁ ଢୋକେ ‘ଗ୍ଲୁକୋଜ’ ଦେଲା ପରେ ରୋଗୀଟି ପୁଣି ଶୋଇ ଆସିଲା ।

 

ସ୍ୱସ୍ତିରେ ନିଃଶ୍ୱାସ ନେଲା ଛବି । ଏଇ ଟିକିଏ କରସ୍ପର୍ଶରେ କି’ ମାଦକତା ଅଛି ସେ ତା’ ବୁଝି ପାରୁ ନ ଥିଲା ।

Unknown

 

ରୋଗୀଟି ଏଣିକି ଶୋଇ ଆସିବ । ଆଉ ଚିନ୍ତା ନାହିଁ । ଏ ସୁନ୍ଦର କପାଳଟରେ ଦିନ ଦିନ ଧରି ହାତ ବୁଲାଉଥିଲେ ମଧ୍ୟ ଅବସାଦ ନାହିଁ ।

 

ସେବିକା ଛପି ହଜି ଯାଉଥିଲା । ଅଦିନ କୁହୁଡ଼ିରେ ସେ ଭାସି ବୁଲୁଥିଲା । ହଠାତ୍‍ ଆଲୋକ ଦେଖି ସେ ଚମକି ପଡ଼ିଲା । କେଡ଼େ ତେଜୀୟାନ୍‍ ଏଇ ସୂର୍ଯ୍ୟଟା ? ତାକୁ ପୋଡ଼ିଜାଳି ଦେବା ପାଇଁ ସତେ ଯେପରି ସଂକଳ୍ପ ନେଇଛି ?

 

ରୋଗୀଟିର ଦେହସାରା ତାତି ଉଠିଛି । ଥର୍ମୋମିଟର୍‍ କାଢ଼ି ତାପ ନେଲା । ଜର ଟିକିଏ ବଢ଼ି ଯାଇଛି । ତଥାପି ଆୟତ୍ତାଧୀନ । ବିଚଳିତ ରହିବା ଅନୁଚିତ ।

 

ମନକୁ ମନ ବୁଝାଉଥିଲା ଛବି । ହେଲେହେଁ ମନଟା ସ୍ଥିର ହୋଇ ପାରୁ ନ ଥିଲା । ଅଜଣା ଭୟରେ ଦେହ ଶୀତେଇ ଉଠୁଥିଲା । ଅଚିହ୍ନା ରୋଗୀଟା ପାଇଁ ଏତେ ସମବେଦନା ? କାହିଁକି ତା’ର ଏ ଦୁର୍ବଳତା ବୁଝିପାରୁ ନଥିଲା ସେ । କୋହରେ ଛାତି ଫାଟି ଆସୁଥିଲା । ଇଚ୍ଛା ହେଉଥାଏ, ରୋଗୀଟିର ଛାତିରେ ଛାତି ମିଶାଇ ସେ କଇଁ କଇଁ ହୋଇ କାନ୍ଦି ଉଠିବ ।

 

ଜର କମି ଯିବଣି । ରୋଗୀଟିର ଦେହରେ ହାତ ଦେଲା ଛବି । ଦେହ ଖଇ ଫୁଟୁଛି । ‘ଆଇସ୍‍ ବ୍ୟାଗ୍‍’ ଦେବାକୁ ଡାକ୍ତରବାବୁ ମନା କରି ଯାଇଛନ୍ତି । ମଥା ଉପର ପାଣି ପଟିଟି ଶୁଖି ଆସିଲାଣି ।

 

ହାତରେ ଟିକିଏ ପାଣି ନେଇ ପାଟି ଉପରେ ଛଞ୍ଚି ଦେଲା ଛବି । ଶୁଖିଲା ପାଟିରୁ ବଳକା ପାଣି କେଇବୁନ୍ଦା ଆଖିଧାର ଦେଇ ଗଣ୍ଡ ଉପରକୁ ବହି ଆସିଲା । ରୋଗୀର ଶୁଖିଲା ଲୁହଧାରଟି ପାଣି ସଙ୍ଗରେ ମିଶିଗଲା । ଦେହର ଉତ୍ତାପରେ ଜଳ ଧାରାଟି ତାତି ଉଠିଲା । ବିଛଣା ଉପରେ ଖସି ପଡ଼ିଲା ଦୁଇବିନ୍ଦୁ ତାତିଲା ଲୁହ । ସେ ରୋଗୀର ଗଣ୍ଡ ଦେଶରୁ ଜଳଧାରାଟି ପୋଛି ଆଣିଲା । ହେଲେହେଁ ପରକ୍ଷଣରେ ଆର୍ଦ୍ର ହୋଇଉଠିଲା ଗଣ୍ଡଦେଶ ।

 

ଯନ୍ତ୍ରଣାର ସତ୍ତା ନାହିଁ । ଅଚେତ ହୋଇ ରୋଗୀଟି ଶୋଇ ଆସିଛି । ଆଖିରୁ ଅବିରତ ବହି ଚାଲିଛି ଜଳଧାରା । ଅବଚେତନ ଭାବରେ ସେ କାନ୍ଦି ଉଠୁଛି । ଚେତା ଆସିଲେ ସେ ପଚାରନ୍ତା, ତୁମେ ଶୋଇ ଶୋଇ କାନ୍ଦ କାହିଁକି ? ଏ ପ୍ରଶ୍ନର କ’ଣ ଉତ୍ତର ଦିଅନ୍ତା ସେ ? ହୁଏତ ବେଶି ବେଶି କାନ୍ଦି ଉଠନ୍ତା ।

 

ରୋଗୀଟି କଡ଼ ଲେଉଟାଇଲା । ଓ୍ୟାର୍ଡ ପଛର ଦେବଦାରୁ ଗଛରୁ ଦମକାଏ ଥଣ୍ଡାପବନ ବହି ଆସିଲା । ରୋଗୀଟିର ଦେହରେ ପବନ ପଶିଲା । ସେ ଯନ୍ତ୍ରଣାରେ ଅଧୀର ହୋଇ ଉଠିଲା । ନିଜ କୋଳରେ ମଥା ଥାପି ଆଶ୍ୱାସନା ଦେଲା ଛବି ।

 

ରୋଗୀଟି କିଛି ବୁଝୁ ନଥାଏ । ଶୂନ୍ୟକୁ ଚାହିଁ କେତେ କ’ଣ ଗପି ଯାଉଥାଏ । ପୁରାପୁରି ଅସଂପୃକ୍ତ କଥା । ଛବି ତାହାର ବିନ୍ଦୁବିଃସର୍ଗ ବୁଝୁ ନଥାଏ । କରୁଣ ଦୃଷ୍ଟିରେ ସେ କେବଳ ତା’ ଆଡ଼କୁ ଚାହିଁ ରହିଥାଏ ।

 

ଆଜି ରୋଗୀଟି ଆଖି ମେଲିଛି । ଖନ ଖନ ହୋଇ କେତେ କଅଣ କହି ଯାଉଛି । ଅବସ୍ଥା ଆଶାଜନକ । ନିର୍ଜନ କେବିନ୍‍ଟା କାନବାରି ତା’କଥା ଶୁଣିବାରେ ମଗ୍ନ ।

 

ଛବି ବସି ରହିଛି । କାଳ ମୁହଁରୁ ଖସି ଆସିଥିବା ହତଭାଗ୍ୟର କାହାଣୀ ଶୁଣୁଛି । ଆଶାରେ ଉଜଳି ଉଠୁଚି ତା’ର ଚକ୍ଷୁତାରକା । ନିହାତି ମାମୁଲି ଜୀବନଟା କୌତୁହଳ ଜନକ ବୋଧ ହେଉଛି । ନିଜ ଗୁରୁତ୍ୱରେ ନିଜେ ବିସ୍ମିତ ହେଉଛି । ଲଢ଼ି ଲଢ଼ି ମୃତ୍ୟୁ ମୁଖରୁ ଫେରାଇ ଆଣିଥିବା ରୋଗୀଟି ପାଇଁ ତା’ର ଏ ଆତ୍ମପ୍ରସାଦ ।

 

ରାତି ଦ’ଶ ବାଜିଲା । ଅପଲକ ନେତ୍ରରେ ଚାହିଁ ରହିଛି ଛବି । ଦୁଇଦିନ ହେବ ସେ ବସାକୁ ଫେରିନାହିଁ । ସିମି ବୁଢ଼ୀ ଖୋଜି ଯାଇଥିବ । ଭାଗ୍ୟରେ ବର ବର ହୋଇ ରାତିସାରା ଚେଇଁ ରହିଥିବ । ତାକୁ ଦେଖିଥିଲେ ହୁଏତ ଆପାଦ ମସ୍ତକ ଆଉଁଷି ଯାଇ ବେଦନଭରେ କଣ୍ଠରେ କହିଥାଆନ୍ତ, ଶୁଖି କଳାକାଠ ହେଲୁଣି ତୁ । ଆଉ ଡିଉଟିକି ଯାଆନା । ସେ ଶସ୍ତା ହସରେ ତା’କଥାକୁ ଉଡ଼େଇ ଦିଅନ୍ତା । ନିଜକୁ ନିଜେ ଚାହିଁ ରହନ୍ତା, ସତେ କେଡ଼େ ଶୁଖିଲା ଦିଶୁଛି ସେ ?

 

ରୋଗୀଟି ନିଶ୍ଚଳ ହୋଇ ଆସିଲାଣି । ଏଣିକି ଶୋଇଯିବ । ନୀରବ କକ୍ଷରେ ପ୍ରେତିନୀ ପରି ବସି ରହି ସେ ସେହି ମୁହଁଟିକୁ ଅନାଇ ରହିବ । କାଲିଠାରୁ କେଡ଼େ ସୁନ୍ଦର ଦିଶୁଛି ଏଇ ମୁହଁଟି-। ଏ ମୁହଁଟି ଆଶା-ନୈରାଶ୍ୟଭରା ଗୋଟାଲ ଅପାଙ୍କେୟର ? ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲା ଛବି ।

 

ସଂକଳ୍ପ ନେଲାପରି ସେ ବସି ରହିଥିଲା । କେବିନ୍‍ ଭିତରେ ନିର୍ଜନତାର ଛାୟା ଗମ୍ଭୀର ହୋଇ ଉଠୁଥାଏ । ପଥହରା ପକ୍ଷୀଟି ‘ସ୍କାଇଲାଇଟି’ ଦେହରେ ପିଟି ହୋଇଗଲା । ଡେଣା ଫଡ଼ ଫଡ଼ ଶବ୍ଦ ସଙ୍ଗେ ଭାସିଆସିଲା ଏକ ରୁଦ୍ଧଚିତ୍କାର । ପାଖର ପକ୍ଷୀ କେହି ପ୍ରତିଧ୍ୱନି ଦେଲେନି । ସେ ବୋଧହୁଏ ପଂକ୍ତିହୀନ, ସାଥିହରା । ଅନ୍ଧାର ରାତିର ଅଭିସାରରେ ଦିଗ ଭାଗ ହଜାଇ ଦେଇଛି । ଯନ୍ତ୍ରଣାର କ୍ଷତ ନେଇ ଫେରିଯିବ । ଅଭିମାନରେ ଫେରି ଚାଲିଯିବ ତା’ର ଅଭିସାରିକା । ରାତିର ଆକାଶ ତଳେ କେହି କାହାକୁ ଭେଟି ପାରିବେ ନାହିଁ । ପୁଣିଥରେ ଡେଣାର ବ୍ୟସ୍ତ ଧ୍ୱନିରେ ରୋଗୀଟି ଚମକି ଉଠିଲା । ଆଉଳି ଖାଇ ଛବିର ହାତ ଦୁଇଟିକୁ ଜାବୁଡ଼ି ଧରିଲା । ଛବିର ଚିନ୍ତାସୂତ୍ର ଛିଡ଼ି ଆସିଲା । ରୋଗୀର ବକ୍ଷ ଉପରେ ହାତ ଥାପି ତାକୁ ଆଶ୍ୱାସନା ଦେଲା ।

 

ରୋଗୀଟିର ଦୃଷ୍ଟି ଅସ୍ଥିରତାରେ ପୂରି ଉଠୁଥିଲା । ଆଖି ମେଲାଇ ସେ ଛବି ଆଡ଼କୁ ଚାହିଁ ରହିଲା । କ’ଣ ଭାବିଲାପରି ଉଦାସ ହୋଇ ଉଠିଲା ଆଖି ଦୁଇଟି । ଚକ୍ଷୁ ତାରକା ମଳିନ ହୋଇ ଆସିଲା । ଦୃଷ୍ଟି ଫେରାଇ ନେଲା ସେ ।

 

ପକ୍ଷିଣୀଟି ବିକଳ ଭାବରେ କାନ୍ଦି ଉଠୁଥିଲା । ଆକାଶର ସାଥିକୁ ଖୋଜୁଥିଲା ସେ । ନିଦୁଆ ରାତିର ମାୟାତଳେ ଏ ଦୁଇଟି ଜୀବନ ହୁଏତ ଜାଗ୍ରତ । ଆକାଶର ଆହ୍ୱାନରେ ପାଗଳ ହୋଇ ପରସ୍ପର ପରସ୍ପର ଖୋଜି ବୁଲୁଛନ୍ତି । ମାଡ଼ର ନିର୍ମୋକ ତେଜି ଜୀବନ ମୁକ୍ତି ଖୋଜୁଛି, ଅନ୍ଧାର ଖୋଜୁଛି ଆଲୋକ । ଏ ଆଲୋକରେ କ’ଣ ଅବସାଦ ନାହିଁ ? ଆତ୍ମବିଭୋରା ଛବି ନିଜକୁ ନିଜେ ପ୍ରଶ୍ନ କରୁଥିଲା । ତା’ର ଆଖି ଆଗରେ ଭାସି ଯାଉଥିଲା ଦିଗନ୍ତ ଯାତ୍ରୀର ସେହି ଶୂନ୍ୟତରୀଟି-। ଆନନ୍ଦ ଓ ଉତ୍ସାହରେ ନୌକାଟି ଭରିଯାଇଛି । ଆଗେଇ ଚାଲିଛି ଚକ୍ରବାଳର ଯାତ୍ରୀ-

 

ଅଥଚ ସମୁଦ୍ର, ଦିଗଭାଗ ନାହିଁ । ନିର୍ମଳ ଆକାଶରେ ଜହ୍ନଟା । ଫିକା ହୋଇ ଆସୁଛି । ତାରାଗୁଡ଼ିକ ମଳିନ ଦିଶିଲେଣି । ଆକାଶ ଆଉ ଧରଣୀର ମଳିନ ରେଖାରେ ଗୋଟିଏ ଉଜ୍ଜଳତାରା ଜଳିଉଠୁଛି । ସେ ସେଇଆଡ଼କୁ ତରୀ ବାହିନେବ । ତା’ର ଶୂନ୍ୟତରୀଟି ଭାସିଯିବ ସେହି ଅଜଣା ଦିଗ୍‍ବଳୟ ଧାରକୁ ।

 

ସେ ଚିତ୍ର ପୁଣି ଓଲଟି ଯାଉଛି । ଛୋଟ ଛୋଟ ତରଙ୍ଗଟିମାନ ବଡ଼ ତରଙ୍ଗ ଦେହରେ ମିଶି ଯାଉଛନ୍ତି । କୂଳରେ ପିଟିହୋଇ ଯାଉଛି ଭେଳା ଭେଳା ଢେଉର ସପନ । ରାତ୍ରି ନିଶବ୍ଦ । ବାଟୋଇଟି ବାଲୁକା ଉପରେ ଆଗେଇ ଯାଉଛି । ନିଶୀଥର ସୟଚାନ୍‍ ପରି ତୀକ୍ଷଣ ତାର ଦୃଷ୍ଟି । ସେ ଚୌଦିଗକୁ ଆଖି ତରାଟି ଚାହିଁଲା । ଏକାଧିକ ପଢ଼ୋଉ କୂଳରେ ଡେରା ହୋଇଛି । ସେଥିରୁ ଗୋଟିଏ ପାଣି ଭିତରକୁ ଠେଲି ନେଲା । ବାଲି କାଟି ନୌକାଟି ଖସି ଚାଲିଲା । ନିଜ ଶକ୍ତିରେ ନିଜେ ବିସ୍ମିତ ହେଲା ସେ ।

 

ତାରାଟି ଆଖି ମିଟିକା ମାରୁଛି । ପଢ଼ୋଉ ପାଣି ଛୁଇଁଲାଣି । ଆନନ୍ଦରେ ଅଧୀର ହୋଇ ଉଠିଛି ପଥିକଟି । ହଲି ହଲି ପଢ଼ୋଉଟି ଭାସିଯାଉଛି । ସେ ମୁକ୍ତି ସଂଙ୍ଗୀତ ଗାଇ ଭାସି ଚାଲିବ ।

 

ରୋଗୀଟି ନିଶ୍ଚଳ ହୋଇ ଆସିଲାଣି । ଏଣିକି ଶୋଇଯିବ । ନୀରବ କକ୍ଷରେ ପ୍ରତିନୀ ପରି ବସି ରହି ସେ ସେହି ମୁହଁଟିକୁ ଅନାଇ ରହିବ । କାଲିଠାରୁ କେଡ଼େ ସୁନ୍ଦର ଦିଶୁଛି ଏଇ ମୁହଁଟି-। ଏ ମୁହଁର ଆଶା-ନୈରାଶ୍ୟଭରା ଗୋଟାଏ ଅପାଙ୍କେୟର ? ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲା ଛବି ।

 

ସଂକଳ୍ପ ନେଲାପରି ସେ ବସି ରହିଥିଲା । କେବିନ୍‍ ଭିତରେ ନିର୍ଜନତାର ଛୟା ଗମ୍ଭୀର ହୋଇ ଉଠୁଥାଏ । ପଥହରା ପକ୍ଷୀଟି ‘ସ୍କାଇଲାଇଟି’ ଦେହରେ ପିଟି ହୋଇଗଲା । ଡେଣା ଫଡ଼ ଫଡ଼ ଶବ୍ଦ ସଙ୍ଗେ ଭାସିଆସିଲା ଏକ ରୁଦ୍ଧଚିତ୍କାର । ପାଖର ପକ୍ଷୀ କେହି ପ୍ରତିଧ୍ୱନି ଦେଲେନି । ସେ ବୋଧହୁଏ ପଂକ୍ତିହୀନ, ସାଥିହରା । ଅନ୍ଧାର ରାତିର ଅଭିସାରରେ ଦିଗ ଭାଗ ହଜାଇ ଦେଇଛି । ଯନ୍ତ୍ରଣାର କ୍ଷତ ନେଇ ଫେରିଯିବ । ଅଭିମାନରେ ଫେରି ଚାଲିଯିବ ତା’ର ଅଭିସାରିକା । ରାତିର ଆକାଶ ଚଳେ କେହି କାହାକୁ ଭେଟି ପାରିବେ ନାହିଁ ।

 

ପୁଣିଥରେ ଡେଣାର ବ୍ୟସ୍ତ ଧ୍ୱନିରେ ରୋଗୀଟି ଚମକି ଉଠିଲା । ଆଉଳି ଖାଇ ଛବିର ହାତ ଦୁଇଟିକୁ ଜାବୁଡି ଧରିଲା । ଛବିର ଚିନ୍ତାସୂତ୍ର ଛିଡ଼ି ଆସିଲା । ରୋଗୀର ବକ୍ଷ ଉପରେ ହାତ ଥାପି ସେ ତାକୁ ଆଶ୍ୱାସନା ଦେଲା ।

 

ରୋଗୀଟିର ଦୃଷ୍ଟି ଅସ୍ଥିରତାରେ ପୂରି ଉଠୁଥିଲା । ଆଖି ମେଲାଇ ସେ ଛବି ଆଡ଼କୁ ଚାହିଁ ରହିଲା । କ’ଣ ଭାବିଲା ପରି ଉଦାସ ହୋଇ ଉଠିଲା ଆଖି ଦୁଇଟି । ଚକ୍ଷୁ ତାରକା ମଳିନ ହୋଇ ଆସିଲା । ଦୃଷ୍ଟି ଫେରାଇ ନେଲା ସେ ।

 

ପକ୍ଷିଣୀଟି ବିକିଳ ଭାବରେ କାନ୍ଦି ଉଠୁଥିଲା । ଆକାଶର ସାଥିକୁ ଖୋଜୁଥିଲା ସେ । ନିଦୁଆ ରାତିର ମାୟାତଳେ ଏ ଦୁଇଟି ଜୀବନ ହୁଏତ ଜାଗ୍ରତ । ଆକାଶର ଆହ୍ୱାନରେ ପାଗଳ ହୋଇ ପରସ୍ପର ପରସ୍ପରକୁ ଖୋଜି ବୁଲୁଛନ୍ତି । ନୀଡ଼ର ନିର୍ମୋକ ତେଜି ଜୀବନ ମୁକ୍ତି ଖୋଜୁଛି, ଅନ୍ଧାର ଖୋଜୁଛି ଆଲୋକ । ଏ ଆଲୋକରେ କ’ଣ ଅବସାଦ ନାହିଁ ? ଆତ୍ମବିଭୋରା ଛବି ନିଜକୁ ନିଜେ ପ୍ରଶ୍ନ କରୁଥିଲା । ତା’ର ଆଖି ଆଗରେ ଭାସି ଯାଉଥିଲା ଦିଗନ୍ତ ଯାତ୍ରୀର ସେହି ଶୂନ୍ୟତରୀଟି-। ଆନନ୍ଦ ଓ ଉତ୍ସାହରେ ନୌକାଟି ଭରିଯାଇଛି । ଆଗେଇ ଚାଲିଛି ଚକ୍ରବାଳର ଯାତ୍ରୀ-

 

ଅଥଳ ସମୁଦ୍ର, ଦିଗଭାଗ ନାହିଁ । ନିର୍ମଳ ଆକାଶରେ ଜହ୍ନଟା । ଫିକା ହୋଇ ଆସୁଛି । ତାରାଗୁଡ଼ିକ ମଳିନ ଦିଶିଲେଣି । ଆକାଶ ଆଉ ଧରଣୀର ମଳିନ ରେଖାରେ ଗୋଟିଏ ଉଜ୍ଜଳତାରୀଟି ଭାସିଯିବ ସେହି ଅଜଣା ଦିଗ୍‍ବଳୟ ଧାରକୁ ।

 

ସେ ଚିତ୍ର ପୁଣି ଓଲଟି ଯାଉଛି । ଛୋଟ ଛୋଟ ତରଙ୍ଗଟି ମାନ ବଡ଼ ତରଙ୍ଗ ଦେହରେ ମିଶି ଯାଉଛନ୍ତି । କୂଳରେ ପିଟିହୋଇ ଯାଉଛି ଭେଳା ଭେଳା ଢେଉର ସପନ । ରାତ୍ର ନିଶବ୍ଦ । ବାଟୋଇଟି ବାଲୁକା ଉପରେ ଆଗେଇ ଯାଉଛି । ନିଶୀଥର ସୟତାନ୍‍ ପରି ତୀକ୍ଷଣ ତାର ଦୃଷ୍ଟି । ସେ ଚୌଦିଗକୁ ଆଖି ତରାଟି ଚାହିଁଲା । ଏକାଧିକ ପଢ଼ୋଉ କୂଳରେ ଡେରା ହୋଇଛି । ସେଥିରୁ ଗୋଟିଏ ପାଣି ଭିତରକୁ ଠେଲି ନେଲା । ବାଲି କାଟି ନୌକାଟି ଖସି ଚାଲିଲା । ନିଜ ଶକ୍ତିରେ ନିଜେ ବିସ୍ମିତ ହେଲା ସେ ।

 

ତାରାଟି ଆଖିମିଟିକା ମାରୁଛି । ପଢ଼ୋଇ ପାଣି ଛୁଇଁଲାଣି । ଆନନ୍ଦରେ ଅଧୀର ହୋଇ ଉଠିଛି ପଥିକଟି । ହଲି ହଲି ପଢ଼ୋଉଟି ଭାସିଯାଉଛି । ସେ ମୁକ୍ତି ସଙ୍ଗୀତ ଗାଇ ଭାସି ଚାଲିବ ।

 

ନୌକାଟିକୁ ଟିକେ ଦୋହଲାଇ ଦେଇ ସେ ବସି ପଡ଼ିଲା । ନୌକା ଭାସି ଚାଲିଲା । କଳ କଳ, ଛଳ ଛଳ ସାମୁଦ୍ରିକ ସଙ୍ଗୀତ । ବେଶ୍‍ ଆରାମରେ ଭାସିଯାଉଛି ଦରିଆ ପାରିର ଯାତ୍ରୀ । ଆକାଶର ଛାଇ ପଡ଼ି ମାୟାମୋହିତ ଦିଶୁଛି ନୀଳ ସମୁଦ୍ରଟା । ଜଳଭଉଁରୀ ଓ ତରଙ୍ଗର ତାଡ଼ନା ଭିତରେ ଭାସିଯାଉଛି ତା’ର ମନୋଯାନ ତରୀ, ଧଳା ନେଳି ଦିଗ୍‍ବଳୟ ତଳକୁ ।

 

ସମୁଦ୍ରରେ ପବନ ନାହିଁ । ଶାନ୍ତ ଶିଶୁପରି ଜଳଦେବତା ଶୋଇ ରହିଛି । ଛିଟିକା ଛିଟିକା ଜଳବିନ୍ଦୁରେ ଦେହ ଆର୍ଦ୍ର ହୋଇ ଆସିଲାଣି । ସଂସାର ଛଡ଼ା ବାଟୋଇ ପାଇଁ ଅମୃତର ଏ ଛିଟିକା ସ୍ୱର୍ଗରୁ ଖସିପଡ଼ୁଛି ।

 

ଦେଖୁ ଦେଖୁ ନୌକାଟି ତା’ର ଅଟକ ଯାଉଛି ଏକ ଜଳାବର୍ତ୍ତ ମଧ୍ୟରେ । ଘୂରିବୁଲୁଛି କଳ୍ପନାର ତରୀ । ଦିଗନ୍ତଯାତ୍ରୀ ବିକ୍ଷୁବଧ ହୋଇଉଠୁଛି । ଦିଗ୍‍ବଳୟ ଯେ ବହୁଦୂରରେ । ତରଙ୍ଗ ମଥାନଚାଇ ପାଣିର ହାବୁକା ଛାଡ଼ି ଯାଉଛି । ନୌକାଟି ଟଳମଳ ହେଲାଣି । ଅସହାୟ ଦୃଷ୍ଟିରେ ପଥିକଟି ଏଣେତେଣେ ଚାହିଁ ରହିଛି ।

 

ନୌକାଟି ଓଲଟି ଆସିଲା । ବିଛିନ୍ନ ଯାତ୍ରୀଟି ଛିଟିକି ପଡ଼ିଲା ସମୁଦ୍ର ଗର୍ଭରେ । ତଳେ ଦୁଇତଳ ପାଣି ପିଇ ପୁଣି ଭାସି ଉଠିଲା । ପହଁରିଯିବାର ପ୍ରୟାସ କଲା । ମଥା ଉପରେ ନାଚି ଚାଲିଲା ତରଙ୍ଗ ଉପରେ ତରଙ୍ଗ ।

 

ଯାତ୍ରୀଟି ଊର୍ଦ୍ଧ୍ୱଶ୍ୱାସ ହୋଇ ଜଳଭାଗକୁ ବେଷ୍ଟନ କରି ବିଞ୍ଚି ରହିବାକ ଚେଷ୍ଟାକଲା । ଥରଥର ହୋଇ ଦଗାଦେଲା ଚରଳ ଜଳସ୍ତର । ତା’ର ନିଃସହାୟତାରେ ହସ ଉଠିଲା ସମୁଦ୍ରର ବିରାଟ ଦାନବ । ବଞ୍ଚିବାପାଇଁ ସଂଘର୍ଷ କରି ସେ ଦୁର୍ବଳ ହୋଇ ଆସୁଥିଲା । ଆଉ ପାରିବ ନାହିଁ । ଜଳର ଶୀତଳ ଶେଯରେ ଶୋଇରହିବ ।

 

ହଠାତ୍‍ ଏକ ଭାସମାନ ବସ୍ତୁର ସ୍ପର୍ଶରେ ସେ ଆଶାୟୀ ହୋଇ ଉଠିଲା । ସମସ୍ତ ଶକ୍ତି ଦେଇ ଜାବୁଡ଼ି ଧରିଲା ସେହି ଭାସମାନ ବସ୍ତୁଟିକୁ । ଭାସମାନ ବସ୍ତୁଟି ବାରମ୍ବାର ତା’ର ମୁଠା ଭିତରୁ ଖସି ଯାଉଥାଏ । ସେ ପୁଣି ଚେଷ୍ଟାକରି ତାକୁ ଧରି ରଖୁଥାଏ । ଏହିପରି ଆଶା-ନିରାଶା ଭିତରେ ତା’ର ଚେତା ବୁଡ଼ି ଆସିଲା । ତାପରେ ସମୁଦ୍ର ବକ୍ଷରେ ସେ କେଉଁଆଡ଼େ ଭାସି ଚାଲିଲା ଜଣାନାହିଁ । ଏହିପରି ଖାପଛଡ଼ା ଏକ ଇତିହାସ । ନିର୍ଦ୍ଦିଷ୍ଟ ରୂପରେଖ ବିହୀନ । ସତ୍ୟତା ପରୀକ୍ଷା କରିବାର ସମୟ ଆସିନି । ତେବେ ଜଳମଗ୍ନ ବ୍ୟକ୍ତିର ଇତିହାସ ଏହାଠାରୁ ଆଉ ଅଧିକ କ’ଣ ହୋଇପାରେ ? ରୋଗୀ ପ୍ରଳାପରୁ ଏତିକି ହୁଏତ ସେ ସଂଗ୍ରହ କରିଥିଲା ।

 

ରୋଗୀଟି ପୁଣି ଥରେ କରୁଣ ଦୃଷ୍ଟି ଢାଳି ଅନାଇ ରହିଲା । ଆସକ୍ତିରେ ଭୋଳ ହୋଇ ଉଠିଛି ଚକ୍ଷୁ ଦିଓଟି । ଛବି ତୃଷିତ ଦୃଷ୍ଟିରେ ଚାହିଁ ରହିଲା । ଛାତିଚଳେ ବିଜୁଳି ଖେଳିଗଲା । ରକ୍ତରେ ନିଆଁ ଛୁଟିଲା, ବହୁ ଦୂରକୁ ଧାଇଁ ଚାଲିଲା ସେ ।

 

ଆଖିରେ ଲୁହ ଆସିଲା । ଲୁହ ପୋଛି ସେ ରୋଗୀ ଆଡ଼କୁ ଅନାଇ ରହିଲା । ଅପଲକ ନେତ୍ରରେ ରୋଗୀଟି ଚାହିଁ ରହିଛି । ଚାରୋଟି ଆଖି ଏକ ରେଖାରେ ମିଳିତ ହେଲେ । ଛବି ଉତ୍‍କଣ୍ଠିତ ହୋଇ ଉଠିଲା । ରୋଗୀଟିର ପରିଚୟ ପାଇଁ ତା’ମନରେ ଉଦବେଗ ଖେଳିଗଲା । ତଥାପି ମୁହଁ ଖୋଲି ସେ କିଛିପଚାରି ପାରିଲାନାହିଁ ।

 

‘ବାଣ୍ଡେଜ୍‍’ ତଳୁ ଶୁଖିଲା କ୍ଷତଗୁଡ଼ା ରାଂପି ବିଦାରି ହେଉଛି । ଅବ୍ୟକ୍ତ ବ୍ୟଥାରେ ଶରୀରଟା ଜଳିପୋଡ଼ି ଯାଉଛି । ଟାଣି ଓଟାରି ହୋଇ ରୋଗୀଟି ଚିତ୍କାର ଉଠିଲା । ତାରକ୍ଲାନ୍ତ ସ୍ନାୟୁଗୁଡ଼ିକ ଛିନ୍ନ ହୋଇଯିବ ଯେପରି ।

 

ରୋଗୀଟିର ବ୍ୟଥିତ କଣ୍ଠରୁ କ୍ଷୀଣ ସ୍ୱରରେ ବାହାରି ଆସିଲା...ଆଃ, ଛବି... । କେବଳ ପଦୁଟିଏ ତାର ଅଜ୍ଞାତରେ ହୁଏତ କହି ହୋଇଗଲା । ବିସ୍ମିତ ହେଲା ଛବି । ଏ ଡାକରେ ଜବାବ ଦେବାକୁ ତା’ର ସାହସ ନଥିଲା ।

 

ରୁଦ୍ଧଶ୍ୱାସରେ ରୋଗୀଟିର ହୃତପିଣ୍ଡ ଦୋହଲିଗଲା । ହେଲେହେଁ ଏ ପଦଟିର ଗୁରୁତ୍ୱ ବୁଝି ପାରୁ ନଥିଲା ଛବି । ଅଜଣା ବାଟୋଇ ଆଉ ତା’ମଧ୍ୟରେ ଏ ସମ୍ୱୋଧନର କଣ ବା’ ଅର୍ଥ ଥାଇପାରେ ? ନିରର୍ଥକ ପ୍ରଳାପ କହି ଉଡ଼ାଇ ଦେଲା । ହେଲେହେଁ ମନଟା ତା’ର ସେ ନିଷ୍ପତି ଗ୍ରହଣ କରି ପାରିଲାନାହିଁ । ଅବାଧ୍ୟ ଆଖି ଦୁଇଟା ଥର ଥର କରି ରୋଗୀ ଦେହରେ ବୁଲିଆସିଲା । ଶୀର୍ଣ୍ଣଦେହର ତୋଫାନରେ ଦୋହଲି ଉଠିଲା ଧାଈ ଛବିର କରୁଣ ଅନ୍ତର । କପାଳ ଓ ଗଣ୍ଡଦେଶରେ ସ୍ୱେଦ ବିନ୍ଦୁ ଫୁଟିଉଠିଲା । ତା’ର ଫାଇଁ ଫାଇଁ ନିଃଶ୍ୱାସରେ ରୋଗୀର ଦେହ କଣ୍ଟକିତ ହୋଇଆସିଲା ।

 

ଉତ୍ତର ତଣ୍ଡ ଦେଶରେ ହାତ ବୁଲାଉ ଥିଲା ଛବି । ହାତଟି ଅବଶ ହୋଇ ଆସିଲା । ନିଶ୍ଚଳ ହାତଟିକୁ ଟାଣିଆଣି ପାରିଲାନାହିଁ । ରୋଗୀର ଓଠଟି ଫୁଲି ଉଠୁଥିଲା । ଝଡ଼ର କୁଟାଖିଅ ମୁହଁରେ ଅଗ୍ନିକଣାର ସଞ୍ଚାରକୁ ସେ ବିଶ୍ୱାସ କରିପାରିଲା ନାହିଁ ।

 

ଗଣିକା ରାତ୍ରି ବିଶ୍ୱାସ ନେଉଛି । ରକ୍ତମାଂସରୁ ବାସ୍ନାରେ ମହକି ଉଠିଛି ନିର୍ଜନ କେବିନ୍‍ଟା । ଧାଈ ଛବିର ରକ୍ତରେ ନିଆଁ ଲାଗିଛି । ନିଜ ନିଃଶ୍ୱାସରେ ନିଜେ ପୋଡ଼ିଯିବ ସେ । ଘନଘନ ହାଇମାରି ଅସ୍ୱସ୍ତି ଅନୁଭବ କଲା । ରୋଗୀଟିର ବକ୍ଷଦେଶରେ ନିଜକୁ ମିଶାଇଦେବା ପାଇଁ ମନ ଚଞ୍ଚଳ ହୋଇ ଉଠିଲା । ଝାଉଁବଣର ପଛପଟୁ ବକୁଆ ପକ୍ଷୀଟି ଡାକି ଉଠୁଛି । ସାଇଁ ସାଇଁ ନିଶା ଗର୍ଜନ ତଳେ ସସ୍ୱସ୍ତି କର ଲାଗୁଛି ତା’ର ସେ ଅସହିଷ୍ଣୁ ଡାକଟା, ଦୁର୍ବଳ ଅଙ୍ଗଲତାଟି ଢାଳି ଛବି ଶୋଇ ଆସିଲା । ବେଶ୍‍ ଆରାମ ଦେଇଛି ଜୀବନର ଏହି ଅଭିନବ ସୁପ୍ତିଟି ।

 

ରୋଗୀଟି ପୂରା ଶୋଇ ଆସି ନ ଥିଲା । ଅର୍ଦ୍ଧନିଦ୍ରା ଓ ଅର୍ଦ୍ଧଜାଗୃତି ଭିତରେ ସେ ହୁଏତ ସ୍ୱପ୍ନ ଦେଖୁଥିଲା ।

 

‘କୀର୍ତ୍ତି’ ଶଯ୍ୟା ଧରିଛି । ତମ୍ୱା ତାର ପରି ଦେହ କଳା ହୋଇଆସିଲାଣି । ଆଖି ଦୁଇଟି ମଳିନ । ମୁହଁଟି ବିଶ୍ରା । ତୁଣ୍ଡରେ କଥା ନାହିଁ । ଆଶଙ୍କାରେ ହୃଦ ଥରି ଉଠୁଛି । ଅନୁରାଗ ଫେରିଲେ ନାହିଁ । ଫେରିବାର ଆଶା ହୁଏତ ମିଛ । ବହିଯାଇଥିବା ସୁଅ ଆଉ ଫେରି ଆସେନା ।

 

ଶୋଇବା ଘରର ଝରକା ମେଲା ଅଛି । ବାଡ଼ିପଟର ଫୁଲ ବଗିଚାଟା ଦିଶି ଯାଉଚି । କେତେ ରକମର ଫୁଲ-ଫଳରେ ହସି ଉଠିଛି ଉଦ୍ୟାନଟା । ମଲ୍ଲୀ ବୁଦାଟା କଢ଼ଫୁଲରେ ନଇଁ ଆସିଲାଣି । ଛୁରିଅନା ଗନ୍ଧରେ କୋଠରୀଟା ମହକି ଉଠୁଛି । ଫୁଲଗଛରେ ଚଇତି ପବନ ଦୋଳି ଖେଳୁଛି । ଫୁଲବଧୂର ଗଣ୍ଡ ଛୁଇଁ ଉଡ଼ିଯାଉଛି ମଦୁଆ ଭଅଁର । କାହିଁକି ଏଗନ୍ଧର ମହୋତ୍ସବ ? ବୁଝି ପାରୁନଥିଲା କୀର୍ତ୍ତି । ତାହାର ରୋମ ଟାଙ୍କୁରି ଉଠିଲା । ଦଗାଦିଆ ଭଅଁରଟାର ନାଟରେ ଅତିଷ୍ଠ ହୋଇ ଉଠିଲା ସେ ।

 

ବାପା ଦିନ ଦେଇ ଦେଇ ଆସିଛନ୍ତି । ଏଥି ଭିତରେ ଅନୁ ନ ଫେରିଲେ ସେ ଅନ୍ୟ ବ୍ୟବସ୍ଥା କରିବେ । ଚୌଧୁରୀ ନୀରବରେ ସମ୍ମତି ଦେଇଛନ୍ତି । ଅନୁରାଗଙ୍କର ସଠିକ୍‍ ସମ୍ୱାଦ ପାଇନାହାନ୍ତି । କଣ୍ଟ ଗଡ଼ିଲେ ସର୍ତ୍ତ ଗଡ଼ିବ । ତାକୁ ଅନ୍ୟ ପାତ୍ରରେ ଦାନ କରି ବାପା ନିସ୍ତାର ପାଇବେ । କନ୍ୟା ଦାୟରୁ ମୁକ୍ତି ମିଳିବ ।

 

ଶୁଖିଲା ହସଟିଏ ହସିଲା କୀର୍ତ୍ତି । ଜୀବନଟା ଯେମିତି ଏକ ପଣ୍ୟ । ଯେ କୌଣସି ଗରାଖକୁ ଧରାଇ ଦେଇ ବାପ ମା’ ସନ୍ତୁଷ୍ଟ ହେବେ । ହାଟର ଗୋରୁ ଗାଈ ପରି ଜୀବନର ବିକା କିଣା ଚାଲିବ । ଏହାତରୁ ସେ ହାତ, ଏ ଘରରୁ ସେ ଘର । ପାଟି ଫିଟାଇବାର ଶକ୍ତି ନାହିଁ । ପାଳକର ମର୍ଜି ଉପରେ ଏ ଗୋଠ ଛାଡ଼ି ସେ ଗୋଠରେ ବନ୍ଧା ହେବ । ସେ ଗୋଠ ଛାଡ଼ି ପୁଣି ଆଉ ଏକ ଗୋଠ । କି ବିଚିତ୍ର ଏ ବଣିକ ବୃତ୍ତି ? ତା’ର ଛୋଟ ମନରେ ସେ କିଛି କଳ୍ପନା କରିପାରୁ ନ ଥିଲା । ଚିନ୍ତାକ୍ଲିଷ୍ଟ ମନଟା ବିଦ୍ରୋହୀ ହୋଇ ଉଠୁଥିଲା ।

 

ଶୂନ୍ୟ କୋଠରୀର ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା । ପିଲାଦିନର ବଡ଼କ୍‍ରା ଫଟୋଟି କାନ୍ଥ ଉପରୁ ଡାକ ଦେଇଛି । ବନ୍ଧନହୀନା କୀର୍ତ୍ତି ଡାକୁଛି, ବନ୍ଦିନୀ କୀର୍ତ୍ତ ସାଥିରେ ଖେଳିବ । ଆହ୍ୱାନର ଅର୍ଥ କ’ଣ ? ଯୁବତୀ କୀର୍ତ୍ତୀ, ବାଳୁତ କୀର୍ତ୍ତି ସଙ୍ଗରେ ଖେଳି ପାରିବ ନାହିଁ । ତା’ର ସମାଜ ଅଛି, ବୁନିୟାଦି ଅଛି, ବୟସର ଦାୟିତ୍ୱ ବୁଝିଛି ସେ । ଇଚ୍ଛା ଥିଲେ ମଧ୍ୟ ସେ ଖେଳି ପାରିବ ନାହିଁ । ତା’ର ହାତଗୋଡ଼ ଲୁହାର ଶିକୁଳିରେ ବନ୍ଧା ।

 

ରୋଗିଣୀ କୀର୍ତ୍ତିର ସାଦା ଆଖି ଉଜ୍ୱଳ ହୋଇ ଉଠୁଥିଲା । ସେ ମୁଗ୍‍ଧ ଭାବରେ ଚାହିଁ ରହିଥିଲା ତାର ପିଲାଦିନର ଫଟୋଟିକୁ । ସତେ, କେଡ଼େ ମୁକ୍ତ ଆଉ ଜୀବନ୍ତ ଏଇ ଚିତ୍ରଟା ? ହାତ ଗୋଡ଼ ହଲାଇ ଖେଳି ଉଠୁଛି । ତାର ସ୍ୱାତନ୍ତ୍ର ଅଛି, ଅଭିରୁଚି ଅଛି । ଯୁଗ ଯୁଗ ଧରି ସେ ଖେଳି ଚାଲିବ । ଯୁବତୀ କୀର୍ତ୍ତି ବୁଢ଼ୀ ହେବ । ଅଜଣା ଦେଶର ପାଣି ପବନରେ ମିଶିଯିବ ତାର ମାଟିର ଏଇ ଦେହଟା । କିନ୍ତୁ ଏ ଚିତ୍ରଟାର ମୃତ୍ୟନାହିଁ । ସେ ଚିରକୁମାରୀ, ଲାବଣୀ ପିତୁଳା । ତା’ ସଙ୍ଗରେ କି ପ୍ରତିଯୋଗିତା କରିବ ସେ ?

 

ଅସହାୟ ଦୃଷ୍ଟିରେ ଚାହିଁ ରହିଥିଲା କୀର୍ତ୍ତି । କୁଳୀନତାର ଗଜା ତଳୁ କାନ୍ଦି ଉଠୁଥିଲା ତାର ମୁକ୍ତି ପିଆସୀ ଆତ୍ମା । ଏ କାନ୍ଦଣାର ଯେପରି ଶେଷ ନାହିଁ । ମୃତ୍ୟୁ ଗର୍ଭରେ ହୁଏତ ନିଷ୍କୃତ ମିଳନ୍ତା ।

ହସି ହସି ମୃତ୍ୟୁ ଡାକି ପାରୁନି ସେ । କିପରି ଏକ ଦ୍ୱିଧାରେ ଅସ୍ଥିର ହୋଇ ଉଠୁଛି ପ୍ରାଣ-। କି ସୁନ୍ଦର ଧରଣୀ, କି ସୁନ୍ଦର ଚାନ୍ଦ ! ମୃତ୍ୟୁଟା କଣ ସତେ ଏହା ଠାରୁ ସୁନ୍ଦରତର-?

ମୃତ୍ୟୁର କଳା ଛାଇଟା ତା’ ଆଖି ଆଗରେ ନାଚିଗଲା । ଭୟରେ ଶେତା ହୋଇ ଆସିଲା କୀର୍ତ୍ତି । ମରି ପାରିବାର ସାହସ ନାହିଁ ତା’ର । ନର୍କଟା ବେଶ୍‍ ଆରାମ ଦାୟକ । ଘାଣ୍ଟି ହେବାରେ କମ୍‍ ଆନନ୍ଦ ନାହିଁ । ଘାଣ୍ଟି ହେବ ପଛେ, ମରିବ ନାହିଁ ସେ ।

କାନ୍ଥର ଚିତ୍ର ପଟାଟା ଅସହଣି ହୋଇ ଉଠୁଛି । ମୃତ୍ୟୁହୀନ ଜୀବନଟା ତା’ପକ୍ଷେ ଦୁର୍ବଳ-। ମରଣ ମୁହଁରେ ଜୀବନର ସୁଆଦ ସତେ କ’ଣ ଏତେ ବେଶି ? କାନ୍ଥର କୀର୍ତ୍ତି ପ୍ରଶ୍ନ କରୁଥିଲା-। ଉତ୍ତର ଦେଉଥିଲା ରକ୍ତମାଂସର କୀର୍ତ୍ତିଦା ।

ବଗିଚାରେ ଫୁଲଗନ୍ଧରେ ତା’ର ଧ୍ୟାନ ଭାଙ୍ଗି ଆସିଲା । ସେ ପୁଣି ଥରେ ବଗିଚା ଉପରେ ଦୃଷ୍ଟି ଖେଳାଇ ଆସିଲା ।

ଦିଆଲ ପାଖର ସପେଟା ଗଛତଳେ ପୁଷି ବିଲେଇ ଗୋଡ଼ ମେଲାଇ ପଡ଼ି ରହିଛି । ଗଛ ଫାଙ୍କରୁ ମେଞ୍ଚା ମେଞ୍ଚା ଆଲୁଅ ତା’ ପେଟ ଉପରେ ଖେଳେଇ ହୋଇ ପଡ଼ୁଛି । ଶ୍ୱାସ ପ୍ରଶ୍ୱାସରେ ଫୁଲିଉଠି ପୁଣି କମି ଯାଉଛି । ଆଖି ବୁଜି ନିଦ ଯାଉଛି ପୁଷି ।

ପକ୍ଷୀର ଡେଣା ଖଡ଼ ଖଡ଼ ଶବ୍ଦରେ ସେ ଆଖି ମେଲିଲା । ତା’ର ପାଣିଚିଆ ଆଖିରେ ଟିକି ଟିକି ହୋଇ ଫୁଟି ଉଠିଲା ଗଛପତ୍ର ଓ ଖଣ୍ଡ ଖଣ୍ଡ ଆକାଶର ଛାଇ । ଆଗଗୋଡ଼ ଦୁଇଟି ପ୍ରସାରିତ କରି ସେ ସାରିଭିଡ଼ି ହେଲା । ପୁଣି ଶୋଇ ରହିଲା । ପିଠି ପାଖରୁ ଘା’ଦେହରେ ପିମ୍ପୁଡ଼ି କେଇଟି ଲାଗି ଆସୁଥାଆନ୍ତି । ନଖଦାନ୍ତରେ ରାମ୍ପି ଝାମ୍ପି ସେ ସେମାନଙ୍କୁ ଘଉଡାଇ ଦେଲା । ଦରମରା ପିମ୍ପୁଡ଼ି କେଇଟି ଛାଡ଼ିବାକୁ ନାରାଜ । କାମୁଡି ବିଦାରୀ ହେଇଥାଏ ବୁଢ଼ୀ ପୁଷି ବିରାଡ଼ି । ଚାରି ଚାରିଟା ଛୁଆ ଦୁଧ ଖାଇବା ପାଇଁ ତା’ଦେହରେ ଲାଗି ଗଲେଣି । ମୁଣ୍ଡିଆ ମାରି ରକ୍ତ ଶୋଷିବାରେ ଲାଗିଛନ୍ତି । ଆପତ୍ତି ନ କରି ପୁଷି ପଡ଼ି ରହିଛି ।

ଛଟ ଛଟ ହୋଇ ଝିଣ୍ଟିକା କେଇଟି ତା’ ଆଗରେ ଡେଇଁ ଚାଲିଲେ । ଛୁଆମାନେ ରନ୍ଥି ହେଉଛନ୍ତି । ସେମାନଙ୍କୁ ନାତ ଛାଡ଼ି ସେଗୁଡ଼ିକ ଝାଂପି ନେବାପାଇଁ ସେ ଆଗେଇ ଚାଲିଲା । କୁଆଡ଼େ ଥିଲା, ମ୍ୟାଉଁ ମ୍ୟାଉଁ କରି ଛୁଟି ଆସିଲା ଭୁଆଁ ବିରାଡ଼ିଟା । ଲାଞ୍ଜ ପିଟି ପୁଷି ଦେହରେ ଘସିହେଲା । ବୁଢ଼ୀ ପୁଷିର ପାଣିଚିଆ ଆଖିଟା ଉଜ୍ଜଳ ହୋଇ ଉଠିଲା । ସାରିଭିଡ଼ି ହୋଇ ସେ ନିର୍ବିବାଦରେ ଭୁଆଁ ପାଖରେ ଶୋଇ ରହିଲା । ଛୁଆଗୁଡ଼ାକ ପାଖରେ ନହର ପହର ହେଉଥାଆନ୍ତି-

ଆଉ ଗୋଟିଏ ମାଈ ବିରାଡ଼ିର ଶବ୍ଦ ଶୁଭିଲା । ପାଗଳପରି କୁଦି ପଡ଼ିଲା ଭୁଆଁଟା । କେଉଁଠି ବଣବୁଦା ଭିତରେ ଲୁଚିଗଲା । କୀର୍ତ୍ତିର ଆଖି ମାଡ଼ି ମାଡ଼ି ଆସୁଛି । ଦେହପା’ ବିନ୍ଧି ଆସିଲାଣି । ଦେହର ରକ୍ତଗୁଡ଼ା ମଥା ଭିତରୁକୁ ଚରିଯାଉଛି । ସେ ଶୋଇ ରହିବାକୁ ଚେଷ୍ଟାକଲା । ଯନ୍ତ୍ରଣାରେ ମସ୍ତକଟା ଭାରୀ ହୋଇ ଉଠୁଥାଏ । ସେ ଶୋଇ ପାରିଲା ନାହିଁ । ଆଖି ଦେଇ ନିଆଁର ଧାସ ବାହାରିଗଲା ।

 

କେତେବେଳ ପରେ ‘କୁନି’ ‘କୁନି’ ଡାକି ବୋଉ ପଶି ଆସିଲେ । ବୋଉଙ୍କୁ ଦେଖି ସେ ଉଠି ବସିଲା । ହସିବାର ଉପକ୍ରମ କରି ପଚାରି ଉଠିଲା, କ’ଣ ବୋଉ ?

 

ନା, କିଛିନାହିଁ, ଦୀର୍ଘଶ୍ୱାସଟିଏ ଟାଣି ସେ ବସି ପଡ଼ିଲେ । ମଲା ମଣିଷର ମୁଖପରି ନିସ୍ତେଜ ହୋଇଆସିଲା କୀର୍ତ୍ତିଦାର ମୁଖମଣ୍ଡଳ । ଅମାନିଆ ଲୁହକୁ ସେ ଚପାଇ ରଖିଲା । ନଚେତ୍‍ ସେ କାନ୍ଦି ପକାଇ ଥାଆନ୍ତା ।

 

କୀର୍ତ୍ତିଦାର ପିଠିରେ ହାତ ବୁଳାଇ ବୋଉ ବୋଧ ଦେଲେ ଛି’ ମା, ଝୁରି ଝୁରି କଣ୍ଟା ହେଲୁଣି । ମୋ’ରାଣ, ଆଉ ଚିନ୍ତା କରନା । ଅନୁ’ ମୋର ଫେରି ଆସିବ ଯେ । ଦିଅଁ ଦେବତା କ’ଣ ଏଡ଼େ ନିଦାରୁଣ ହେବେ ?

 

ଲାଜରେ ଗୋଟାପଣ ଝାଉଁଳି ପଡ଼ିଲା କୀର୍ତ୍ତି । ବୋଉଙ୍କର ଏ ପ୍ରଶ୍ନର ଉତ୍ତର ଦେବାକୁ ତା’ର ତୁଣ୍ଡ ଲେଉଟିଲା ନାହିଁ । ନ ହେଲେ ସେ ଉତ୍ତର ଦେଇ ଥାଆନ୍ତା, ନିଦାରୁଣ ହେବାରୁ ତ ସେ ଦେବତା । ମଣିଷ ଆଉ ଦେବତା ଭିତରେ ତଫାତ ହୁଏତ ଏତିକି ।

 

ଚମତ୍କାର ଯୁକ୍ତି ! ନିଜ ଯୁକ୍ତିରେ ନିଜେ ପ୍ରତିଷ୍ଠା ଥିଲା କୀର୍ତ୍ତିଦା । ହେଲେ ହେଁ ଯୁକ୍ତିରେ କ’ଣ ସବୁକଥାର ସମାଧାନ ହୁଏ ?

 

ନୋଳିଆମାନଙ୍କଠାରୁ ଜଳମଗ୍ନ ବ୍ୟକ୍ତିର ଅଚେତ ଦେହଟିକୁ ଉଦ୍ଧାର କରିବାପରେ ଛବି ତା’ର ଦାୟିତ୍ୱ ନେଇ ସଜାଗ ହୋଇ ଉଠିଥିଲା । ରୋଗୀଟିର ପରିଚୟ ସେତେବେଳେ ସେ ପାଇପାରି ନ ଥିଲା ବା ସେଥିପାଇଁ ସେ କୌତୁହଳୀ ହୋଇନଥିଲା । ରୋଗୀଟିକୁ କେବିନରେ ଭର୍ତ୍ତି କରିବାପାଇଁ ସେ ବହୁତ କଷ୍ଟସ୍ୱୀକାର କରିଛି । କିରଣ ବାବୁଙ୍କ ସୁପାରିଶ୍‍ ପାଇ ନ ଥିଲେ ତା’ର ଆଶା ହୁଏତ ନିରାଶରେ ପରିଣତ ହୋଇଥାଆନ୍ତା ।

 

ରୋଗୀଟି ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ । ପୂର୍ବ ଅବସ୍ଥା ଫେରି ଆସିଲାଣି । ଶେଯରେ ପଡ଼ି ଦୁର୍ଘଟଣାର ଇତିହାସ ଗାଇଯାଉଛି । ଛବିର ଅନୁମାନ ପ୍ରାୟ ଠିକ୍‍ । ଘଟଣାର ଚିତ୍ରଟା ତା’ର କଳ୍ପନା ଅନୁରୂପ । ତଥାପି ରୋଗୀଟିର ନାଁ’ ପଚାରି ସେ ଅତିଷ୍ଠ ହେଲାଣି । ଯେତେ ପଚାରିଲେ ମଧ୍ୟ ରୋଗୀଟି ନିଃସଙ୍କୋଚ ଭାବରେ ତା’ର ପରିଚୟ ଦେଇପାରେନା । ପାଟି ଖନି ବାଜି ଆସେ । ଥଙ୍ଗେଇ ଥଙ୍ଗଇ ଉତ୍ତର ଦିଏ । ଗଳାଟା କିଏ ଯେପରି ଚିପି ଧରେ । ସନ୍ଦେହମିଶା ଚାହାଣିରେ ସେ ଛବିକୁ ଅନେଇ ରହେ ।

 

ଏ ଚାହାଣୀର ଅର୍ଥ କିଛି ବୁଝିପାରେନା ଛବି । କୃତଘ୍ନ ରୋଗୀଟା ପ୍ରତି ତା’ର ଘୃଣା ଆସେ । ସେହି ମୁହୂର୍ତ୍ତରେ କେବିନ୍‍ ଛାଡ଼ି ଚାଲି ଯିବାକୁ ଇଚ୍ଛା କରେ । ମିନତି କଲା ପରି ଚାହିଁରହେ ରୋଗୀଟି । ତା’ର ଅକ୍ଷମତାରେ ଛବିର ଦୟା ଆସେ । ସେ ଯାଇ ପାରେନା ପାଦ ଦୁଇଟି ଅଟକି ଯାଏ ।

 

ରୋଗୀର ନିର୍ମଳ ଆଖି ଦୁଉଟି ଗୋଳିଆ ହୋଇଉଠେ । କଣ କହିବା କହିବା ହୋଇ ସେ କିଛି କହିପାରେନା । କେବିନ୍‍ର ଚାରିକୋଣକୁ ଚାହିଁ ରହେ । କୃତଜ୍ଞତାରେ ଭାସିଉଠେ ଆଖିଦୁଇଟି । ଘନ ଘନ ନିଃଶ୍ୱାସ ଛାଡ଼େ ।

 

କାଲି ହୁଏତ ସେ ଏ ନିଡ଼ ଛାଡିବ । ଏହିପରି ଅନେକ ଆସନ୍ତି, ଅନେକ ଏପରି ଛାଡ଼ି ଯିବାର କି ଦୁଃଖ ?

 

ହସିଦେଇ କରିଣବାବୁ ଚାଲିଗଲେ । ଛବିର ସାଫଲ୍ୟ ପାଇ ତାଙ୍କର ଆନନ୍ଦ । ତଥାପି ଏ ସାଫଲ୍ୟର ଅର୍ଥ କଣ ସେ ବୁଝୁଥିଲା । ସାଫଲ୍ୟର ଢେଉ ଭିତରେ ଖେଳୁ ଖେଳୁ ସେ ଆତ୍ମସ୍ଥ ହେଲା । ନିଜର ଦୁଃଖ କେଉଁଠି ବୁଝିବାକୁ ଚେଷ୍ଟାକଲା ।

 

ବାଟୋଇକୁ ଦୋଷ ଦେଇ ଲାଭ କ’ଣ ? ନିଜ ଦୁଃଖପାଇଁ ସେ ନିଜେ ନିଜେ ଦାୟୀ । ହୁଏତ ସେ ଏକ ପ୍ରହେଳିକା । ମାୟାର ଜାଲ ବିଛାଇ ରୋଗୀଟି ସହିତ ଖେଳି ଚାଲିଥିଲା । ଜୀବନ ମୋହରେ ନିରୀହ ପଥିକଟି ତା’ ନିକଟରେ ଆତ୍ମ ସମର୍ପଣ କରିଥିଲା ।

 

ଖେଳ ଭାଙ୍ଗିଛି । ରାତ୍ରିର ନିଃସହାୟ ପକ୍ଷୀ ମନ ଭିତରେ ଡେଣାପିଟି ଯାଉଛି। ଆକାଶ ଭେଦାଇ ଭାସି ଆସୁଛି ଚିତ୍କାର । ପକ୍ଷିଣୀଟି ହୁଏତ ଖୋଜି ଖୋଜି ଆସିବ । ଆକାଶର ସାଥିକୁ ନପାଇ କାନ୍ଦି ଉଠିବ । ତଥାପି ଗଡ଼ି ଚାଲିଥିବ ଲୁହଲହୁର ଯେପରି ୟାର ଶେଷ ନାହିଁ ।

 

ନିଷ୍ପତ୍ତିରେ ପହଞ୍ଚି ପାରୁନଥିଲା ଛବି । ବସାକୁ ଯିବାପାଇଁ ସେ ଉଠି ପଡ଼ିଲା । ପିଚୁରାସ୍ତା ଉପରେ ଆଗକୁ ଗୋଡ଼ ମେଲାଇ ଦେଲା । ପଥପାର୍ଶର ଝାଉଁ ଓ ଦେବଦାରୁ ବଣ ପଛକୁ ଘୁଞ୍ଚି ଘୁଞ୍ଚି ଯାଉଛି । ଗଛ ଉପରେ ଚରିବୁଲୁଛି ପୁଳା ପୁଳା ଆକାଶ ।

 

ମୁଣ୍ଡଉପର ଦେଇ ପକ୍ଷୀଟିଏ ଉଡ଼ିଗଲା । କଅଁଳ ପରର ଶୀତ ପବନରେ ଦେହ ଉଲୁସି ଉଠିଲା । ସେ ଚାଲିଛି । ପକ୍ଷୀଟି ଆଗେ ଆଗେ ଉଡ଼ିଯାଉଛି । ମେଞ୍ଚି ମେଞ୍ଚି ଆକାଶ ବଉଦରେ ସେ ଲୁଚି ଆସିଲା । ଛବି ଆଖି ଫେରାଇ ଆଣିଲା । ବସା ଅନେକ ଦୂରରେ, ଅଳ୍ପବାଟ ଆସିଛି ସେ-

 

ସିମି ବୁଢ଼ୀ ଅସହିଷ୍ଣୁ ହୋଇପଡ଼ୁଛି । ଦିନକୁ ଦିନ ଅତିଷ୍ଠ ହୋଇ ଉଠୁଛି ତା’ର ସ୍ପର୍ଶକତରତା । ସେ ଆସିବାବେଳେ ତାର କୁଡ଼ିଆଦ୍ୱାର ଖୋଲାଥିଲା । ପାତଳ ଅନ୍ଧକାର ଭିତରେ ଦୃଷ୍ଟିଟି ଜଳି ଉଠୁଥିଲା । ସେ ଦୃଷ୍ଟି ସିମି ବୁଢ଼ୀର, ଏଥିରେ ସନ୍ଦେହ ନାହିଁ । ତଥାପି ସ୍ନେହାତୁର ଚକ୍ଷୁ ଦୁଇଟି ତାକୁ ସଙ୍ଖୋଳିବା ପାଇଁ ଧାଇଁ ଆସିଲାନି ।

 

ଅନ୍ଧାର ଭିତରେ ସେ ହୁଏତ ବାରି ପାରି ନ ଥିବ । କେଇ ଦିନର ଅନୁପସ୍ଥିତିଟା ତା’ପକ୍ଷେ ଅସହ୍ୟ ହୋଇ ଉଠିଥିବ । ସେ ତା’ର କଥା ରଖିନି । ବାହା ହେବାକୁ ସମ୍ମତି ଦେଇନି । ଏ ଅସମ୍ମତିର କ’ଣ ବ୍ୟଥିତ ହୋଇ ନଥିବ ସେ ?

 

ସିମି ବୁଢ଼ୀ ଅସହିଷ୍ଣୁ । ସମସ୍ତ ସ୍ନେହ ସତ୍ତ୍ୱେ ସେ ତା’ର ଅସହିଷ୍ଣୁତାକୁ ମାନିନେଇ ପାରିବନି । ନିଜ ରାହା ନିଜେ ଫଟାଇବ ତା’ପାଇଁ ତା’ର ଚିନ୍ତା କାହିଁକି ?

 

ହାତେ ହାତେ ଚା’ଟିକେ କରିନେଲା ସେ । ସିମି ବୁଢ଼ୀ ପାଇ ଭାବନା ନାହିଁ । କପରେ ଢାଳି ପିଇବାକୁ ଲାଗିଲା ।

 

ଚା’ଟା ପିତା ଲାଗୁଛି । ସିମିବୁଢ଼ୀ କିସୁନ୍ଦର ଚା’ ତିଆରି କରେ । ନୀରବ ପ୍ରତିମାଟିପରି ଚା’କପ୍‍ ଧରି ପାଖରେ ଠିଆହୋଇ ରହେ । ଘଡ଼ି ଘଡ଼ି ଧରି ଠିଆ କରାଇଲେ ମଧ୍ୟ ବିରକ୍ତି ନାହିଁ । କପ୍‍ଟିକୁ ଓଠରେ ଲଗାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରେ । ଚୁମ୍ୱକଟିଏ ନେବା ପରେ ପଚାରିଉଠେ, କିମିତି ହୋଇଚି ମା’ ?

 

‘ଭଲ ଅଛି’, ଶୁଣିବାପରେ ସେ ଆଶ୍ୱସ୍ତା ହୁଏ । ମୁଣ୍ଡ ଉପରୁ ଶକ୍ତ ବୋଝଟା ଓହ୍ଲାଇ ଦେଲାପରି ଅନୁଭବ କରେ ।

 

ବାହାରେ ପବନର ସନ୍‍ ସନ୍‍ ଶବ୍ଦ ଶୁଭି ଯାଉଛି । ପାଦ ଗଣି ଗଣି ସିମି ବୁଢ଼ୀ ଆସିବ । ଅଭିମାନରେ କଥା କହିବନି । କୋଳରେ ମୁଣ୍ଡ ଗୁଞ୍ଜିଦେଲେ ସବୁ ଭୁଲିଯିବ । ଦେହ ମୁଣ୍ଡରେ ହାତ ବୁଲାଇ ଆଣି ବିସ୍ମୟରେ ଆଖି ଖୋଷିଦେବ । ‘ଦି’ଦିନରେ କେତେ ଶୁଖି ଗଲାଣି ସେ ? ଏକଲା ଜୀବନଟା ତାକୁ ପରାସ ଦେବ । ରହି ରହି ସେ ପଚାରିବ, କେତେଦିନ ଏପରି ଏକୁଟିଆ ରହିବୁ ମା-? ନିହାତି ମାମୁଲି କଥା । ଏହାର କ’ଣ ମାନେ ଅଛି ।

 

ନିର୍ଜନ ଘରଟା ଟାଣି ଟାଣି ନିଃଶ୍ୱାସ ନେଉଛି । ବିଛଣା ମେଲାଇ ସେ ଶୋଇଯିବ । ଦରଜା ଖୋଲା ଥାଉ । ସମୁଦ୍ର-ପବନଟା ବେଶ୍‍ ଆରାମ ଦେଉଛି ।

 

ଘୁଙ୍ଗୁଡ଼ି ମାରି ଛବି ଶୋଇ ଆସିଲା । ଶିରି ଶିରି ପବନଟା ତା’ ଦେହଛୁଇଁ ଯାଉଥାଏ । ନିଦରେ ଶିହରି ଉଠୁଥାଏ କ୍ଳାନ୍ତ ଦେହଟା ।

 

ବିଛଣାଟି ବେଶ୍‍ ନରମ ଲାଗୁଛି । ସେ ନିଘୋଡ଼ ନିଦରେ ଶୋଇଯିବ । ରାତିଟି ପାଇଁ ଡିଉଟି ନାହିଁ । କେଇଘଣ୍ଟା ଅନ୍ତତଃ ସେ ମୁକ୍ତ ।

 

ରାତିଟି କିପରି ପାହିଛି, ସେ ଜାଣେନା । ସକାଳର କଅଁଳ କିରଣରେ ନିଦ ଭାଙ୍ଗିଲା । ଆଖି ମଳି ମଳି ସେ ଘରର ଚୌଦିଗକୁ ଚାହିଁ ରହିଲା । ସେଇ ପୁରୁଣା ଆସ୍‍ବାବ । କିଛି ନୂଆ ନାହିଁ-। କାନ୍ଥ ଉପରେ ଟଙ୍ଗା ନୂଆ କାଲେଣ୍ଡରର ପୁରୁଣା ପୃଷ୍ଠାଟି ଓଲଟି ପଡ଼ିଛି । କୁଲୁକୁଲିଆ ସମୁଦ୍ର ପବନରେ ଦେହଟା ଟିକେ ଶୀତେଇ ଆସୁଛି । ଉଠିବାକୁ ମନ ହେଉନି । ଶୋଇ ରହିବ-

 

ମେହେନ୍ତରଟା ଝାଡ଼ୁ ଖରଖର କରି ବସା ଆଗ ଓଳେଇ ନେଉଛି । ପେଁ ପାଁ ଶବ୍ଦରେ କାନ ଅତଡ଼ା ପକାଇ ରିକ୍‍ସାଗୁଡ଼ିକ ଷ୍ଟେସନ୍‍ ଆଡ଼କୁ ଧାଇଁଛନ୍ତି । ସେ ଆଉ ଶୋଇ ପାରିବ ନାହିଁ ।

 

ଘୋଡ଼େଇ ହୋଇ ବିଛଣା ଉପରେ ବସି ରହିଲା ଛବି । ଦୂରରୁ ‘ପ୍ରୀତି’ ଭଳି କିଏ ବସା ଆଡ଼କୁ ମୋହିଁଚି । ନିରୀକ୍ଷଣ କଲା ଛବି । ଆରେ ପ୍ରୀତି ତ । ସକାଳୁ ସକାଳୁ ପୋଡ଼ା ମୁହୀଁଟା ତା’ ବସା ଆଡ଼େ କାହିଁକି ? ମିଛି ମିଛିକା ନିଦ ଗଲା ସେ ।

 

‘ଦିଦି’, ‘ଦିଦି’, ମୋଟା ଗଳାରେ ଡାକ ଛାଡ଼ିଲା ପ୍ରୀତି । କିଛି ଜବାବ ନାହିଁ । ପୁଣି ଥରେ ସ୍ୱର ବଢ଼ାଇ ଚାଲିଲା । ଫେଁ’ ଫେଁ ହୋଇ ହସି ଉଠିଲା ଛବି । ପ୍ରୀତି ଜାଣିଲା ସେ ମିଛ ମିଛିକା ନିଦ ଯାଇଛି । ଆଉ ଡାକହାକ ନକରି ସେ ତା’ର ଶେଯପାଖକୁ ମାଡ଼ିଗଲା । ଗାଲଦୁଇଟି ଟିପିଦେଇ ମନ୍ତବ୍ୟ ଦେଲା, ଏତେ ଛୋପରୀ ଲୋ ତୁ ।

 

ଛବି ଉଠି ପଡ଼ିଲା । ହଠାତ୍‍ ହସହସ ମୁହଁଟା ପାଉଁଶିଆ ପଡ଼ି ଆସିଲା । ପ୍ରୀତିର ଆଗମନରେ ସେ ଆଦୌ ଖୁସି ହୋଇ ପାରିଲା ନାହିଁ । ଆସିବାର କାରଣଟା ବି’ ପଚାରି ପାରୁନଥାଏ । କ’ଣ ଭାବିବ ପ୍ରୀତି ? ସାଙ୍ଗ ସାଥି ବୋଲି ବୁଲି ଆସିଛି ।

 

ଚା’ କରିବାକୁ ସଜହେଲା ଛବି । ପ୍ରୀତି ତାକୁ ଅଟକାଇ ରଖିଲା । ‘ଥାଉ, ତୋ ପରିତ ଆଉ ସାଇବଣୀ ନୁହେଁ ମୁଁ’ ହସି ହସି କହି ଚାଲିଥିଲା ପ୍ରୀତି । ଗଳାଟା ତା’ର ଥରି ଉଠୁଥିଲା । ସତେ ଯେପରି ତା’ର ମନ କଥାଟା ସେ କହି ପକାଉଛି । ତା’ଠାରୁ ସେ କେଉଁ ଗୁଣରେ ଊଣା ? ବୁଝି ପାରୁନଥିଲା ଛବି । ଇଚ୍ଛା ହେଉଥିଲା ପଚାରନ୍ତା, ତୋର ପୁଣି କେଉଁଥିରେ ଅଭାବ ? ତୁ କ’ଣ ମୋରି ପରି ଦୁଃଖୀ । ପଚାରି ପାରିଲା ନାହିଁ । ତା, କଥାରେ ତାକୁ ସନ୍ତୁଷ୍ଟ ରହିବାକୁ ହେଲା ।

 

କ’ଣ ମନେ ପକାଇଲା ପରି ପ୍ରୀତି ପୁଣି କହି ଉଠିଲା, ହଁ’ ଗଲାବେଳେ ତୋ’ ସାଇବ ତୋତେ ଭାରୀ ଖୋଜୁଥିଲେ ।

 

ତା ସାଇବ ? ଅଜଣା ଭୟରେ ଦେହଟା କମ୍ପି ଉଠିଲା । ଛାତିତଳେ ପବନ ଗୁଡ଼ା ଯେପରି ଗଣ୍ଠିହୋଇ ଆସୁଥାଏ । ମୁହଁଠାରୁ ଗୋଡ଼ଯାଏ ଶୁଖି ଆସୁଥିଲା ସେ । ମନ ହେଉଥାଏ ପ୍ରୀତିକୁ କହିବ, ତୁ ଏଘର ଛାଡ଼ି ଶୀଘ୍ର ବାହାରିଯା । ସକାଳର ଏ ଗଳଗ୍ରହଟାକୁ ପାଖରେ ବସାଇ ସେ ତା’ର ଘାଉଲମନରେ ଲୁଣଛିଟା ମାଡ଼ି ପାରିବ ନାହିଁ । ସମୁଦ୍ରକୂଳରେ ହାଓ୍ୟା ଖାଇବାର ବାହାନା ନେଇ ସେ ବୋଧହୁଏ ତା’ର ମନକୁ କ୍ଷତ ବିକ୍ଷତ କରିବାକୁ ଧାଇଁ ଆସିଥିଲା ।

 

ଚକ୍ଷୁକୋଣରେ ଘୃଣାକୁ ପ୍ରଚ୍ଛନ୍ନ କରି ସେ ପଚାରିଲା, ମୋ ସାଇବ ? ସେ ପୁଣି କିଏ ?

 

ହଁ ରାତି ରାତି ଜଗି ଯାହାଙ୍କ ଜୀବନ ଫେରାଇ ଆଣିଛୁ । ନାଁ’ଟା ତାଙ୍କର ଅନୁରାଗ ଚୌଧୁରୀ ନା’କଣ–ସ୍ମରଣ କଲା ପରି କହୁଥିଲା ପ୍ରୀତି ।

 

ଛାତିଉପରୁ ପାଷାଣ ଚାପାଟା ଖସିଆସିଲା । ପ୍ରୀତି ଉପରେ ତା’ର ଆକ୍ରୋଶ ନଥିଲା । ମନ ଭିତରକୁ ଆଣିଥିବା ଦୁଇଟି ମାୟାମୟୀ ରାତ୍ରୀର ଚିତ୍ର ସେ ପୂରାପୂରି ପାସୋରି ପକାଇଲା । ପ୍ରୀତି ହୁଏତ ସେ ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ । ସାଧାରଣ କଥା ସେ କହୁଥିଲା । ଉକ୍ତିରେ ପରିହାସ ଥିଲେ ବି’ ଛବିର ମର୍ମସ୍ଥଳକୁ ପୀଡ଼ା ଦେବାରେ ଉପାଦାନ ନଥିଲା ସେଥିରେ । ଦୁର୍ବଳ ମନର ଆଶଙ୍କା ନେଇ ସେ କେତେବାଟ ଆଗେଇ ଯାଇଛି ?

 

ଅନୁରାଗ ? ବିସ୍ମୟରେ ପ୍ରଶ୍ନ କଲା ଛବି । ପ୍ରୀତି ଏଥର ହସି ଉଠିଲା । ତା’ର ମାମୁଲି ପରିହାସର ଏପରି କିଛି ଅର୍ଥ ଥିବ ବୋଲି ସେ କଳ୍ପନା କରି ପାରିନଥିଲା । ଛବିର ଉଦବେଗରେ ତା’ର କୌତୁହଳ ବଢ଼ିଚାଲିଲା । ସେ ମଜା ଦେଖିବା ପାଇଁ ପଦଟିଲ ଯୋଡ଼ି ଦେଲା, ହଁ ’ ଅନୁରାଗ ଚୌଧୁରୀ । ଆଉ ଗୋଟେ ଇମ୍‍ରଜେନ୍ସି କେସ୍‍ ଯୋଗୁ କାଲିସନ୍ଧ୍ୟାବେଳେ ଡିସ୍‍ଚାର୍ଯ ହୋଇଗଲେ-। ଗଲାବେଳେ ତୋତେ ଭାରୀ ଖୋଜୁଥିଲେ, କହିଗଲେ, ଛବିଦେଈଙ୍କି ମୋର ସ୍ନେହ ନେବ-

 

ତଟସ୍ଥ ହୋଇ ବସିରହିଲା ଛବି । ମନର ଭାବ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତା’ର ଅସ୍ଥିରତା ପ୍ରୀତି ଏଡ଼ାଇ ପାରିଲା ନାହିଁ ।

 

ଯିବାକୁ ଗୋଡ଼ ବଢ଼ାଇଲା ପ୍ରୀତି । ‘ଆଉ ଟିକେ ରହ’ ବୋଲି ସେ କହିପାରିଲା ନାହିଁ । ଅନ୍ୟମନସ୍କ ଭାବରେ ଦ୍ୱାର ପର୍ଯ୍ୟନ୍ତ ଯାଇ ବଳାଇ ଦେଲା ।

 

ନମସ୍କାର କରି ପ୍ରୀତି ରାସ୍ତାଉପରକୁ ଉଠିଲା । ସେ ଫେରିପଡ଼ି ଗୁମ୍‍ ଖାଇଲା ପରି ଖଟ ଉପରେ ବସିପଡ଼ିଲା । ଚିଁ, ଚିଁ, ଶବ୍ଦକରି ଚେମଣିଆ ଗୁଡ଼ିକ ଏ କାନ୍ଥରୁ ସେ କାନ୍ଥ ଉଡ଼ି ବୁଲୁଥାଆନ୍ତି ।

 

ଖଟତଳୁ ସୁରେଇଟି ଆଣି ବସି ପାଣି ମୁନ୍ଦେ ଗିଲାସରେ ଢ଼ାଳିଲା । ସକାଳ ପହରୁ ମୁହଁରେ ପାଣି ଦେଇନାହିଁ । ଦିନଟା ଏମିତି ହନ୍ତସନ୍ତରେ କଟିବ ।

 

ବାସି ମୁହଁ ଧୋଇନେଲା ଛବି । ମୁହଁରେ ପାଣି ବାଜୁଛି କି ନାହିଁ ଜଣାନାହିଁ । ସେ ଯନ୍ତ୍ର ପାଲଟି ଯାଇଛି । ଏକ ଅନୁଭୂତି ଶକ୍ତି ତା’ ଭିତରେ କାମକରୁଛି । ହେଲେହେ ଏ ଶକ୍ତି କାହାର, ଅନୁଭବ କରିବାକୁ ତାର ଜ୍ଞାନ ନ ଥିଲା ।

 

ଧନୀର ଦୁଲାଳ ଅନୁରାଗ, ଆଉ ଏହି ଅଜଣା ବାଟୋଇ ? ଉଭୟେ ହୁଏତ ଏକ ସ୍ୱପ୍ନ । ସ୍ୱପ୍ନ, ସ୍ୱପ୍ନରେ ମିଶିଯାଇଛି । ରାତି ପାହି ସକାଳ ହୋଇଛି । କୁମ୍ଭାଟୁଆ ରାବିଲାଣି । ଗତ ରାତିର ସ୍ୱପ୍ନଟାକୁ ମନେ ପକାଇ ଲାଭ କଅଣ ?

 

ମନ ବୁଝୁ ନାହିଁ । ଅତୀତ ଡାହି ମାରୁଛି । ଆଖି ଆଗରେ ନାଚିଯାଉଛି ଅନୁଭାଇର ସର୍ବହରେ ବେଶ । ଦୂରପଥରୁ ଶୁଭୁଚି ଶୁଣା ବଇଁଶିର ପରିଚିତ ତାନ । ଅତୀତର ସ୍ୱରଟା ଅତୀତରେ ମିଶି ପାରିନାହିଁ ।

 

କେଡ଼େ ସଂକୀର୍ଣ୍ଣ ସେ ଅତୀତ ! ଭାବି ବସିଲେ ତାଜୁବ ହୁଏ । ନରମ ଦେହଟା କାଠୁଆ ହୋଇଉଠେ । ଆଖି ଦୁଇଟା ସ୍ଥିର ହୋଇଯାଏ । କେତେ ବର୍ଷ ଭିତରେ କେତେ ବଦଳିଛି ସେ ? କେତେ ଭୂମିକାରେ ଅଭିନୟ କରିଛି । ସାବାସ୍‍ ପାଇଛି । ଦର୍ଶକର ଆଖିରୁ ଖସିପଡ଼ିଛି ଲୁହ । କରତାଳିରେ କମ୍ପି ଯାଉଛି ମଞ୍ଚ । ଏଇ ତେବେ କ’ଣ ଜୀବନର ପୁରସ୍କାର ? ବଦଳା ବଦଳିବ । ଗଛ ଦେହରେ ଚିହ୍ନପରି ଲାଗି ରହିବ ଆଜିର ଏ ଅନୁଭୂତି ।

 

ବଦଳା ବଦଳିର ଏସଂସାର ଭିତରେ କାହିଁକି ଏ ମାୟା ? କେବଳ କ୍ଷତଚିହ୍ନଟିଏ ନେଇ ଫେରିବାକୁ କଣ ଏହାର ଆରମ୍ଭ ?

 

ଦ୍ୱାର ଦେଶରେ ଭିକାରିଟି ଭିକପାଇଁ ଠିଆ ହୋଇଥିଲା । ତା’ ଆଡ଼କୁ କରୁଣ ଦୃଷ୍ଟିରେ ଅନାଇ ରହିଲା ଛବି । ସବୁଦ୍ୱାରରେ କଣ ଭିକ ପାଏ ସେ ? ତଥାପି ଦ୍ୱାର ଦ୍ୱାର ବୁଲିବାରେ କି ଆନନ୍ଦ ? ଥର ଥର ଶୂନ୍ୟଆାଳରେ ଫେରି ମଧ୍ୟ ପୁଣି ଧାରଣା ଦିଏ । ଏ ଧାରଣାର ଅର୍ଥ ହୁଏତ ସେ ବୁଝୁଥିବ ।

 

ଭିକାରିକୁ ଭିକ ଦେଲା ସେ । ଆନନ୍ଦ ଚିତ୍ତରେ ଭିକାରିଟି ଫେରିଗଲା । ସର୍ବହରା ଜୀବନଟି ପ୍ରତି ଦୟାରେ ପୂରି ଉଠିଲା ତା’ର ଅନ୍ତର । ତଥାପି ସେ ବୁଝୁଥିଲା ଏ ଦୟାର କିଛି ମୂଲ୍ୟ ନାହିଁ । ଖାଲି ଲୋକଦେଖା । ସ୍ୱାର୍ଥର ଆଚ୍ଛନ୍ନରେ ଢଙ୍କା । ପ୍ରତାରଣାର ଅଗ୍ନିକୁଣ୍ଡରେ ଜଳି ପୋଡ଼ିଯିବ । ପଡ଼ିରହିବ ମୁଠିଏ ପାଉଁଶ । ଏହି ପାଉଁଶକୁ ଧରି କେହି ଦୟାର ଗର୍ବ କରିବ ନାହିଁ । ଯେ’ଝା ପଥରେ ଯେ’ଝା ଆଗେଇ ଯିବେ । ଦୁନିଆ ଠକି ଦେବ । ଚୋର ପରି ଛପିଯିବ ଅନୁରାଗ । ମନଖୋଲି କଥା ପଦେ କହିଯିବନି ସେ ।

 

ଚିନ୍ତାର ଖିଅ ଖୋଲି ଯାଉଛି । ପାଷାଣପରି ନିଷ୍ଠୁର ହୋଇ ଉଠୁଛି ଛବି । ଅନୁରାଗର ପ୍ରତାରଣା ତାକୁ ବଜ୍ରଠାରୁ କଠିନ କରିଦେଇଛି ।

 

ଅନୁରାଗ ଚାଲି ଯାଇଛି । ବେଶ୍‍ ଭଲ, ଧନୀର ସନ୍ତାନ ଅନୁରାଗ ଚାଲିଯାଉ । ଧାଈ ଛବି ସହିତ ତା’ର କି’ ସମ୍ପର୍କ ? ଅନୁରାଗର ଛବି ଧୂଳିରେ ମିଶିଛି । ତା’ର କବରରୁ ଯେ ଜନ୍ମ ନେଇଛି; ତାକୁ ନିଜର ବୋଲି କହିଲେ, ଚୌଧୁରୀ ବଂଶର ଅବମାନନା ହେବ । ଧୂଳିର ଫୁଲ ସେ, ଧୂଳିରେ ଲୋଟିବାକୁ ତା’ର ଜନ୍ମ । ତାକୁ ତୋଳି ଧରିବାରେ କି ଲାଭ ଅଛି ସଂସାରର ?

 

ମୂଲ୍ୟହୀନ ଅତୀତଟାକୁ ଘଣ୍ଟାଚକଟା କରୁଥିଲା ସିମି । କେତେଦିନ ହେବ ଛବିର ଦେଖାନାହିଁ । ସେ ହୁଏତ ତା’ ଉପରେ ରାଗିଛି, ଅଭିମାନ କରିଛି । ମିଥ୍ୟାର ଯେଉଁ ଜାଲ ଭିତରେ ସେ ତାକୁ ବାନ୍ଧି ରଖିଥିଲା, ତାହା ହୁଏତ ଛିଡ଼ି ଯାଇଛି । ମାୟାର ଆବରଣ ତଳୁ ପ୍ରକାଶ ପାଇଛି ସତ୍ୟର ନିର୍ମଳ ରୂପ ।

 

ଯୋହନ ତାକୁ ଠକିନି । ଖାଲିହାତରେ ଫେରାଇ ଦେଇନି । ରକ୍ତମାଂସର ଯେଉଁ ପିତୁଳାଟି ଧରି ସେ ଅନିଶ୍ଚିତ ଭବିଷ୍ୟର ସନ୍ଧାନ କରିଥିଲା, ସେଇଟି ବୋଧହୁଏ ଯୋହନର । ସେ ମିଛ କହିଛି । ସରଳା ଛବିକୁ ପ୍ରତାରିତ କରିଛି । ଜୀବନଟା ପ୍ରତାରଣାର ମସ୍ତ ଏକ ଇତିହାସ । ସେ ଇତିହାସର ପୃଷ୍ଠା ସେ କାହା ଆଗରେ ମେଲାଇନି । ବରଂ ପୋଡ଼ି ଜାଳି ଦେବାକୁ ଚେଷ୍ଟା କରିଛି । ହେଲେହେଁ ବାରମ୍ୱାର ବିଫଳ ହୋଇଛି । ବୁଝିପାରେନା ସିମି କାହିଁକି ଏ ବିଫଳତା ? ତୀବ୍ର ବିଷରେ ବିଷେଇ ଉଠେ ଶିରାପ୍ରଶିରା । ଗରଳ ଗୁଡ଼ା ବାନ୍ତି କରି ପାରେନା । ସେ ଚିରଦିନ ସିମି ବୁଢ଼ୀ ହୋଇ ରହିଯାଏ । ଛବିର ଜୀବନର ରହସ୍ୟ ଅସ୍ପଷ୍ଟ ଓ ଆଲୋଡ଼ା ହୋଇଉଠେ ।

 

ସ୍ୱର୍ଗରେ ଥାଇ ପଟ୍ଟନାୟକ ଅନୁନୟ କରନ୍ତି, ‘ଛବିକୁ ମୋର ହେଳା କରିବୁ ନାହିଁ ସିମି !’ ସ୍ୱର୍ଗ ମଣିଷଟାର ବି ପୃଥ୍ୱୀ ପାଇଁ ଏ ପାଗଳାମି ? ସେ ବିଶ୍ୱାସ କରି ପାରେନା । ଅଧା ସ୍ୱର୍ଗରୁ ଯୋହନ କାନ୍ଦି ଉଠେ । ସିମିର ସାଫଲ୍ୟ ପାଇଁ ସେ ହସି ପାରେନା । ରାଗରେ ଦାନ୍ତ କଡ଼ମଡ କରି ଉଠେ । ମଦୁଆ ଯୋହନର ରକ୍ତସ୍ରୋତ ଅଟକି ଯାଏ । ପଟ୍ଟନାୟକ ବଂଶର ନାଁ’ ତଳେ ଲୁଚିଯାଏ ତା’ର ବ୍ୟର୍ଥ ଜୀବନର ଅଲୋଡ଼ା ଇତିହାସ ।

 

କ’ଣ ଭୁଲ କଲା ପରି ଚମକି ଉଠେ ସିମି । ଆଖି ଆଗରେ ନାଚିଯାଏ ସୂତିକାଳୟର ସେହି ପ୍ରତାୟିତ ଅନ୍ଧକାର । ସନ୍ତାନପ୍ରସବା ବଡ଼ ସାଆନ୍ତାଣୀ ମୂର୍ଚ୍ଛା ଯାଇଛନ୍ତି । ନିକଟରେ ପଡ଼ି ରହିଛି ପଟ୍ଟନାୟକ ବଂଶର କୁଳପ୍ରଦୀପ । ଲାଳ ସରସର ମାଂସ ପିଣ୍ଡଟିଏ । ଯୁବତୀ ସିମିର ବକ୍ଷରୁ ରକ୍ତ ଶୋଷିଛି ଯୋହନର ନବଜାତ ଶିଶୁଟି । କୋଳର ଶିଶୁ କାନ୍ଦି ଉଠିଲା । ପାଟିରେ ହାତଦେଇ ସେ ତା’ର କାନ୍ଦ ବନ୍ଦ କରିବାକୁ ଚେଷ୍ଟା କଲା । ପିଶାଚୀ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ରହିଲା ।

 

ଥରି ଥରି ଦୀପ ଶିଖାଟି ଲିଭି ଆସିଲା । ତା’ର ସୟତାନୀ ଆଖି ଦୁଇଟି ଅନ୍ଧାର ଭିତରେ ଜଳି ଉଠୁଥିଲା । ଚିପି ଚିପି ପାଦ ପକାଉଥିଲା ସିମି । ତା’ର ପଦ ଶବ୍ଦରେ ସାନ୍ତାଣୀ ଚେଇଁ ଉଠୁଛନ୍ତି । ‘ଡାଆଣୀ,’ ‘ଡାହାଣୀ’ ବୋଲି ହୁରି ପକାଇ ଧାଇଁ ଆସୁଛନ୍ତି ପଟ୍ଟନାୟକ ।

 

ତା’ର କଲିଜା ଥରି ଉଠିଲା । କୁରାଳ ଚକ୍ର ପରି ଘୂରି ଚାଲିଲା ଚଞ୍ଚଳ ଡୋଳା ଦୁଇଟି । ଓଃ କି ପ୍ରଚଣ୍ଡ ସେ ଦୃଷ୍ଟି ! ପଟ୍ଟନାୟକ ଠିଆ ହୋଇ ପାରିଲେ ନାହିଁ । ଜଳି ପୋଡ଼ି ଅସ୍ଥିର ହୋଇ ଲେଉଟିଗଲେ । କକ୍ଷ ନୀରବ । ଚୌଦିଗରେ ଶୂନ୍ୟତା ହାଇ ମାରୁଛି । ନିଜ ପଦଶବ୍ଦରେ ନିଜେ ଚମକି ଉଠିଲା ସିମି ।

 

ସାହାନ୍ତାଣୀ କଡ଼ ଲେଉଟାଇଲେ । ସିମି ଅଧୀର ହୋଇ ଉଠିଲା । ଠିଆ ହୋଇ ରହିବାକୁ ବେଳ ନାହିଁ । ସେ ହାତେ ହାତେ ପଟ୍ଟନାୟକ—ବଂଶକୁ ରହସ୍ୟାଚ୍ଛନ୍ନ କରିଦେବ । ଅଭିଜାତ କୂଳର ରସ ଟାଣି ବଢ଼ି ଚାଲିବ ଯୁବତୀ ସିମିର ଅଙ୍କୁର, ଯୋହନ ପାଣର ଅନୁରାଗ ବୀଜ-

 

ସାଆନ୍ତାଣୀଙ୍କର ଶଯ୍ୟା ପାଖକୁ ମାଡ଼ି ଚାଲିଲା । ଥରେ ସାଆନ୍ତାଣୀ ଓ ଥରେ ନିଶୁଳ ଶିଶୁଟି ଆଡ଼କୁ ଦୃଷ୍ଟିଦେଲା । ସନ୍ତାନଟିକୁ କୋଳକୁ ଆଣି ଭଲରୂପେ ପରୀକ୍ଷା କଲା । ଜୀବନର ଗନ୍ଧ ନାହିଁ । ସାଆନ୍ତାଣୀଙ୍କର ମୂର୍ଚ୍ଛା ଭାଙ୍ଗିନି । କର୍ତ୍ତବ୍ୟ ପଥରେ ସେ ଆଗେଇ ଯିବ ।

 

ପାଦଟିଏ ଆଗେଇ ଗଲା । ଚାପି ଚାପି ନିଃଶ୍ୱାସ ପ୍ରଶ୍ୱାସ ନେଉଥାଏ । କୋଳର ଶିଶୁଟିକୁ ସାଆନ୍ତାଣୀଙ୍କ ପାଖରେ ଶୁଆଇ ଦେଇ ଝଡ଼ ପରି ଛୁଟି ଚାଲିଲା । କୁଆଁ କୁଆଁ ରାବରେ ସୂତିକାଳୟଟି ଫାଟି ପଡ଼ିଲା । ସାଆନ୍ତାଣୀ ହୁଏତ ଚେତାପାଇ କୋଳର ଶିଶୁଟିକୁ ବୋଧ ଦେଇଥିବେ ।

 

ଅନ୍ଧାରଘରର ପିତାସୁଣୀ ବୁଢ଼ୀ ବଞ୍ଚି ରହିଛି । ପଟ୍ଟନାୟକ ବଂଶର ରକ୍ତପିଇ ମୋଟା ହେଉଚି । ସାଆନ୍ତ ସାଆନ୍ତାଣୀ କେଉଁ ସ୍ୱର୍ଗରେ, ପାଣ ଯୋହନ କିନ୍ତୁ ମରିପାରିନି । ଅନ୍ୟ ବଂଶର ଖୋଳ ଭିତରେ ରଡ଼ି ପକାଇଛି ତା’ର ମଦୁଆ ମନଟା ।

 

ଭୀରୁ ମନଟା ବେଳେବେଳେ ଦୋହଲି ଉଠେ । ନର୍କର ଦ୍ୱାର ଫର୍ଚ୍ଚା ହୋଇଯାଏ । ବିଶ୍ୱାସରେ ବିଷ ମିଶାଇଛି ସେ । ଶିଶୁ ହରଣ ପାତକରେ ଘଣ୍ଟି ହେବ । ଜନ୍ମ ଜନ୍ମ ଧରି ନର୍କରୁ ତା’ର ନିସ୍ତାର ନାହିଁ । ପାପପୂର୍ଣ୍ଣର ବିଚାର ସେ କରି ପାରିନାହିଁ । ନିଛକ ମାତୃତ୍ୱରେ ଅନ୍ଧ ହୋଇଉଠିଛି । ହାଡ ରକଟି ଅସ୍ଥିର ହେଉଥିବା ଛୁଆଟା ପାଇଁ ସେ ଯାହା କରିଛି, କେବଳ ମାନବିକତାର ଅନୁରୋଧରେ । କୋଳର ଶିଶୁଟିକୁ ବଞ୍ଚାଇବା ପାଇଁ ସେ ପାପ କରିଛି । ପୁଣ୍ୟ ପାଇଁ ପାପର ଦ୍ୱାର ଫିଟାଇଛି । ସନ୍ତାନ ବଦଳରେ ମା’ ସନ୍ତାନ ପାଇଛି, ମାତୃକୋଳରେ ସନ୍ତାନ ବୁଝିଛି ଜୀବନର ମୂଲ୍ୟ । ମୃତ ଶିଶୁ ପାଇଁ ଜନ୍ମକଲା ମା’ କାନ୍ଦି ଉଠିନି । ଏଥିପାଇଁ ଏତେ ଶାସ୍ତି ? ସୃଷ୍ଟିର କେଉଁ ସନାତନ ନୀତିରେ ବାଧା ଆଣିଛି ସେ ?

 

ଜନନୀ ସିମି ବୁଝି ପାରେନା । ପାପପୁଣ୍ୟର ଭେଳିକିଟା କିମିତି ଝାପ୍‍ସା ଝାପ୍‍ସା ବୋଧହୁଏ । ଇଚ୍ଛା ହୁଏ ଧାଇଁ ଯାଇ ଛବି ଆଗରେ ରହସ୍ୟର ଏ ପୋଥି ଫିଟାଇଦେବ । ତା’ର ଭୁଲ୍‍ ପାଇଁ କ୍ଷମା ମାଗି ନେବ । ଛବି ହୁଏତ ବିଶ୍ୱାସ କରିବ ନାହିଁ । ବ୍ୟର୍ଥ ଜୀବନର ଏ ପୈଶାଚିକ କାହାଣୀଟା ଆହୁରି ଦୁର୍ଗନ୍ଧମୟ ହେବ । ପାପପାଇଁ ପ୍ରାୟଶ୍ଚିତ କରି ଲୁହ ଲୁହରେ ପହରି ବୁଲିବ ସେ । ତାହାହେଲେ କାହିଁକି ଏ ଚେଷ୍ଟା ? ସେ ପିଲାଚୋରଣୀ ହୋଇ କାଳ କାଳ ନର୍କ ଭୋଗୁ ପଛେ, ସୁଖରେ ଜୀଇ ବଞ୍ଚି ରହୁ ଛବି । ତା’ ମନରେ ଦୁଃଖର ଦାଗ ସେ ଦେଇ ପାରିବ ନାହିଁ ।

 

ସିମି ଆଶ୍ୱସ୍ତ ହୋଇ ଆସୁଥିଲା । ମାଛି କେତୋଟି ଭଣ ଭଣ ହୋଇ ତା’ ଚାରିପଟେ ଘୂରି ବୁଲୁଥାଆନ୍ତି । ତେଣିକି ନଜର୍‍ ନାହିଁ ତା’ର । ମନର ମାଛିପଲଟା ଘଉଡ଼ାଇ ଦେବାରେ ସେ ବ୍ୟସ୍ତ ।

 

ଅନୁ ଫେରି ଆସିବା ପରେ ଚୌଧୁରୀଘର ବସି ଉଠିଛି । ଜେଜେ ବାପାଙ୍କର ଆନନ୍ଦ କହିଲେ ନ ସରେ । ପୋଖରୀରୁ ମାଛଧରା ଚାଲିଛି । ଭୋଜି ମଉଜର ଭିଡ଼ି ବଢ଼ି ଯାଇଛି । ଜମିଦାରୀ ଅମଳର ଏ ଝୁଙ୍କଟା ଆଜିଯାଏ ଊଣା ହୋଇନି । କର୍ପୂର ଉଡ଼ି ଯାଇଥିଲେ ସୁଦ୍ଧା କନାଟାତ ପଡ଼ି ରହିଛି । କନାଟାକୁ ଶୁଙ୍ଘି ଶୁଙ୍ଘି ଦିନା କେତେ କଟିଯିବ । ଚୌଧୁରୀ ଘରର ଆଡ଼ମ୍ବର ବନ୍ଦ ହେବ ନାହିଁ । ଜମିଦାରୀର କ୍ଷତିପୂରଣ ପାହୁଲାଟିଏ ଥିବା ପର୍ଯ୍ୟନ୍ତ ଏ ବିଳାସିତାର ସୁଅ ଛୁଟି ଚାଲିବ ।

 

ତୁଳସୀ ଚଉରାମୂଳେ ପଶାପାଲିଟା ଜମି ଆସିଲାଣି । ଭାଙ୍ଗ ନିଶାରେ ଚୌଧୁରୀ ବୁଢ଼ା ପୂରାପୁରି ମସ୍‍ଗୁଲ । ବାଘୁଆ ନିଶ ହଳିକୁ ମୋଡ଼ି ମୋଡ଼ି ଦାନ ପକାଇ ଚାଲିଛନ୍ତି । ‘କଚେ ବାର’ ଶବ୍ଦରେ ଦାଣ୍ଡ ମେଲାଟା କମ୍ପି ଉଠୁଛି ।

 

କାଠରୁଅ, କାଠ ବତାଦିଆ ସାତଶେଣିଆ ଘରେ ବାୟାଚଢ଼େଇ ବସା ବାନ୍ଧିଲାଣି । ବୁଢ଼ିଆଣି ଜାଲ ଓ ଅଳନ୍ଧୁ ଭିତରେ କାଚଝାଡ଼ ଓ ଗେମ୍‍ବତୀ କେଇଟି ଲୁଚି ଆସିଲାଣି । ଖୋଳ କରତାଳ ଓ ଝାଞ୍ଜ ଗିନି ଉପରେ ଇଞ୍ଚେ ବହଳର ଧୂଳି । କାନ୍ଥବାଡ଼ର ଲତାକାମ ଓ ଚିତ୍ରଗୁଡ଼ିକରୁ ରଙ୍ଗ ଛାଡ଼ି ଯାଇ ମାଟି ଦିଶିଲାଣି । ତଥାପି ମହାପ୍ରତାପୀ ଚୌଧୁରୀଙ୍କ ହାତରୁ ହାତୀଦାନ୍ତ ଛାଆ ପାନକୁଟାଟି ଛାଡ଼ି ଯାଇନି । ଓଠ ଉପରେ ଆଙ୍ଗୁଳେ ବହଳର ପାଖଡ଼ା ଖଇର ବୋଳ ଲାଗି ରହିଛି-। ଧରମ ବେଠିଆ କେଇଟି ପୋଷା ହେଉଛନ୍ତି । ଜମିଦାରୀ ଅମଳର ତୋଷାମଦି ଛାଡ଼ି ଯାଇନି-। ସାନ ସାଆନ୍ତ ଏ ବିଷୟରେ ପାଟି ଫିଟାନ୍ତି ନାହିଁ । ପାଟି ଫଟାଇଲେ ମଧ୍ୟ ବୁଢ଼ାଙ୍କର ସେଥିକି ନିଘା ନାହିଁ । ଏ ଖଣ୍ଡ ମଣ୍ଡଳର ଅଧିକାରୀ ସେ । ଏଇ ହାତରେ କେତେ ଦାନ ଖୈରାତ କରିଛନ୍ତି । ଆଜି ବେଳ ବଦଳିଲା ବୋଲି କ’ଣ ମନ ବଦଳି ଯାଇଛି ?

 

ସୀତା’ନୀ ବଉଳର ଗଛ ମୂଳ ଫୁଲ ଗୋଟାଉଛି । ଠାକୁର ପୂଜା କରିବ । ଠାକୁର ଆଗରେ ମନକଥା ଜଣାଇବ । ଚୌଧୁରୀ ବୁଢ଼ାଙ୍କର ଗୋଟିଏ ବୋଲି ଝିଅ । ବାଳୁତ ବିଧବା ହୋଇ ବାପଘରେ ଆଶ୍ରା ନେଇଛି । ବାପ ଭାଇଙ୍କର ସେ ଚକ୍ଷୁଶୂଳ । ସତେ ଯେପରି ସଭିଙ୍କର ସେ କିଛି କ୍ଷତି କରିଛି । ସେହି ସୀତାନାନୀ । ତା’ନିକଟରେ ସୀତା’ନୀ ବୋଲି ପରିଚିତ । ତା’କୋଳରେ ସେ ମଣିଷ ହୋଇଛି । ସେ ଗଲାଦିନୁ ଝୁରି ଝୁରି କଣ୍ଟା ହୋଇଥିଲା । ଏବେ ଟିକେ ଖୁସି ଅଛି ।

 

ସେ ଫେରି ଆସିଛି ବୋଲି କେତେ ହସ ଖୁସି, କେତେ ବାଇଦ ବାଜଣା । ହେଲେହେଁ ଏ ବାଇଦ ବାଜଣା ଭିତରେ ସେ ନିଜକୁ ହଜାଇ ଦେଇ ପାରୁନି । ମନେ ପଡ଼ୁଛି ବାଇବେଲ୍‍ର ସେଇ ରୂପକଥାଟି ‘ପ୍ରୋଡିଗାଲ୍‍’ ଯୁବକଟି ଫେରିଆସିବା ପରେ ଏମିତି ହୁଏତ ନୃତ୍ୟଗୀତ ଓ ଭୋଜିମଉଜର ଆସର ଜମି ଯାଇଥିଲା । କ୍ଷେତଫେରା ଭାଇଟି ଏହା ବର୍‍ଦାସ୍ତ କରିପାରିଲା ନାହିଁ-। ଅକୃତ୍ରିମ ସ୍ନେହରେ ପିତା ତାର ତାକୁ ପାଛୋଟି ନେଇ ବୁଝାଇ ଦେଇଥିଲେ, ‘‘ଏ ଭାଇଟି ତୋର ମରିଥିଲା । ପୁଣି ଥରେ ଜନ୍ମ ହୋଇଛ । ନବଜାତକର ଜନ୍ମୋତ୍ସବ ପାଳିବା କ’ଣ ଆମର କର୍ତ୍ତବ୍ୟ ନୁହେଁ ?’’

 

ତା’ର ହୁଏତ ଜନ୍ମୋତ୍ସବ ପାଳିତ ହେଉଛି । କବର ଫେରା ମଣିଷକୁ ଜ୍ଞାତି କୁଟୁମ୍ବ ସଙ୍ଖୋଳି ଯାଉଛନ୍ତି । ‘ବୀତୁ’ ଚଳତ୍‍ ଶକ୍ତି ରହିତ ହୋଇ ନଥିଲେ ଅଭିମାନ କରି ପଚାରି ଉଠନ୍ତି, ଏ ଅବାଧ ପୁଅଟା ପାଇଁ ଏତେ ଖର୍ଚ୍ଚ କାହିଁକି ବାପା ? ବାପା ନୀରବ ରହନ୍ତେ । ଏ ପ୍ରଶ୍ନର କିଛି ଉତ୍ତର ଦେଇ ପାରନ୍ତେ ନାହିଁ ।

 

ବୀତୁ ଅକର୍ମଣ୍ୟ । ଏ ପ୍ରଶ୍ନ ସେ ପଚାରି ପାରିବ ନାହିଁ । ସେ ଆସିବା ବେଳେ ଶେଯ ଉପରେ ପଡ଼ି ଅଚଳ ଶରୀରଟା ସଙ୍ଗେ ସଂଘର୍ଷ ହୋଇଥିଲା । ‘ଭାଇ’ ‘ଭାଇ’ ଡାକି ପାଖକୁ ଧାଇଁ ଯିବାକୁ ଚେଷ୍ଟା କରିଥିଲା । ତାର ସମସ୍ତ ଚେଷ୍ଟା ବିଫଳ ହେଲା ।

 

ସେ ତା’ର ଶେଯ ପାଖକୁ ଯାଇ କଅଁଳ ସ୍ୱରରେ ଡାକିଲା, ‘ବୀତୁ’…, ଏହି ଟିକିଏ ସ୍ନେହରେ ସେ ନିମିଷକ ପାଇଁ ସବୁ ଯନ୍ତ୍ରଣା ଭୁଲିଗଲା । ହାତ ଦୁଇଟି ଉଠାଇ ପ୍ରଣାମ କରିବାକୁ ଇଚ୍ଛାକଲା । ଅକର୍ମଣ୍ୟ ହାତ ଦୁଇଟି ଏକାଠି ମିଳିତ ହେଲେ ନାହିଁ । ଲୁହ ଜରଜର ଆଖିରେ ‘ବୀତୁ’ ଅନାଇ ରହିଲା ।

 

ତା’ର ଅବାଧ୍ୟତା ପାଇଁ ସମସ୍ତେ କ୍ଷମା ଦେଇଛନ୍ତି । ହେଲେହେଁ ବାପାଙ୍କ ମନରେ ଶାନ୍ତି ନାହିଁ । ବିଷଣ୍ଣ ମୁଖରେ ବସି ରହିଛନ୍ତି । ସବୁଥିରେ କିପରି ଏକ ଅଶ୍ରଦ୍ଧ ଭାବ । ଜମିଦାରୀ ଯିବାପରେ ଏ ଭାବଟା ଟିକେ ବଢ଼ି ଉଠିଛି । ସାମାନ୍ୟ କଥାରେ ଚିଡ଼ି ଉଠନ୍ତି । ସେ ଫେରି ଆସିବା ପରେ ମଧ୍ୟ ତାଙ୍କର ଚିଡ଼ଲ ପ୍ରକୃତି କମିନାହିଁ, ଦିନକୁ ଦିନ ବୃଦ୍ଧି ପାଉଛି । ହେଲେହେଁ କାରଣ କ’ଣ ସେ ବୁଝିପାରେନା ।

 

ସାହି ପାଖ ଘରେ ବସି ଚୌଧୁରୀଏ ଭାବି ଚାଲିଥିଲେ । ପାଖରେ ଆସି ଠିଆ ହେଲେ ଅନୁବୋଉ । କ’ଣ କହିବା ପାଇଁ ଉନ୍‍ମୁଖ ।

 

କି’ କୁଆଡ଼େ ଆସିଲ ? ଘଡ଼ିକ ପରେ ପ୍ରଶ୍ନ କଲେ ଚୌଧୁରୀ ।

 

ଅନୁବୋଉ ହସହସ ହୋଇ କହି ଚାଲିଲେ, କଣ କହୁଥିଲି କି, ‘ଅନୁ’ ତ ମୋର ଫେରିଆସିଲା । ସାଆନ୍ତରାଙ୍କ ପାଖକୁ ଲୋକ ପଠାଉନା ?

 

ଓଃ ଏଇକଥା; ଅଧିକ ଗମ୍ଭୀର ହୋଇ ଉଠିଲେ ଚୌଧୁରୀ । ଘାଇଲା ଜାଗାରେ ପୁଣି ଯେପରି ମାଡ଼ ବାଜିଲା ।

 

ଇଏ କଣ କଥା ନୁହେଁ, ଧୀର କଣ୍ଠରେ ଉତ୍ତର ଦେଲେ ଅନୁବୋଉ । ସାଆନ୍ତରା ବିଚାରା ଆକାଶ ଚରେଇ ପରି ଚାହିଁ ରହିଥିବେ ।

 

ଏଥର ଉତ୍‍କ୍ଷିପ୍ତ ହୋଇ ଉଠିଲେ, ଚୌଧୁରୀ । କ୍ରୋଧରେ ମୁହଁ ନାଲି ପଡ଼ି ଆସିଲା ।

 

ପୁଅଙ୍କର ମତିଗତି ତ ଦେଖୁଚ । ଭଲ ଲୋକରେ ପୁଣି ଭାଣ୍ଡୁଆ କରିବାକୁ ମନ ? ଏଘରର ହାନିଲାଭ ମୁଁ ଜାଣେନା । ତମ ଇଚ୍ଛା ତମେ ଯାହାକର । ଏକ ନିଃଶ୍ୱାସରେ ଏତକ କହି ସେ ଗୁମ୍‍ ହୋଇ ବସି ପଡ଼ିଲେ ।

 

ଅନୁବୋଉ ଏ ଉତ୍ତର ଆଶା କରୁନଥିଲେ । ଅପମାନରେ ତାଙ୍କର ମୁହଁ ରଙ୍ଗାହୋଇ ଆସିଲା । ସମ୍ଭ୍ରମତାର ଅନୁରୋଧରେ ସେ କାନ୍ଦିପାରିଲା ନାହିଁ । ମୁହଁ ଶୁଖାଇ ଫେରିଗଲେ ।

 

ପାଖଘରୁ ଅନୁରାଗ ସବୁ ଶୁଣିପାରୁଥିଲା । ବାପାଙ୍କର କ୍ରୋଧ ଓ ବୋଉଙ୍କର ଅଭିମାନ ତାଙ୍କୁ କିଛି ଅଛପା ରହିଲା ନାହିଁ । ମନ ହେଉଥିଲା ଧାଇଁ ଯାଇ ଉଭୟଙ୍କ ଗୋଡ଼ଧରି କହିବ, ମୋ ପାଇଁ ଏତେ ଗୋଳ କାହିଁକି ? ତମକଥାରେ ମୁଁ ଏକମତ । କୀର୍ତ୍ତି ଏ ଘରକୁ ବୋହୂ ହୋଇ ଆସିବ-

 

ପରକ୍ଷଣରେ ପୁଣି ଭାବୁଥିଲା, ସେ ଫେରି ଆସିଲା କାହିଁକି ? ମରି ଉଡ଼ି ଯାଇଥିଲେ ବାପାଙ୍କର କଣ୍ଟା ଯାଇ ଥାଆନ୍ତା । ମଲାମଣିଷ ପାଇଁ ଆତ୍ମୀୟ ସୋଦର ଲୁହ ଢ଼ାଳନ୍ତି । ହେଲେହେଁ ମଲା ମଣିଷଟା କବର ଭିତରୁ ଫେରି ଆସିଲେ ସେ ସମସ୍ତଙ୍କର ଅନାଦରର ପାତ୍ର । ମଲା-ଗଲା ଫେରେ ନାହିଁ ବୋଲି ଯେତେ ସେନେହ ସୁଆଗ । ଦୁର୍ବହ ଜୀବନ ଧରି ସେ ଫେରିଆସିଲା କାହିଁକି-। ବିଜନ କେବିନରେ ଆଖି ବୁଜିଥିଲେ ଅଚିହ୍ନା ଦେଶର ମଶାଣିରେ ଶବଟା ମାଟି ହୋଇ ଯାଇଥାଆନ୍ତା । ଡାକ୍ତରଖାନାର ଶହଶହ ରୋଗୀଙ୍କ ପାଇଁ ଅଖୋଜା ଅଲୋଡ଼ା ହୋଇ ସେ ଜୀବନ ଦିଅନ୍ତା । କେହି ତା’ପାଇଁ କାନ୍ଦି ନଥାନ୍ତେ । ଛବି ହୁଏତ ବିନ୍ଦୁଏ ଲୁହ ଝରାଇ ଦିଅନ୍ତା । ନା, ଅଜଣା ରୋଗୀଟା ପାଇଁ ସେ କାନ୍ଦନ୍ତା କାହିଁକି ?

 

ସେ ତା’ ନିକଟରେ ଚୋର ପାଲଟିଛି । ଖୁଣି ଆସାମୀ ପରି ଆତ୍ମଗୋପନ କରି ପଳାଇ ଆସିଛି । କାହିଁକି ଏ ପ୍ରତାରଣା ? କାହିଁକି ଏ ଛଦ୍ମବେଶ ? ଏ ଦୁର୍ବୋଧ୍ୟ ସମସ୍ୟାର ସମାଧାନ କରି ପାରୁ ନଥିଲା ସେ । ତଥାପି ସେ ଅନୁଭବ କରୁଥିଲା ସେ ଛବି ନିକଟରେ ଦୋଷୀ । ତା’ର ଦୋଷର ପ୍ରାୟଶ୍ଚିତ ନାହିଁ । ପ୍ରାୟଶ୍ଚିତ ପାଇଁ ପଥ ଥିଲେ ଓ ସେ ଦୁର୍ବଳ, ଭୀରୁ । ହେଲେହେଁ ଦୁର୍ବଳ ମଣିଷ ଅନ୍ୟକୁ ଆଶାଦିଏ କାହିଁକି । ନିଭରସୀକୁ ଭରସା ଦେବାର କି ଅଧିକାର ଅଛି ତା’ର । ପ୍ରଶ୍ନିଳ ଦୃଷ୍ଟିରେ ଚୌଦିଗକୁ ଚାହିଁ ରହିଥିଲା ଅନୁରାଗ । କୋଠରୀ ମଧ୍ୟରେ ଶୂନ୍ୟତା କି ଉତ୍ତର ଦେବ ଏ ପ୍ରଶ୍ନର ?

 

ବଗପକ୍ଷୀପରି ଧଳା ପୋଷାକ ପିନ୍ଧି ଏ ଓ୍ୟାର୍ଡ଼ରୁ ସେ ଓ୍ୟାର୍ଡ଼ ଘୂରିବୁଲେ ଛବି । ବେଳେବେଳେ ଅନ୍ୟମନସ୍କ ହେଲାପରି ଏକ ସ୍ଥାନରେ ଠିଆହୋଇ ରହେ । ପୁଣି କ’ଣ ଭାବି ଆଗେଇ ଚାଲେ ।

 

ସତୀ ଆଖି ନଚାଏ, ପ୍ରୀତି ଟାହୁଲି କରେ— ସତେ ଦିଦି, କେଡ଼େ ସୁନ୍ଦର ତୁ ? ଆଙ୍ଗଲୋଇଣ୍ଡିୟାନ ନର୍ସମାନେ ତୋର କେଉଁ ଗୁଣକୁ ?

 

ସନ୍ତୋଷରେ ଆଖିପତା ଫୁଲିଉଠେ । କଳାଚସମା ତଳୁ ନିଜକୁ ନିଜେ ଚାହିଁରହେ । ନିଜରୂପରେ ନିଜେ ମୁଗଧ୍‍ ହୁଏ ଛବି । ପିଲାଦିନୁ ଏ ସ୍ୱଭାବଟାରେ ସତେ ଯେମିତି ବିରତି ନାହିଁ ।

 

ପ୍ରୀତି ଆଉ କ’ଣ ଗପି ଚାଲନ୍ତା । କଥାରୁ ସୁଅ ଅଟକାଇ ଦେଇ ସେ ମନ୍ତବ୍ୟ ଦେଲା, ଥାଉଲୋ ବଙ୍ଗାଲୁଣୀ, ସବୁଦିନେ ତୋର ଏହି ଟାପରା ? ବର ଆସିଲେ ବର ଆଗରେ କହିବୁ ଯେ ସେ ତାରିଫ୍‍ କରିବେ ।

 

ପ୍ରୀତିର ମୁହଁ ରଙ୍ଗା ପଡ଼ିଯାଏ । ଲାଜ ସରସର ହସଟି ହସି ସେ ଉତ୍ତର ଦିଏ ନହେଲା ନାହିଁ । ଥାଉ ମୋ କଥା । ସ୍ନେହର ଚିମୁଟାଟି ଦେଇ ସେ କାମରେ ବାହାରି ଯାଏ ।

 

ମୁକ ପରି ଠିଆ ହୋଇ ରହେ ଛବି । ରୂପରେ ପରଦା ସେ ପାଖରୁ ଅନେକ ଲୋକ ଦେଖାଯାଆନ୍ତି । କେତେ ଆସି କେତେ ଲେଉଟି ଯାଆନ୍ତି । ସ୍ପଷ୍ଟ ହୋଇଉଠେ ଗୋଟିଏ ଚିତ୍ର । ଡାକ୍ତର ସାହେବ ଆଗେଇ ଆସନ୍ତି । ବାରମ୍ବାର ସେ ରୂପଟି ଦେଖିବାକୁ ଭଲଲାଗେ । କେଡ଼େ ମନଲୋଭା ସେ ଉଜ୍ଜ୍ୱଳ ମୂର୍ତ୍ତି ? ଲୁହରେ ଧୋଇ ହୋଇ ଆହୁରି ଉଜ୍ଜ୍ୱଳ ଦେଖାଯାଉଛନ୍ତି । ଘଡ଼ି ଘଡ଼ି ଧରି ପ୍ରୀତିଠାରୁ ରୂପରେ ପ୍ରଶଂସା ଶୁଣି ସେ ଆନନ୍ଦ ପାଏ । କପଟ ଛଳ ପ୍ରକାଶ କରି ବାରଣ କରେ । ହେଲେହେଁ ଆଖିରେ ତାର ଉତ୍ସାହ ଭରି ରହିଥାଏ ।

 

ସିମି ବୁଢ଼ୀ ଭୁଲିହୋଇ ଆସେ । ବସାକୁ ଫେରିବା ପାଇଁ ଆଗ୍ରହ ନଥାଏ । କେବେ କେମିତି ଫେରିଗଲା ସିମିବୁଢ଼ୀର ଅନୁପସ୍ଥିତିଟା ଭୁଲବାକୁ ଚେଷ୍ଟାକରେ । ଭୂତକୋଠିପରି ସମୁଦ୍ର କୂଳର ଭଙ୍ଗାକୋଠାଟା ସବୁବେଳେ ବନ୍ଦଥାଏ । ସଞ୍ଜପହରେ ଘର ଖୋଲିଲେ ନିଜ ପଦଶବ୍ଦରେ ନିଜେ ଚମକି ପଡ଼େ । ଅନ୍ଧାର ଭିତରେ ସିମିବୁଢ଼ୀଟା ହାଇମାରେ । ପାଣିଚିଆ ଅନ୍ଧାର ମୁଣ୍ଡାବାନ୍ଧେ ଲକ୍ଷଯୁଗରେ ଉତ୍‍କଣ୍ଠା ଧରି ଧାଇଁଆସେ ସିମିବୁଢ଼ୀ । କୋଳରେ ଯାକି ମା’ ମା’ ବୋଲି ଡକାପକାଏ । ଅଜ୍ଞାତକୁଳଶୀଳା ସିମିବୁଢ଼ୀର ଏ କାନ୍ଦଣାର କିଛି ଅର୍ଥ ବୁଝି ପାରେନା ସେ । ଛାଟି ପିଟି ହୋଇ ଡାକ୍ତରଖାନାକୁ ପଳାଇଆସେ । କାୟା ପଛରେ ଛାୟା ପରି ପାଖେ ପାଖେ ଲାଗିରହେ ସିମିବୁଢ଼ୀର ଆତ୍ମା ।

 

ଡାକ୍ତରବାବୁ ଖବର ଦିଅନ୍ତି । ରୋଗୀପାଟିରେ ଔଷଧ ଦେଉ ଦେଉ ହାତଟା ଥରିଉଠେ-। ମନଚଞ୍ଚଳ ହୁଏ । କାତର ନୟନରେ ଚାହିଁରହେ ରୋଗୀଟି । ଦ୍ୱିଧାଗ୍ରସ୍ତ ହୋଇ ଛବି ଫେରିଯାଏ ଡାକ୍ତରବାବୁଙ୍କ କ୍ୱାଟରକୁ । ହସି ହସି ପାଛୋଟି ନିଅନ୍ତି କିରଣବାବୁ । ସେ ଆତ୍ମପ୍ରସାଦ ଅନୁଭବ କରେ । ନିଜକୁ ନିଜେ ଭୁଲିଯାଏ । ତା’ର ବେବରୁଓ୍ୟା ହସରେ ଡାକ୍ତରବାବୁ ସନ୍ଦିଗ୍‍ଧ ହୋଇ ଉଠନ୍ତି । ପାଖରେ ବସେ ଛବି। ଦେଶବିଦେଶର ଗଳ୍ପ ଜମେ । ଡାକ୍ତରବାବୁଙ୍କ ପାନପାତ୍ରରେ ସେ ହସି ହସି ମଦ୍ୟ ଢାଳିଦିଏ । ବିସ୍ମିତ ହୁଅନ୍ତି କିରଣ ବାବୁ । ବିସ୍ମିତ ହୁଏନା ଟେବୁଲ୍‍ ଉପରର ସେଇ ଉଲଗ୍ନ ନାରୀ ମୂର୍ତ୍ତିଟା ।

 

ହସଖୁସିର ସୁଅ ଭିତରେ ଗୋଗୀର କାତର ଦୃଷ୍ଟ ଭାସିଯାଏ । କୁତ୍ସତା ସିମିର ସ୍ମୃତି ଅସ୍ପଷ୍ଟ ହୋଇଉଠେ । ସ୍ୱପ୍ନ ରାଜ୍ୟା; ଘୂରି ବୁଲେ ଛବି । ଡାକ୍ତରଙ୍କର କରସ୍ପର୍ଶରେ କେତେବେଳକେ ତାର ଚେତନା ଆସେ ।

 

ବହୁଦୂରକୁ ଚାଲି ଯାଇଥିଲା ସେ । ସଂସାରର ଗୋଳଚହଳ ଠାରୁ ବହୁଦୂରରେ । ଯେଉଁଠି ସମାଜ ନାହିଁ, ମଣିଷର ଭ୍ରୁକୁଟୀ ନାହିଁ । କିରଣବାବୁ ଆଉ ସେ । ଭାସି ଚାଲିଥିଲେ ସେଇ ନିଷ୍କଣ୍ଟକ ରାଜ୍ୟକୁ । କିରଣ ବାବୁ ମଦ୍ୟ ବଢ଼ାଇଦେଲେ । ସେ ମନାକରି ପାରିଲା ନାହିଁ । ପିଇ ଚାଲିଲା । ପାତ୍ରନିଃଶେଷ କରିଦେଲା । ଟୁକୁରା ଟୁକୁରା ଜୀବନ ଯୋଡ଼ି ହୋଇ ଆସିଲା । ଭୁଲିଗଲା ଜୀବନର ମୋଡ଼ା ମୋଡ଼ା ଅବସାଦ । ବଞ୍ଚିରହିବା ପାଇଁ ସେ ମଦପିଇଲା ।

 

ବଞ୍ଚିରହିବା ପାଇଁ ସେ ମଦ ପିଇଲା ? ବିସ୍‍ଫାରିତ ହୋଇ ଉଠିଲା ଚକ୍ଷୁଯୋଡ଼ିକ । କେହି ତା’ର ପଥ ରୋଧି ପାରିଲେ ନାହିଁ, କେହି ତାକୁ ବାରଣ କଲେନି ? ସିମିବୁଢ଼ୀ ଜଳଜଳ କରି ଅନାଇ ରହିଲା । ଅନୁରାଗ ଗମ୍ଭୀର ହୋଇ ଛିଡ଼ା ହୋଇଥିଲା । ସମସ୍ତେ ସେ କୂଳରେ ରହି ମଜା ଦେଖୁଛନ୍ତି । ଧାଈ ଛବିକୁ ସେମାନେ ବିପଥକୁ ଠେଲି ଦେଉଛନ୍ତି ।

 

ଅସ୍ୱାଭାବିକ ଭାବରେ ହସି ଉଠିଲା ଛବି । କିରଣବାବୁ ପ୍ରମାଦ ଗଣିଲେ । ସେ ବୋଧହୁଏ ପାଗଳ ହୋଇଯିବ । ଉତ୍କଟ ନିଶାରେ ମୁଣ୍ଡଟା ପୁଣି ନଇଁ ଆସିଲା । ସେ ତାକୁ ଆସନ ଉପରୁ ଉଠାଇ ନେଇ ଶଯ୍ୟା ଉପରେ ଶୁଆଇ ଦେଲେ । ମୁଣ୍ଡ ଉପରେ ପାଣି ଛାଟି ଚେତା କରାଇବାକୁ ଚେଷ୍ଟା କରୁଥିଲେ ।

 

ଛବିର ଚେତା ଆସିଲା । ଜଳିଲା ଜଳିଲା ଆଖିରେ ସେ ତାଙ୍କୁ ଚାହିଁ ରହିଲା । ଘୃଣାରେ ଆଖି ଦୁଇଟି ଫାଟି ପଡ଼ୁଥାଏ । ଏ ଦୃଷ୍ଟିର ଅର୍ଥ କ’ଣ ତାଙ୍କୁ ଅବୁଝା ରହିଲା ନାହିଁ ।

 

ଛବିର ଶଯ୍ୟା ପାଖରେ ବସି ସେ ନିଜର କକ୍ଷଟାକୁ ଥରେ ଥରେ ଚାହିଁ ଯାଉଥିଲେ । ସତେ ଯେପରି ଆଜି ସେ କକ୍ଷଟାକୁ ନୂଆ ହୋଇ ଦେଖୁଛନ୍ତି । ବିଦ୍ୟୁତ୍‍ ଝଲକରେ କକ୍ଷଟି ପୂରାପୂରି ଆଲୋକିତ ହୋଇନି । ସଂସାରର ଘନୀଭୂତ ଅନ୍ଧକାର ଚେକାମାଡ଼ି ବସି ରହିଛି । ଆକାଂକ୍ଷା ଓ ଅବସାଦରେ କାନ୍ଦି ଉଠୁଛି ସେ କକ୍ଷଟି । ଦୁଇଟି ଜଳିଲା ଆଖିର ଆଲୋକକୁ ଅପେକ୍ଷା କରି ରହିଛି-। ଆଖିର ଆଲୋକରେ ଶୂନ୍ୟ ଗୁହାଟା ଆଲୋକିତ ହେବ । ଦୂରକୁ ଦୂରକୁ ଘୁଞ୍ଚିଯିବେ ଅନ୍ଧାର ଗୃହର ସରୀସୃପ ଦଳ । ଜୀବନର ପୂର୍ଣ୍ଣତା ନେଇ ହସିଉଠିବ ଡାକ୍ତର କିରଣକିଙ୍କର ରାୟ-

 

ବିବେକ ଆଖି ମିଟିକା ମାରୁଛି । ଶୃଙ୍ଖଳାବଦ୍ଧ ମନଟା ଖତେଇ ହେଉଛି—କି, କିରଣ , ତୁମେ ପରା ଅବିବାହିତ ରହିବାକୁ ବ୍ରତ କରିଥିଲ ? ଜୀବନକୁ ବନ୍ଧନହୀନ କରିବାକୁ ଶପଥ ନେଇଥିଲ ? କ’ଣ ହେଲା ତୁମର ଶପଥ ?

 

କିରଣବାବୁ ଉତ୍ତର ଦେଇ ପାରୁନାହାନ୍ତି । ବନ୍ଧନହୀନ ଜୀବନଟା ହୁଏତ ଅବାସ୍ତବ, କାଳ୍ପନିକ । ବଞ୍ଚିବା ପାଇଁ ବନ୍ଧନ ଲୋଡ଼ା ହୁଏ । ମଣିଷ ଜାଣି ଜାଣି ବାନ୍ଧି ହେବାକୁ ଭଲପାଏ । ଏଇ ବନ୍ଧନଟାହିଁ ଜୀବନ । ମୃତ୍ୟୁରୂପୀ ମୁକ୍ତିଟା ତେଣୁ ବିସ୍ୱାଦୁକର ।

 

ମନର ଦ୍ୱନ୍ଦଟା କ୍ରମେ କମି ଆସୁଛି । କିରଣବାବୁ ଶକ୍ତ ହେବାକୁ ଚେଷ୍ଟା କରୁଛନ୍ତି । ଆକାଶର ପକ୍ଷୀ ଡେଣା ଡେରିବ । ଏଥିପାଇଁ ଏତେ ଚିନ୍ତା କାହିଁକି ?

 

ଛବିର ନିଷ୍କମ୍ପ ଶରୀରଟା କ୍ରମେ ଶୋଇ ଆସୁଥିଲା । ଡାକ୍ତରବାବୁଙ୍କର ସ୍ଥିର ଦୃଷ୍ଟି ତା’ଉପରେ ଲାଖି ରହିଲା । ଫୁଲଦାନିରୁ ଖସି ପଡ଼ିଥିବା ଗୋଲାପ ପେନ୍ଥାଟି ଦୃଷ୍ଟି ସମକ୍ଷରେ ଜଳଜଳ ହୋଇ ଦିଶିଯାଇଥାଏ । ସେ ଫୁଲପେନ୍ଥାଟି ହାତକୁ ନେଲେ । ଧୂଳି ଝାଡ଼ି ଦେଇ କ୍ଷଣକାଳ ଅନାଇ ରହିଲେ । ତାପରେ ଚିନ୍ତାହୀନ ଭାବରେ ଫୁଲଟିକୁ ଛବିର ଗଭାରେ ଖୋସି ଦେଲେ । ଯୌବନର ସ୍ପନ୍ଦନରେ ସାର ଦେହ କମ୍ପି ଉଠିଲା । ଛବିର କପାଳରେ ବିନ୍ଦୁ ବିନ୍ଦୁ ଝାଳ ଫୁଟି ଉଠୁଥିଲା ।

 

ଭଙ୍ଗା କୋଠାର ଶଯ୍ୟା ଉପରେ ଶୋଇରହିଛି ଛବି । ଏବେ ମଧ୍ୟ ଦେହରେ ଉତ୍ତାପ ଅଛି । ସେ କିପରି ଏଠିକି ଆସିଲା ମନେ ନାହିଁ । ତଥାପି ପଛ କଥାଗୁଡ଼ା ପୂରାପୂରି ପାସୋରା ଯାଇନି । ସ୍ମୃତିର ଛିଦ୍ର ପଥରେ ପୁଳା ପୁଳା ହୋଇ ଲାଗି ରହିଛି ଅତୀତର ଅନୁଭୂତି । ଧାଈ ଛବି ତଳକୁ ଯାଇଛି । ପଟ୍ଟନାୟକ ବଂଶର କାଳି ଲଗାଇଛି । ଯେଉଁ କ୍ଷୁଧିତ ଦୃଷ୍ଟିକୁ ସେ ଭୟ କରୁଥିଲା, ଶେଷରେ ସେ ଦୃଷ୍ଟିକୁ ସେ ଭୟ କରୁଥିଲା, ଶେଷରେ ସେ ଦୃଷ୍ଟିର ସେ ଶିକାର ହୋଇଛି । ହସି ହସି ମଦ୍ୟ ପାତ୍ରରେ ମଦ୍ୟ ଢାଳି ଦେଇଛି । ତଟକା ମଦର ତାଜା ଗନ୍ଧରେ ବିକି ଦେଇଛି ତାର ନାରୀତ୍ୱ । ନର୍କକୁ ପଥ ଓଳାଇଛି ।

 

ନା, ସେ ପୁଣି ନାରୀ ହେବ, ଫେରିଆସିବ ତାର ବାଟକୁ । ସିମିବୁଢ଼ୀ କୋଳରେ ମୁଣ୍ଡଗୁଞ୍ଜି ଶୋଇ ରହିବ । ମା’ ମା’ ବୋଲି ଡାକି ସିମିବୁଢ଼ୀ ଅଜାଡ଼ି ଦେବ ତାର ସ୍ନେହ ସୋହାଗ । ଅନୁଭାଇ ଫେରିଆସିବେ । ଅବୋଧ ଭଉଣୀଟାକୁ ହାତ ପତାଇ କୋଳକୁ ନେବେ । ଅତୀତ ଲୁଚିଯିବ । କଳଙ୍କିନୀ ଛବି ଭିତରୁ ଜନ୍ମନେବ ସତୀ, ସାଧ୍ୱୀ ଚୌଧୁରୀ ଘରର ଲକ୍ଷ୍ମୀ ପ୍ରତିମା ।

 

ଅସହାୟତାରେ ତା’ର ଚକ୍ଷୁ କରୁଣ ହୋଇଉଠିଲା । ନା ଅନୁଭାଇ ଆଉ ଫେରିବ ନାହିଁ-। ପତିତା ଛବିପାଇଁ ଚୌଧୁରୀ କୁଳରେ ସ୍ଥାନ ନାହିଁ । କୁଳଶୀଳହୀନା ସିମିକୁ ଧରି ସେ ବଞ୍ଚିରହିବ-। ସେ କ’ଣ ତାକୁ ଫୋପାଡ଼ି ଦେବ ? କୋଳପତାଇ ଆଦରି ନେବେନି ?

 

ସିମିବୁଢ଼ୀର ଝିଅ ହେବ ଛବି । ପଟ୍ଟନାୟକ ବଂଶର ନା ବୁଡ଼ିବ । ଯୋହନ ପାଣର ଇତିହାସ ସଙ୍ଗେ ମିଶିଯିବ ତା’ର ଇତିହାସ । ସେ ତା’ର ସ୍ୱତନ୍ତ୍ର ଇତିହାସ ଲେଖିବ ।

 

ଭାବି ଭାବି ପାଗଳ ହୋଇଯିବ ସେ । ନିଷ୍ଠୁର ସିମିବୁଢ଼ୀ ମଧ୍ୟ ଧାଇଁ ଆସିବନି । ବିପଥଗାମିନୀ ଛବିପାଇଁ ତା ହୃଦୟରେ ଦୟା ନାହିଁ । ସେ ବି’ ପଛଘୁଞ୍ଚା ଦେଇ ରହିବ । ସମସ୍ତେ ଗୋଟାଏ ଅଭିନୟରେ ମାତିଥିଲେ । ତାକୁ ପଥହରା କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । ବେଶ୍‍, ସେ ପଥ ହରାଇଛି । ରାଜପଥ ଛାଡ଼ି ଗଳି କନ୍ଦିକୁ ଗୋଡ଼ ବଢ଼ାଇଛି । ଜନାକୀର୍ଣ୍ଣ ରାଜପଥ ଉପରେ ସ୍ଥାନ ନାହିଁ ତା’ର । ଗଳିକନ୍ଦିର ପାନ୍ଥଶାଳାରେ ସେ ବସି ରହିବ । କେହି ନ ଆସନ୍ତୁ ତା’ର ଚିନ୍ତା ନାହିଁ । ଯନ୍ତ୍ରଣାରେ ହାତ ମୁଠା ମୁଠା କରି ସେ ଗର୍ଜି ଉଠିଲା ।

 

କାନ୍ଥଦର୍ପଣ ଛାଇ ପଡ଼ୁଛି । ପିଲାଦିନେ ନିଜ ଛାଇ ଦେଖି ନିଜେ ବିମୁଗ୍‍ଧ ହେଉଥିଲା । ଆତ୍ମପ୍ରେମରେ ଆଖି ଦୁଇଟି ତେଜୀୟାନ୍‍ ହୋଇଉଠୁଥିଲା । ଏ ଛାଇ କ’ଣ ସେହି ଆତ୍ମପ୍ରେମୀ ଛବିର ? ବୁଝିବାକୁ ଚେଷ୍ଟା କରୁଥିଲା ସେ । ନା’ ଏ ଛାଇ ତା’ର ନୁହେଁ, ନରକର ଗୋଟାଏ କୀଟର–ନରରକ୍ତପାୟୀ ଗୋଟାଏ ପିଶାଚୀର ! ସେ କେବଳ ଦେବବାଳାର ଛାଇ ଦେଖିଥିଲା । ସ୍ୱର୍ଗ ପଛେ ରୌରବର ଏ କଳ୍ପନା କରି ପାରି ନଥିଲା ସେ ।

 

ମାଈ ଘରଚଟିଆଟି ମୁଣ୍ଡ ଉପର ଦେଇ ଉଡ଼ିଗଲା । କାଠିକୁଟା ଧରି ଘର ଛାତରେ ସେ ବସା ବାନ୍ଧୁଛି । ଆଦରରେ ଖୋଜି ଆସିଛି ପୁରୁଷ ପକ୍ଷୀଟା । ଗୋଟିଏ ନୀଡ଼ରେ ଦୁଇଟି ପକ୍ଷୀ । ଚଞ୍ଚୁ ଚୁମ୍ୱନ କରି ପ୍ରେମରେ ମାତି ଯାଉଛନ୍ତି । ବେଶ୍‍, ନିରାପଦ ନୀଡ଼ । ବର୍ଷା ବତାସିରେ ଅସ୍ଥିର ହେବାର ପ୍ରଶ୍ନ ଉଠୁନି । ପକ୍ଷୀ ଜୀବନରେ ଏତିକି ହୁଏତ ଶାନ୍ତି । ଛୋଟ ଛୋଟ ଡେଣା ଦୁଇଟିରେ ଯଥେଷ୍ଟ ବଳ ଅଛି । ମନଇଚ୍ଛା ଆକାଶ ତଳକୁ ଉଡ଼ିଯିବେ । କେହି ନାହିଁ ଆଖି ତରାଟିବାକୁ କେହି ନାହିଁ ଟୀକା ଟିପ୍ପଣୀ ଦେବାକୁ ।

 

ଛବିର ଦୁର୍ବଳ ଡେଣା ଶକ୍ତ ହୋଇଆସୁଛି । ପକ୍ଷୀ ସଙ୍ଗରେ ମିତ ହୋଇ ସେ ଦିଗ୍‍ବଳୟ ତଳକୁ ଉଡ଼ିଯିବ । ଭାରୀ ଭାରୀ ଦେହଟା ହାଲୁକା ହୋଇ ଆସିଲାଣି । ଗଭା ଭିତରେ କିରଣବାବୁଙ୍କର ଉପହାରଟି ଶୁଖି ଆସୁଛି । ସେ ଏହାର ବିନ୍ଦୁ ବିସର୍ଗ ଜାଣେନା । ତଥାପି ଏ ଫୁଲଟି ଖୋଷି ଦେବାରେ ତାଙ୍କର କି ଆନନ୍ଦ ?

 

ଘରଚଟିଆ ଦୁଇଟି ଉଡ଼ି ଚାଲିଲେ । ତା’ର ଦୃଷ୍ଟି ସୀମାର ବହୁ ଦୂରକୁ ସେମାନେ ଉଡ଼ିଗଲେ । ନୀଡ଼ଟି ପଡ଼ି ରହିଛି । ପୁରୁଣା ନୀଡ଼ ପ୍ରତି ମମତା ନାହିଁ । ନିତି ନୂଆ ନୂଆ ନୀଡ଼ ବାନ୍ଧିବେ । ଆକାଶ ନୂଆ ହେଉଛି । ପକ୍ଷୀ’ବି ନୂଆ ପାଲଟିବ । ଯୁଗ ଯୁଗର ଆଦିମ ଧରଣୀ ପାଇଁ କାହିଁକି ଏ ମୋହ ? ଗୁଳାରେ ଚାଲି ଚାଲି ପାଦ ବିନ୍ଧି ଆସିଲାଣି । ସେ ରାହା ଫିଟାଇବ । ନୂଆ ବାଟରେ ଗତି କରିବ । ଅମଡ଼ା ବାଟରେ ଦୁଃଖ ଥାଏ । ତଥାପି ସେଥିରେ ଆନନ୍ଦ କଣ କମ୍‍ ?

 

ଛବି ଏଥର ହସି ଉଠିଲା । ତା’ର ହସ ଭିତରେ ଲୁଚିଗଲା ଜୀବନର କେତେ କ’ଣ ଭ୍ରମ ପ୍ରମାଦ ଓ ଭୁଲ୍‍ ଭ୍ରାନ୍ତି । କ୍ରାନ୍ତି ଦର୍ଶିନୀ ଛବି ହସୁଛି । ଆଗରେ ବଞ୍ଚି ରହିବାର ପ୍ରଶସ୍ତ ପଥ । ନରକର ବୋଝ ବହି ସେ ବଞ୍ଚି ରହିବ । ରକ୍ତ ମାଂସର ଛବି ମରିବ ନାହିଁ । ଦେବତା ଛବିର ପାପ ପୁଣ୍ୟ ବିଚାରରେ କି ଲାଭ ଅଛି ତା’ର ?

 

ଚୌଧୁରୀ ଘର ଲୋକ ଫେରିଯିବା ପରେ କୀର୍ତ୍ତି ବୋଉଙ୍କର ଗୋଡ଼ ତଳେ ଲାଗୁନି । ଏମାସ ଗଲେ ଆରମାସକୁ ବାହାଘର । କହୁଁ କହୁଁ ମାସଟିଏ ଗଡ଼ିଯିବ । କାଳ ବେଳ ଭଲ ଥିଲେ ଏ ମାସରେ ନିମିତ୍ୟ ବଢ଼ାଇ ଦିଅନ୍ତେ । ଯୋଗଲଗ୍ନ ଶୁଝୁନି । ଜାଣୁ ଜାଣୁ ଶୁଭ କାର୍ଯ୍ୟଟା କରନ୍ତେ କିପରି ?

 

‘‘ବାଇଆଟା ମୋର ଫେରିବ ବୋଲି ପରତେ ନ ଥିଲା । ରାଧାମାଧବ ମୋ ଦୁଃଖ ଶୁଣିଛନ୍ତି । ଏଣିକି ଛ’ମାସ ଛାଡ଼ି ବରଷେ ଯାଉ । ଝିଅ ମୋର କୋଉ ବୁଢ଼ୀ ହୋଇ ଯାଉଚି ?’’ ଏମିତି କେତେ କଥା । ସାହିର ଯାଆ ଯେଉଳାମାନଙ୍କୁ ଧରି କୀର୍ତ୍ତି ବୋଉ ଗପି ଚାଲିଛନ୍ତି । ଘର ପାଇଟି ପୂରାପୂରି ପାସୋରି ଦେଲେଣି । କୂଳଦେବତା ‘ରାଧାମାଧବ’ଙ୍କ ଉଦ୍ଦେଶ୍ୟରେ ଥର ଥର ଜୁହାର ଜଣାଉଛନ୍ତି ।

 

କୀର୍ତ୍ତି ଏବେ ବୋଉଙ୍କୁ ଛପି ଛପି, ଚାଲେ । ନିରୋଳା ଘରଟିରେ ବସି କେତେ କ’ଣ ଭାବିଯାଏ । ବିବାହଟା ଗୋଟେ ବୋଝ ବୋଲି ତା’ର ଧାରଣା ନ ଥିଲା । ଏବେ ଅଙ୍ଗେ ଅଙ୍ଗେ ଲିଭାଉଛି । କଲେଜ ଜୀବନରେ ବୋଉ ବାପା ବିବାହ କଥା କହିଲେ ସେ ହସି ହସି ଗଡ଼ି ଯାଉଥିଲା । ‘ସ୍ୱସ୍ତି’ ପରି ବିବାହଟା ଥିଲା ତା’ ପକ୍ଷରେ ଏକ ସୌଖୀନ୍‍ ବସ୍ତୁ । ଆଜି କିନ୍ତୁ ସେ ଅନୁଭବ କରୁଛି, ବିବାହ ନାଁ’ରେ ସଂସାରର ଏକ ଶକ୍ତ ବୋଝ ତା’ ଉପରେ ମାଡ଼ି ମାଡ଼ି ପଡ଼ୁଛି । ବାପ ମା’ଙ୍କୁ ଛାଡ଼ିଯିବା କଥା ଭାବି ବସିଲେ ଆଖିରେ ଲୁହ ରହୁ ନାହିଁ । ତାହାର ଲୁହବୋଳା ମୁହଁଟିକୁ ଦେଖିଲେ ବୋଉ କାନ୍ଦି ଉଠନ୍ତି । ବୋଧ ଦେଇ କହନ୍ତି, ଦେ’ଲୋ ମା, ଝିଅ ଜନମ ପରଘରକୁ ।

 

ବୋଉର ଏ ଆଶ୍ୱାସନାରେ ସେ ତୃପ୍ତ ହୋଇ ପାରେନା । ଘଡ଼ି ଘଡ଼ି ବସି କାନ୍ଦିବାକୁ ଇଚ୍ଛା ହୁଏ । ଭାଉଜମାନେ ବସାଇ ଦିଅନ୍ତି ନାହିଁ । ଭଳି ଭଳିର ଖୋଷା ପାରି ମଲ୍ଲୀ ଓ ମାଳତୀ ଫୁଲ ବେଢ଼ାଇ ଦିଅନ୍ତି । ଛାଟିପିଟି ହୋଇ ସେ ପଳାଇ ଯିବାକୁ ଚେଷ୍ଟା କରେ । ହେଲେହେଁ ସେମାନଙ୍କ ହାତରୁ ମୁକ୍ତି ନାହିଁ । ଟାହି ଟାପରା କରି ହାଡ଼ରୁ ମାଉଁସ ଝୁଣି ନିଅନ୍ତି । କେଡ଼େ ବେସରମୀ ଏଇ ଭାଉଜଗୁଡ଼ାକ ? ଭାଇମାନେ ଥିଲେ କ’ଣ ଭାବୁଥିବେ ?

 

ବୋଉ ପାଟି କରି ଉଠିଲେ ସେମାନେ ପଳାଇ ଯାଆନ୍ତି । କେଉଁଠି ଥାଏ, ଜୋକ ପରି ଲାଗି ଆସେ ‘ସ୍ୱସ୍ତି’ । ହାଡ଼ ମାଉଁସ କରି ପାଞ୍ଚପଳ ହେବନି । କାଠି ପରି ଦୋହଲୁଛି । ତା’ର ପୁଣି ଗୁଣ କହିଲେ ନ ସରେ । ‘ଦେଈ’ ‘ଦେଈ’ ଡାକି ପାଖକୁ ଆସେ ।

 

ନୂଆ ଭାଇ ପାଖରୁ ତା’ର କଅଣ ପ୍ରାପ୍ୟ, ସେ ସବୁର ତାଲିକା କୀର୍ତ୍ତି ପାଖରେ ଦେଇଯାଏ । ତା’ର ଏଇ ଦୁଷ୍ଟାମିରେ ସେ ଚିଡ଼ି ଉଠେ । ହେଲେହେଁ ମାରିବାକୁ ହାତ ଯାଏନା । ମାରିଲେ କୋଉ ନିସ୍ତାର ଅଛି ? ସ୍ୱରଟା ପଞ୍ଚମକୁ ଟପିଯାଏ । ବୋଉ ଆଗରେ ଯାଇ ଆପତ୍ତି କରେ–‘‘ଦେଈର ବର କଥା କହିଲି ବୋଲି ସେ ମୋତେ ମାଇଲା ।’’ କୀର୍ତ୍ତିର ମୁଣ୍ଡ ଛିଡ଼ି ପଡ଼େ । ହସି ହସି ବୋଉ ସ୍ୱସ୍ତିକୁ ଆକଟ କରନ୍ତି, ‘‘ ଛି, ଠାକୁର ଦେଈ ପରା । ତାକୁ ଆଉ ଚିଡ଼ାଇବୁ ନାହିଁ ।’’

 

କୀର୍ତ୍ତି ରକ୍ଷା ପାଏ । ସ୍ୱସ୍ତିକୁ ଦେଖିଲେ କଥା କହେନା । ସେ କିନ୍ତୁ ଛାଡ଼ିବାର ଜନ୍ତୁ ନୁହେଁ-। ‘‘ଦେଈ ମ, ତୋ ବରଟା କୁଆଡ଼େ ବାଇଆ ? ଦରବାହା ହୋଇ ତୋତେ ଛାଡ଼ି ପଳାଇବ-?’’ ଏଥର ନ ହସି ରହି ପାରେ ନା କୀର୍ତ୍ତି । ସେ ମୁଣ୍ଡ ଟୁଙ୍ଗାରୀ ସମ୍ମତି ଜଣାଏ । ସ୍ୱସ୍ତିକୁ କୋଳକୁ ଭିଡ଼ି ଆଣି ତା’ କାନ ପାଖରେ କହେ, ‘‘ସେ କହୁଥିଲେ ତୋତେ ବାହା ହେବେ । କ’ଣ ଭଲ ହେବନି-?’’

 

‘‘ଏଡ଼େ ସୁଆଗ ତା’ର ?’’ ତଳେ ଗୋଡ଼ ବାଡେଇ ଉଁ...ଉଁ ଆରମ୍ଭ କରେ ସ୍ୱସ୍ତି ।

 

ତଳୁ ବୋଉଙ୍କର ପାଟି ଶୁଭେ । ସ୍ୱସ୍ତିକୁ ବୋଧ ଦିଏ କୀର୍ତ୍ତି ।

 

‘‘ଛି’’ ମିଛରେ କହିଲି ନା । ସୁନାଭଉଣୀ କଣ ଏମିତି ହୁଅନ୍ତି ?’’ ସ୍ୱସ୍ତିକୁ ତଳୁ ଉଠାଇଆଣି କୋଳରେ ବସାଏ । ଗାଲରେ ବୋକଟିଏ ଦେଇ ଗେହ୍ଲାକରେ ।

 

ସ୍ୱସ୍ତି ଥଣ୍ଡା ପଡ଼ିଆସେ । ତଥାପି ତା’ର ଅନୁନାସିକ ସ୍ୱରଟା ପୂରାପୂରି ବନ୍ଦ ହୋଇନଥାଏ । ଏ ଜିନିଷ ସେ ଜିନିଷ ଦେଖାଇ ତାକୁ ବୋଧ କରେ କୀର୍ତ୍ତି ।

 

ଖାଇବା ପାଇଁ ବୋଉ ଡାକ ଦିଅନ୍ତି । ‘‘ଆ’ ମା, ଭାତ ଦି’ଟା ଶୁଖି ଭଜାଚାଉଳ ହେଲାଣି-।’’ ଇଚ୍ଛା ନ ଥିଲେ ମଧ୍ୟ ସେ ଯାଏ । କାନି ଧରି ଧରି ପଛରେ ଚାଲିଥାଏ ସ୍ୱସ୍ତି ।

 

ସୁସ୍ଥ ହୋଇ କାମରେ ଯୋଗ ଦେଲାଣି ଛବି । କେତେଦିନର ଅନୁପସ୍ଥିତି ଫଳରେ ଡାକ୍ତରଖାନାରେ ଆବ୍‍ହାୱାଟା କିପରି ଖାପଛଡ଼ା ଲାଗୁଛି । ବଡ଼ ସାହେବ ନାହାନ୍ତି ବୋଧହୁଏ ? ଛୁଟିରେ ଥିବେ ।

 

ଧାଈଠାରୁ ବେହେରା ପର୍ଯ୍ୟନ୍ତ ସମସ୍ତେ କିପରି ଏକ ଅସ୍ୱାଭାବିକ ଭଙ୍ଗୀରେ ଚାହିଁ ରହିଛନ୍ତି । ଥଟ୍ଟା ପରିହାସ, ଆଖିଛଟା, ସବୁ ଯେପରି ତାକୁ କେନ୍ଦ୍ରକରି ଗଢ଼ି ଉଠୁଛି । କଥା କ’ଣ ପଚାରିବାକୁ ସାହସ ନାହିଁ । ଫୁସୁ ଫୁସୁ କଥାରେ କାନ ବଧିର ହୋଇଯାଉଛି ।

 

ପ୍ରୀତି ଚାହିଁ ଦେଇ ଚାଲିଗଲା, ପାଟି ଫିଟାଇଲା ନାହିଁ । କ’ଣ ଏ କଟାକ୍ଷର ଅର୍ଥ ? ବୁଝିବା ତା’ପକ୍ଷେ କଷ୍ଟକର । ପ୍ରୀତିକୁ ପଚାରିବ । ତା’ର ଭୁଲ ଥିଲେ ପ୍ରାୟଶ୍ଚିତ କରିବ । କିନ୍ତୁ ଭୁଲ୍‍ଟା କେଉଁଠି ? ବାରମ୍ୱାର ଚେଷ୍ଟାକରି ମଧ୍ୟ ସେ ବୁଝିପାରେନା ।

 

ଜୀବନରେ ଅନେକ ତାକୁ ଠକି ଦେଇଛନ୍ତି । ଭାଇ ଭାଉଜଙ୍କର ଅନାଦର ଭିତରେ ସେ ସଢ଼ି ଆସିଛି । ବାପା ମା’ଙ୍କର ସ୍ନେହ କ’ଣ, ଜନ୍ମରୁ ଜାଣେନା । ସିମିବୁଢ଼ୀ କୋଳରେ ପିଲାଦିନ କଟିଥିଲା । ହେତୁ ପାଇଲାଦିନୁ ବିଦେଶ ଭୂଇଁରେ । ଜନ୍ମୋତ୍ସବର ଛଳନା କରି ବଡ଼ ସାହେବ ଡାକି ନେଲେ । କିନ୍ତୁ କଣ ହେଲା ସେ ବଡ଼ ସାହେବ ଡାକିବାର ପରିଣତି ? ମନରେ ତାତି ଧରି ଫେରିଆସିଲା ସେ । କେହି ବୁଝିଲେନି ତା’ର ଅବସାଦ । ସମସ୍ତେ ଦୂରେଇ ଗଲେ । ସିମିବୁଢ଼ୀ ବାଦ ସାଧିଲା । ଭୂତକୋଠି ଭିତରେ ସେ ପଡ଼ି ରହିଲା ଏକାନ୍ତ ଓ ନିଃସହାୟ ହୋଇ । ସେ ପଥହରା ହୋଇ ଛୁଟିଲା । ଜୀବନ ପାଇଁ ଖୋଜିବୁଲିଲା ଅବଲମ୍ୱନ । ଅବଲମ୍ୱନ ନପାଇ ରୁଦ୍ଧଧାରାଟା ଯଦି ନର୍ଦ୍ଦମା ଦେହରେ ମିଶିଯାଏ, ତେବେ ଦୋଷ କଣ କେବଳ ଧାରାର ? ଯେଉଁମାନେ ଦିନେ ପଥ ଦେଖାଇ ଦେଲେ, କୂଳରେ ଥାଇ ମଜା ଦେଖିଲେ, ସେମାନେ ସମସ୍ତେ କ’ଣ ନିର୍ଦ୍ଦୋଷ ?

 

କ୍ରୋଧରେ ଅସ୍ଥିର ହୋଇଉଠେ ଛବି । ଚକ୍ଷୁ ଦୁଇଟି ରକ୍ତାକ୍ତ ହୋଇଆସେ । ତଥାପି ସେ ଜାଣେ ଏ ରକ୍ତିମାରେ ଉତ୍ତାପ ନାହିଁ । ପାଚିଲା ମହାକାଳ ଫଳର ରକ୍ତିମା ପରି ଏହା ନିରର୍ଥକ-। ଭିତରର କାଳିମାକୁ ଘୋଡ଼ାଇବା ପାଇଁ ଏହା ହୁଏତ ଏକ ବ୍ୟର୍ଥ ପ୍ରୟାସ ।

 

ରେଗୀଟିଏ କ୍ଷୀଣକଣ୍ଠରେ ଚିତ୍କାର କରି ଉଠିଲା । ସେ ଆତ୍ମସ୍ଥ ହୋଇ ତା’ର ଖଟିଆ ପାଖକୁ ଆଗେଇଗଲା । ପାଟିରେ ମୁନ୍ଦିଏ ଔଷଧ ଦେଲା । ଆଶାନ୍ୱିତ ଭାବରେ ଚାହିଁ ରହିଲା ରୋଗୀଟି । ଛବିର ଦୃଷ୍ଟି ଭିତରୁ ସେ ତା’ର ଭାଗ୍ୟରହସ୍ୟ ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲା । ଜଟିଳ ଦୃଷ୍ଟିରୁ କିଛି ବୁଝିପାରିଲା ନାହିଁ । ଯନ୍ତ୍ରଣାରେ ବ୍ୟଥିତ ହୋଇ ପାର୍ଶ୍ୱ ବଦଳାଇଲା । ପାଖ ଖଟିଆର ରୋଗୀ ପାଖକୁ ଆଗେଇ ଚାଲିଲା ଛବି ।

ଦିନ ରତରତ ହେଉଛି । ଡାକ୍ତରଖାନାରେ ଦିଆଲ ଉପରୁ କଅଁଳ ଖରା ଅପସରି ଗଲାଣି । ପାଖ ତାଳବନ ଓ ଉଚ୍ଚା ଉଚ୍ଚା ଗଛ ଅଗରେ ଲାଗି ରହିଛି ଅସ୍ତସୂର୍ଯ୍ୟର କନକ କିରଣ । ପକ୍ଷୀମାନେ ଯେ’ଝା ସ୍ଥାନକୁ ଫେରିଯାଉଛନ୍ତି । ସେ କେଉଁଠିକି ଫେରିବ ?

ମୁକପରି ଠିଆ ହୋଇଥିଲା ଛବି । ଆଖି ଆଗରେ ଭାସି ଉଠୁଥିଲା ଡାକ୍ତରଖାନାର ଖେଳପଡ଼ିଆ । କିରଣବାବୁ ଟେନିସ୍‍ ଖେଳୁଛନ୍ତି । ବ୍ୟାୟାମରତ ଦେହଟି ଦାଉ ଦାଉ ହୋଇ ଜଳିଉଠୁଛି । ସେ ତାଙ୍କ ଆଡ଼କୁ ଚାହିଁ ପାରୁନି । ବଳିଷ୍ଠ ବାହୁ ଦୁଇଟି ଅବଳୀଳା କ୍ରମେ ଏ ପାଖ ସେ ପାଖ ଗତି କରୁଛି । ସତେ ଯେପରି ଅବିରାମ ବାହୁ ଦୁଇଟି । କେଡ଼େ ଦୁର୍ବଳ ସେ, ଆଉ କେଡ଼େ ସବଳ ପୁରୁଷର ଏହି ବାହୁଯୁଗଳ ? ନର୍କକୁ ବାଟ ଫିଟାଇ ମଧ୍ୟ ଏ ବାହୁ ଶ୍ରାନ୍ତ ହୁଏନା । ଦିନର ଆଲୋକ ତଳେ ରାତିର ଅନ୍ଧକାରକୁ ଭୁଲିଯାଏ । କର୍ମ କରିବା ବୋଧହୁଏ ତା’ର ଧର୍ମ ? ସ୍ୱର୍ଗ ନର୍କର ବିଚାର ସେ ସ୍ୱୀକାର କରେନା । ପାପ ପୂଣ୍ୟର ଭୟ ହୁଏତ ନାରୀମନର ଏକ ଦୁର୍ବଳତା ?

ଡାକ୍ତରଖାନାର ପ୍ରତି ଓ୍ୟାର୍ଡ଼ରେ ଆଲୋକ ଜଳି ଉଠିଲା । ପାପପୂଣ୍ୟର ମଣିଷଟା ଧୋଇ ହୋଇ ଯାଉଛି । ରାତ୍ରିର ଯକ୍ଷତଳେ ଛବି ବେଶ ସୁନ୍ଦର ଦିଶୁଛି । ପ୍ରୀତି ଆଉ ହସି ଉଠୁନି । ବେହେରା ଗୁଡ଼ାକି ଆଖିରେ ଦୁଷ୍ଟହସର ଆତସବାଜି ନାହିଁ । ସମସ୍ତେ ଯେପରି କହି ଉଠୁଛନ୍ତି, କେଡ଼େ ସୁନ୍ଦର ତୁମେ ଦିଦି ? ଏହା ହୁଏତ ଛବିର ବର୍ତ୍ତମାନ ଏକମାତ୍ର ପରିଚୟ ।

କର୍ମକ୍ଲାନ୍ତା ଛବି ନିଜକୁ ପାସୋରି ଦେଉଥିଲା । ବଡ଼ ସାହେବଙ୍କ କୋଠାରେ ନୀଳ ଆଲୋକଟା ଜଳିଉଠିଲା । ଦିନର ଆଲୁଅରେ କେଡ଼େ ପ୍ରାଣହୀନ ସେ କକ୍ଷଟା ? ଅଥଚ ରାତିର ଆଲୋକତଳେ କେଡ଼େ ଜୀବନ୍ତ ?

ଡାକ୍ତରବାବୁଙ୍କ ଚାକର ଟୋକାଟା ଇଆଡ଼େ ଆସୁଛି । ସାହେବ ହୁଏତ ପଠାଇଥିବେ । ସେ ମନା କରି ପାରିବ ନାହିଁ । ଆଲୋକର ମାୟାତଳେ ନିଜକୁ ହଜାଇଦେବ । ଭୁଲିଯିବ ତାର ଦିନତମାମର କ୍ଳେଦ କ୍ଳାନ୍ତି । ଭଙ୍ଗାଜୀବନରେ ଏତିକି ହୁଏତ ଆନନ୍ଦ ।

ପାଦେ ପାଦେ ହୋଇ ସେ ଚାକରଟି ପାଖକୁ ମାଡ଼ି ଚାଲିଲା । ଥରି ଉଠିଲା ତା’ର ଛାତି, ଝାଲେଇ ଉଠିଲା ମନ । ହସି ହସି ଗଡ଼ିଯାଉଛି ‘କାନ୍ତି’ । କେତେ ଉଚ୍ଚରୁ ତଳକୁ ଦୋଳିଟା ଖସି ଆସୁଛି । ରଜ ବିତି ଯାଉଛି । ଅଣିଣ ପବନରେ ଉଳୁସି ଉଠୁଛି ମନ । ସେପାରିରୁ ଭାସି ଆସୁଛି କୁଆଁର ପୁନେଇଁ—ସଙ୍ଗୀତର ସୁଅ । ନଈବାଲିରେ ଚରିବୁଲୁଚି ଅଶିଣର ଚୋରାଲହରୀ । କାର୍ତ୍ତିକ ଆସୁଛି । ଗାଁ ଝିଅମେଳରେ ବାଲୁଙ୍କା ପୂଜି, ସେ ମଥା ନଇଁ ଦେଉଛି । ‘‘ଅନୁଭାଇ ପାଇଁ ଭଲ କରି ଜଣା’’—ଆଖି ନଚାଇ ଦୁଷ୍ଟାମି କରୁଛି ଅରୁଣା । ହସି ହସି ଗଡ଼ିଯାଉଛନ୍ତି ସମସ୍ତେ । ବାଟ ଛାଡ଼ି ସେ ଅବାଟରେ ଚାଲିଛି । ଡାକ୍ତରଖାନା ଛାଡ଼ି କେତେ ବାଟ ଆଗେଇ ଆସିଲାଣି । ପ୍ରୀତି କେଉଁଠି ଠିଆ ହୋଇ ତା’ର ଗତିବିଧିକୁ ନଜର୍‍ ଦେଉଥିବ ।

କୁଞ୍ଜକାନ୍ତଙ୍କ ଦେଉଳରୁ ଧୂପଗନ୍ଧ ଭାସି ଆସୁଛି । କାଠ ପଥରର ଦେବତା ପ୍ରତି ଭକ୍ତି ନଥିଲେ ମଧ୍ୟ ପବିତ୍ରତାରେ ହୃଦୟଟା ଉଛୁଳି ଉଠୁଛି । ମଥା ନଇଁ ଯାଉଛି । ଦୂରରୁ ଡାକ ଦେଉଛି ନିର୍ମଳ ଆକାଶ । ଡେଣା ହଲାଇ ପକ୍ଷୀ ଉଡ଼ିଯିବ ।

ଆଖି ଆଗରେ କେତେ ରାତିର ନିଦ ନେଇ ସେ ଉଡ଼ିଯାଇଥିଲା, ସ୍ୱପ୍ନ ଦେଖିଥିଲା, ସମୁଦ୍ରକୂଳର ମତ୍ସ୍ୟଜୀବୀମାନଙ୍କୁ ସଙ୍ଗଠିତ କରିବ । ଶାନ୍ତିପୂର୍ଣ୍ଣ ଜୀବନର ଆଦର୍ଶ ନେଇ ସମାଜ ଗଢ଼ିବ । ଅନାର୍ଯ୍ୟମାନଙ୍କ ସହଯୋଗୀତାରେ ଜନ୍ମନେବ ‘‘ଆର୍ଯ୍ୟପଲ୍ଲୀ’’ । ପ୍ରକୃତି କୋଳରେ ସ୍ୱଚ୍ଛନ୍ଦରେ ଖେଳି ବୁଲିବ ପ୍ରକୃତିର ଶିଶୁ । ନିଜ ଇଚ୍ଛାରେ ସେ ନିଜେ ଚାଳିତ ହେବ । ବଡ଼ ସାନର ଭେଦାଭେଦ ନାହିଁ । ସମୁଦ୍ରକୂଳର ଆଦିମଣିଷ କେଇଟି ପ୍ରେମ ମୈତ୍ରୀରେ କାଳ କାଟିବେ । ସରଳ ଆବିଷ୍କାର ଭିତରେ ଜୀବନ ଗଢ଼ିଚାଲିବ । ନୌକାଭିତରେ ଥର ଥର ଜୀବନଟା ଭାସିଯିବ ସମୁଦ୍ରକୁ, ପୁଣି ଫେରି ଆସିବ କୂଳକୁ । କେଉଟ ଝିଅ ସତିଆ ଅନାଇ ରହିଥିବ । ବାପଭାଇ ତରଙ୍ଗର ଦୋଳା ଭିତରେ ଦୂର ଦେଶକୁ ଭାସିଯିବେ । ସେ ହାତ ହଲାଇ ତାଙ୍କର ଶୁଭ ମନାସିବ । ଆହୁଲା ଭିଡ଼ି ଆଗେଇଯିବେ ତରୀଗୁଡ଼ିକ । କ୍ରମେ ସେ ଗୁଡ଼ିକ ଅଦୃଶ୍ୟ ହୋଇଯିବେ । ସମୁଦ୍ରର ତରଙ୍ଗ ଭିନ୍ନ ସେ ଆଉ କିଛି ଦେଖି ପାରିବ ନାହିଁ ।

ମନୋଦୁଃଖରେ ଫେରି ଆସିବ ସେ । ଜଳ ଦେବତା ତା’ର ବାପ ଭାଇଙ୍କୁ ଟାଣି ନେଇଛି ବୋଲି ଭୟରେ ଚିତ୍କାର କରି ଉଠିବ । ମା’ ଖୁଡ଼ୀ ହସି ହସି ଗଡ଼ି ଯାଉଥିବେ ।

ସଞ୍ଜବେଳେ ପୁଣି ସମୁଦ୍ର କୂଳରେ ଠିଆ ହୋଇ ରହିବ । ଔତ୍ସୁକ୍ୟପୂର୍ଣ୍ଣ ଦୃଷ୍ଟିରେ ବାପ ଭାଇଙ୍କର ପ୍ରତୀକ୍ଷା କରିବ । ସେମାନେ ଗୋଟି ଗୋଟି ହୋଇ ଜଳଦେବତା ଗର୍ଭରୁ ବାହରିବେ । ଦୋହଲି ଦୋହଲି କୂଳରେ ଲାଗିବ ଛୋଟ ଛୋଟ ତରୀଟିମାନ । ବାଲିକୁଦରେ ନାଚି କୁଦି ଗଡ଼ିଯିବ ସତିଆ ।

ସେ ସ୍ୱପ୍ନ ମାଟିରେ ମିଶିଛି । ଜଳଦେବତା ତାକୁ ରାଗରେ ଦରିଆ ମଝିକୁ ଫିଙ୍ଗି ଦେଇଛି-। ଭାସି ଭାସି ଆସି ଲାଗିଛି ରୂପକଥାର କେଉଁ ମାଲ୍ୟାଣୀ ବୁଢ଼ୀ ଫୁଳବଗିଚାରେ । ମଲା ଗଛରେ ଫୁଲ ଫୁଟିଛି । ସୁର ଭିତରେ ଆକୁଳ ହୋଇ ଉଠୁଛି ପ୍ରାଣ ।

କିଏ ତାକୁ ରାଜ୍ୟକୁ ଫେରାଇ ଆଣିଲା ସେ ଜାଣେନା । ତଥାପି ସେ ଆଜି ମାଲ୍ୟାଣୀ ବୁଢ଼ୀର ଫୁଲ ବଗିଚାଠାରୁ ବହୁ ଦୂରରେ ।

କଟମଟ କରି ମାଲ୍ୟାଣୀ ବୁଢ଼ୀ ଚାହିଁ ରହିଛି । କୃତଘ୍ନ ରାଜା ପୁଅଟାକୁ ଦେଖିଲେ ସେ ତଣ୍ଟି ଚିପି ମାରି ଦିଅନ୍ତା । ଦଗା ଦେଇ ରାଜା ପୁଅଟା ଖସି ଆସିଛି । ବିଶ୍ରା ହୋଇ ଯାଇଛି ତାର ଫୁଲଭରା ଉଦ୍ୟାନଟି । ରାଜାଝିଅ ହୁଏତ ଜାତି ଜାତି ଫୁଲ ପାଇଁ ମନ ବଳାଉ ଥିବ । କ’ଣ କହି ରାଜା ଝିଅକୁ ଭୁଲାଇ ଦେବ ସେ ?

ମାସ ପରେ ମାସ ବିତି ଯାଇଛି । ଯନ୍ତ୍ରଣାରେ ଅଧୀର ହୋଇ ଉଠୁଛି ସିମି । ପ୍ରକାଶ-ଉନ୍‍ମୁଖ ପ୍ରାଣଟା କଲବଲ ହେଉଛି । କେତେଦିନ ଆଉ କୁଡ଼ିଆ ଦ୍ୱାରରେ ଅନାଇ ରହିବ ?

ଛବିର ଭଲ ମନ୍ଦ ବୁଝିବାପାଇଁ ସେ ଏଥି ମଧ୍ୟରେ ଏକାଧିକ ଥର ତାର ବସାକୁ ଯାଇଛି-। ଅନେକବେଳ ଯାଏ ଦ୍ୱାର ଦେଶରେ ଠିଆ ହୋଇ ରହିଛି । ହେଲେହେଁ ମା’ ବୋଲି ପଦଟିଏ ଡାକି ପାରିନି । ଭିତରକୁ ପଶିବାକୁ ସାହସ ହୋଇନି ତା’ର । ନିଃଶବ୍ଦରେ ଫେରି ଆସିଛି-। ବିଛଣାରେ ଗଡ଼ି ଗଡ଼ି ରାତିଟି କଟାଇ ଦେଇଛି । ସକାଳ ଆଲୁଅରେ ପୁଣି ଅବୋଧ୍ୟ ହୋଇ ଉଠିଛି ତା’ର ମୁଖମଣ୍ଡଳ ।

ସାଙ୍ଗ ଧାଈଙ୍କଠାରୁ ଶୁଣେ, ବଡ଼ ସାହେବଙ୍କର ଛବି ଉପରେ ଭାରୀ ମେହେରବାନି । ଆଜି କାଲି ତା’ର ବେଶି ସମୟ କଟେ ସାଇବ କୋଠିରେ । ସାଇବ ସଙ୍ଗେ ବସି ସେ ମଦପିଏ, ସିନେମା ଯାଏ । ଚିହିଁକି ଉଠେ ସିମିବୁଢ଼ୀ । ଭୟରେ କଳିଜାଟା ବରଡ଼ାପତ୍ର ପରି ଦୋହଳିଯାଏ । ଜଳଜଳ ହୋଇ ଦିଶିଯାଏ ମଦୁଆ ଯୋହନର ଶେଷକାଳର ଚିତ୍ରଟା । ଯୋହନ ମଦ ପିଉଥିଲା । ନିଶା ପାଣିରେ ଅନ୍ଧ ହୋଇ ଯାଇଥିଲା । କ’ଣ ହେଲା ତା’ର ଶେଷ ଦଶା ? ଆଖି ଆଗରେ ସେ ଦେଖିଛି । ରାସ୍ତା କଡ଼ରୁ ଉଠାଇ ଆଣିବାବେଳେ ଚେତା ନଥାଏ । ଖୁଁ ଖୁଁ ହୋଇ ଥରେ ଦି’ଥର କାଶି ଉଠିଲା । କାଶ ସଙ୍ଗରେ କଲିଜା କଟି ବାହାରି ଆସିଲା ଝଲକା ଝଲକା ଲହୁ: ଓଃ କି ଶୋଚନୀୟ ସେ ଦୃଶ୍ୟ ? ମୁହଁଟା ସଙ୍ଗେ ସଙ୍ଗେ ବିବର୍ଣ୍ଣ ହୋଇପଡ଼ିଲା ।

ଛବି ମଦ ପଉଛି—ବିସ୍ମତ ହେଲା ସିମି । ଇଚ୍ଛା ହେଲା ସେ ଧାଇଁଯିବ । ପାଖରେ ବସାଇ ଆକଟ କରିବ । ଶାସ୍ତି ଦେଇ ଫରାଇ ଆଣିବ । ସାଇବାଣୀ ହେଲେ ତ ସେ ତା’ର ଝିଅ । ମାଆ କଥା ମାନିବ ନାହିଁ ?

ଦେହରେ କାଠେ ବଳ ଅନୁଭବ କଲା ସିମି । ବର୍ତ୍ତମାନୁକୁ ସେ ପାସୋରି ଆସିଲା । ମଦୁଆ ପିଲାଟାକୁ ଶାସନ କରିବାପାଇଁ ମନପ୍ରାଣ ଅସ୍ଥିର ହୋଇ ଉଠିଲା । ଦୃପ୍ତ ପଦକ୍ଷେପରେ ସେ ଆଗେଇ ଚାଲିଲା ।

ବସାଘର କବାଟଟା ଦରଆଉଜା ହୋଇଛି, ତାଲା ପଡ଼ିନି ଛବି ନିଶ୍ଚୟ ଥିବ । ଭଲ ବେଳରେ ସେ ଆସିଛି ।

ପାହାଚ ପାହାଚ ଟପି ସେ ଘର ଭିତରକୁ ପାଦ ପକାଇଲା । କାନ୍ଥକୁ ଆଉଜି ଚିତ୍ର ପ୍ରତିମା ପରି ବସି ରହିଛି ଛବି । ବିଛଣାଟି ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି । କେଉଁ ଦିନୁ ଯେପରି ଝଡ଼ା ହୋଇନି । ଝାଉଁଳା ତନୁଟି ଧରି ଛବି ଢୋଳେଇ ଆସୁଛି । ରାତିସାରା ନିଦ ଯାଇନି ବୋଧହୁଏ । ଅଗ୍ନିକଣା ପରି ଆଖି ଦୁଇଟି ଲାଲ ଦିଶୁଛି । ବଲବଲ କରି ଚାହିଁ ରହିଲା ସିମି । ଆଉ ପାଦେ ସୁଦ୍ଧା ଆଗେଇବାକୁ ତା’ର ଇଚ୍ଛା ନ ଥିଲା । ତଥାପି କି ଏକ ଉତ୍ତେଜନାରେ ସେ ଅନ୍ଧ ହୋଇ ଆସିଲା । ଦୁର୍ବଳ ଦେହଟା ସିଂହ ବିକ୍ରମରେ ଥରି ଉଠିଲା । ଛବିର ଦୁଇ ବର୍ତ୍ତୁଳ ବାହୁକୁ ମାଡ଼ି ବସି ସେ ଜୋର୍‍ରେ ହଲାଇ ଦେଲା । କର୍କଶ ସ୍ୱରରେ ଡାକିଲା, ଛବି...

ସିମି ବୁଢ଼ୀର ଏ କର୍ତ୍ତ୍ୱତ୍ୱ ସଂପୂର୍ଣ୍ଣ ଅପ୍ରତ୍ୟାଶିତ । ଭୟରେ ଚମକି ପଡ଼ି ଆଖି ଖୋଲିଲା ଛବି । ଯମଦୂତ ପରି ହାତ ମୁଠା ମୁଠା କରି ସିମି ବୁଢ଼ୀ ଠିଆ ହୋଇ ରହିଛି । କି ବିକଟାଳ ଦିଶୁଛି ତା’ର ମୂର୍ତ୍ତିଟା ? ଭୟ ବିହ୍ୱଳିତ କଣ୍ଠରେ ସେ ଉତ୍ତର ଦେଲା, ‘ଉଁ’.. ଆଖି ଦୁଇଟି ପୁଣି ମୁଦି ହୋଇ ଆସିଲା ।

ସିମିବୁଢ଼ୀ ନିଶ୍ଚଳ ଭାବରେ ଠିଆ ହୋଇଥିଲା । କୋଧଦୀପ୍ତ ଦୃଷ୍ଟିଟା ତା’ର ଶୀତଳ ହୋଇ ଆସୁଥାଏ । ରାଗିବା ପରିବର୍ତ୍ତେ ସେ କାନ୍ଦି ଉଠିଲା । ଚକ୍ଷୁରୁ ଝର ଝର ହୋଇ ଛୁଟି ଚାଲିଲା ଅଶ୍ରୁଧାର । ଏଇ ଅବସ୍ଥା ଦେଖିବାକୁ ସେ କଣ ଧାଇଁ ଆସିଥିଲା ।

ଖଟତଳୁ ସୁରେଇଟି ଆଣି ପାଣି ଗିଲାସେ ପୂରାଇଲା । କେଉଁ ଦିନର ପଚା ପାଣି । ପୋକ ହୋଇ ଆସିଲାଣି । ପାଣିରୁ ଦି’ତଳ ଛବି ମୁହଁରେ ଛାଟିଦେଲା । ଖୁଁ, ଖୁଁ’ ହୋଇ କାଶି ଉଠିଲା ଛବି । ଚକିତ ଦୃଷ୍ଟିରେ ସେ ଅନାଇ ରହିଲା । ଶୁଖିଲା କାଶଟା ଛାଏଁ ଛାଏଁ ବନ୍ଦ ହୋଇ ଆସିଲା ।

ବେକ ତଳେ ହାତଦେଇ ସେ ଛବିକୁ ଛାତି ଉପରକୁ ଆଉଜାଇ ଆଣିଲା । ଛବି ଆଉ ଶୋଇ ପାରିଲା ନାହିଁ । ସିମିବୁଢ଼ୀର ଦେହ ବାଜି ସେ ଚେଇଁ ଉଠୁଛି ।

ଅବଶ ଆଖି ମେଲାଇ ସେ ଚୌଦିଗକୁ ଦେଖି ନେଲା । ଆଖି ଆଗର ବସ୍ତୁଗୁଡ଼ିକ ଝାପ୍‍ସା ହୋଇ ଉଠୁଛନ୍ତି । ସେ ସ୍ପଷ୍ଟ ଭାବରେ କିଛି ଦେଖିପାରୁ ନାହିଁ । ସିମିବୁଢ଼ୀ ଉପରେ ଆଉ ରାଗିବାର ପ୍ରଶ୍ନ ଉଠୁନି । ଅତୀତର ସବୁକ୍ରୋଧ ସେ ଭୁଲିଯାଇଛି । ନିଶ୍ଚଳ ଭାବରେ ତା’କୋଳରେ ଶୋଇ ରହିବ । ତା’ର ବିଶୀର୍ଣ୍ଣ ଦେହ ଉପରେ ବୁଲି ଚାଲିବ ସିମି ବୁଢ଼ୀର ରାଢ଼ୁଆ ହାତଟା ।

ଛବିର ଗଣ୍ଡ ଦେଶରେ ହାତ ବୁଲାଉ ବୁଲାଉ ସିମିର ଆଖି ଦୁଇଟି ଆଭାହୀନ ହୋଇ ଉଠିଲା । ପଟ୍ଟନାୟକେ କଟମଟ କରି ଅନାଇ ରହିଥିଲେ । ନିଜର ଅକ୍ଷମତାରେ ସେ ଭାଙ୍ଗି ପଡ଼ୁଥିଲା । ଦୁଃଖର ପାହାଡ଼ଟା ତଣ୍ଟି ଉପରେ ମାଡ଼ି ବସୁଥାଏ । ଅତି କଷ୍ଟରେ ସେ ଡାକି ଉଠିଲା, ‘ମାଆଲୋ’ .......କଣ୍ଠ ବାଷ୍ପାଚ୍ଛନ୍ନ ହୋଇ ଆସିଲା । ଛବିର ବକ୍ଷ ଦେଶରେ ଖସି ପଡ଼ିଲା ଲୁହର ବିନ୍ଦୁ କେଇଟି ।

ସିମିର ତତଲା ଲୁହରେ ସେ ଚେଇଁ ଉଠିଲା । ଦୁର୍ବଳ ଆଖିପତା ଖୋଲି ପ୍ରଶ୍ନ କଲା, ତୁ କାନ୍ଦୁଛୁ କାହିଁକି ମା’?

ଅବୋଧ ପିଲାଟି ପରି ମାଆର ଆଖି ଅଣ୍ଡାଳି ଛବି ଏ ସହଜ ପ୍ରଶ୍ନ ପଚାରୁଥିଲା । ହେଲେହେଁ ଏହି ନୂଆ ଡାକରେ ସିମିର ହୃଦ ଉଛୁଳି ଆସିଲା । ସେ ନିବିଡ଼ ଭାବରେ ଛବିକୁ ତା’ର ଛାତିରେ ଭିଡ଼ି ଧରିଲା । ଅବୋଧ ମୁହଁଟିକୁ ଗଣ୍ଡ ଦେଶରେ ଲଗାଇ ନିଜ ଲୁହରେ ନିଜେ ଅନ୍ଧ ହୋଇ ଆସିଲା ।

ପେଟ ଭିତରୁ ଦୁଃଖର ହାବୁକା ଉଠୁଛି । ଆଃ , ଆଃ, ଉଃ, ଉଃ,....ବ୍ୟଥାରେ ଅଧୀର ହୋଇ ଉଠିଲା ଛବି । କଲିଜା ଥରାଇ ବେଦନାର ତରଙ୍ଗ ଖେଳିଗଲା । ବାଁ’ ହାତରେ ପେଟଟାକୁ ଚିପି ଧରି ବ୍ୟଥା ଉପଶମ କରିବାକୁ ସେ ଚେଷ୍ଟା କରୁଥିଲା । କିଛି ବୁଝି ନ ପାରି ବିଚଳିତ ହୋଇ ଉଠୁଥିଲା ସିମି ।

ବେଦନା ଲଘୁ ହୋଇ ଆସିଲା । କରୁଣ ଦୃଷ୍ଟିରେ ସେ ପୁଣି ସିମିବୁଢ଼ୀ ଆଡ଼କୁ ଅନାଇ ରହିଲା । ବାପ ମାଆଙ୍କ କଥା ମନେ ପଡ଼ୁଛି । ଭଙ୍ଗା କୋଠର ଛାତ ଦେଇ ସେମାନେ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି । କେତେ ଉଜ୍ଜ୍ୱଳ ତାଙ୍କର ମୁହଁ ? ସେ ସେମାନଙ୍କ ସଙ୍ଗେ ସ୍ୱର୍ଗକୁ ଯାଆନ୍ତା—ଆନନ୍ଦରେ ଖେଳି ବୁଲନ୍ତା ।

ବିକଳ ଭାବରେ ସେ ପଚାରିଲା, ମା’ଲୋ ବାପା ବୋଉ ମୋର କୋଉଠି ଥିବେ ? ମୁଁ ଆଉ ବଞ୍ଚିବି ନାହିଁ । ମୋତେ ସେମାନଙ୍କ ପାଖକୁ ନେଇ ଚାଲ ।

ଏ ପ୍ରଶ୍ନର ଉତ୍ତର ଦେଇ ପାରିଲାନି ସିମି । ଭିତରଟା ଚକଟି ମନ୍ଥିହେଲା । ସେ ଛବିକୁ ବୋଧ ଦେଲା, ଛି ଅଲକ୍ଷଣୀ, ଏକଥା ତୁଣ୍ଡରେ ଧରନ୍ତି ନା ?

ଛବି ନୀରବ ହେଲା । ସିମିବୁଢ଼ୀ ଯନ୍ତ୍ର ପରି ତାତିଲା ନିଃଶ୍ୱାସ ଛାଡ଼ିଯାଉଥାଏ । କୁଳବୁଡ଼ା କନ୍ୟାଟା ଛାତି ଭିତରେ ଡୁବାଳି ହେଉଛ ।

ବନ୍ଧ ଫାଟିଲେ ଉତ୍ସୃଙ୍ଖଳ ସୁଅଟା କୁଆଡ଼େ କେଜାଣି ମାଡ଼ି ଚାଲିବ । ସେ ଛାତି ପକାଇ ଢେଉର ଧକ୍‍କା ସହିଯିବ ପଛେ, ଉଚ୍ଛନ୍ନ ସ୍ରୋତକୁ ବାଟ ଛାଡ଼ିବ ନାହିଁ ।

ଅବୋଧ ପିଲାପରି ଅଳି କରୁଛି ଛବି;—ମା’ ବା, ଆଜି ତୋ’ କୋଳରେ ଏମିତି ଶୋଇ ରହିଚି । ବା’ ଥିଲାବେଳେ ତୁ କ’ଣ ଏମିତି କୋଳରେ ପକାଇ ମତେ ଗେହ୍ଲା କରୁ ନଥିଲୁ ?

ସିମିର ଛାତି ବିଦାରି ହୋଇ ଆସୁଛି । ମନର ନିଆଁଟା ହୁ’ ହୁ’ ହୋଇ ଜଳି ଉଠିଲାଣି । ଆଉ ଧୈର୍ଯ୍ୟ ଧରିବା ସମ୍ଭବ ହେଉ ନାହିଁ ।

ସଁ’ ସଁ’ ନିଃଶ୍ୱାସ ଟାଣି ସେ ଉତ୍ତର ଦେଲା—ଜନ୍ମବେଳକୁ ବା’ ତୋର ସେ ପୁରରେ ।

ସେ ପୁରରେ ? ଚମକି ଉଠିଲା ଛବି । ଶିରା ପ୍ରଶିରାରେ ଗରଳର ସୁଅ ଛୁଟି ଚାଲିଲା ।

—ହଁ’ ଯୋହନ ସେତେବେଳକୁ ସ୍ୱର୍ଗ ପୁରରେ ।

ଯୋହନ ?

କ’ଣ ଶୁଣୁଛି ସେ ? ମାୟାପଟଳରେ ଆଖି ଦୁଇଟି ବାନ୍ଧି ହୋଇଯାଉଛି । ‘ଯୋହନ ପାଣର ଝିଅ ଛବି ?’ ସେ ତଟସ୍ଥ ହୋଇ ଚାହିଁ ରହିଲା । ଡୋଳା ଦୁଇଟି ଲେଉଟିଲା ନାହିଁ ।

ଯନ୍ତ୍ର ପିତୁଳା ସିମି ପଙ୍ଖା କରୁଥିଲା । ଯନ୍ତ୍ର ହାତ ଦୁଇଟି ଅଭ୍ୟସ୍ତ ରୀତିରେ ଘୂରି ଯାଉଛି-। କାଠ ପଥରର ଦେହ ସହିତ ତାହାର ସଂପର୍କ ନାହିଁ । ଯନ୍ତ୍ର ଶକ୍ତିରେ କାର୍ଯ୍ୟ କରିଚାଲିଛି-। ଦେହରେ ପ୍ରାଣ ଅଛି କି ନାହିଁ ସେ ଜାଣେ ନା । ଏକ ଧ୍ୟାନରେ ଚାହିଁ ରହିଛି ।

କେତେବେଳେ ପରେ ଛବି ଆଖି ଲେଉଟାଇଲା । କ’ଣ ଭାବି ପୁଣି ଦୃଷ୍ଟି ରେଖା ସଂକୁଚିତ ହୋଇ ଆସିଲା । ନିସ୍ତେଜ ଦେହଟା କ୍ରମେ ଥରି ଉଠିଲା । ‘ସିମି’ କୋଳରୁ ମଥା ଘୁଞ୍ଚାଇ ନେଇ ଶଯ୍ୟା ଉପରେ ପଡ଼ି ରହିଲା । ଯନ୍ତ୍ରଣାରେ ଆପଦ-ମସ୍ତକ ଅସ୍ଥିର ହୋଇ ଉଠୁଥାଏ ।

ଦିନ ଦ’ଶ ବାଜିଲାଣି । ଅଧୁଆ ମୁହଁରେ ପାଣି ଦେଇନି । ରାତିସାରା ଜଗି ବସିଛି ସିମି-। ଆଖି କଷରେ ପଡ଼ିନି । ଅଧ ରାତିରେ ପ୍ରଳାପଟା ବଢ଼ି ଯାଇଥିଲା । ପାହାନ୍ତା ପହରୁ ଅବସ୍ଥା ଟିକେ ଭଲ ।

ଶିଶୁଟି ପରି ତା’ କୋଳରେ ମୁଣ୍ଡ ଦେଇ ଶୋଇ ରହିଛି ଛବି । ତୁହାଇ ତୁହାଇ ବାପ ଯୋହନ ଓ ସିମିବୁଢ଼ୀର ଅତୀତ କାହାଣୀ ପଚାରି ଯାଉଛି । ବୁଢ଼ୀ ଅସୁରୁଣୀର ଅନନ୍ତ ଗର୍ଭରୁ ଅତୀତ ବହିଯାଉଛି । ସେ ସୁଅରେ ଭାସି ଚାଲୁଛି ଛବି । କୂଳରେ କେତେ କୋଠାବାଡ଼ି ଓ ରାଜ ନଅର । କେଉଁଠି ସେ ଅଟକୁ ନାହିଁ ।

ଯୋହନ ପ୍ରାଣର ରକ୍ତ ସୁଅ ଛୁଟି ଯାଉଛି । ପାହାଡ଼ର ଲୁହଧାର ସମୁଦ୍ରରେ ମିଶିବ, ପୁଣି ବାଷ୍ପୀଭୂତ ହେବ । ଆକାଶରେ ଭାସି ବୁଲିବ । ଆକାଶରୁ ପୃଥ୍ୱୀ, ପୃଥିବୀରୁ ଆକାଶ—ଏମିତି ହୁଏତ ଜୀବନ ଧାରା ଗଡ଼ି ଚାଲିବ । ସୃଷ୍ଟି ଚକରୁ ନିଷ୍କୃତି ନାହିଁ । ଗଡ଼ିଆ ପୋଖରୀ, ନଦୀ ନାଳ କେତେ ନାଁ’ରେ ପରିଚିତ ହେବ ସେ । ହାତ ପତାଇ କେତେ ଲୋକ ଧରି ନେବେ । ଦେହରେ ଦେହ ମିଶାଇ ସ୍ନେହ ଦେଖାଇବେ । କେଉଁଠି ରହି ପାରିବନି ରକ୍ତର ଏ ଅମୁହାଁ ନଈ । ସମସ୍ତଙ୍କୁ ଭୁଲାଇ ସେ ଚାଲିଯିବ । ବାପା—ଯୋହନ ଯେମିତି ଯାଇଛି । ତା’ର ବାପା, ତା’ର ପିତୃ ପୁରୁଷ ।

ଛବି ଉଠି ପଡ଼ିଲା । ବସିବାକୁ ଚେଷ୍ଟା କଲା । ଦେହଟା ଥରି ଉଠୁଛି । ବସିବାକୁ ଶକ୍ତିନାହିଁ । ସେ ତା’ର ମା’ କୋଳରେ ପଡ଼ି ରହିବା । ବାପା ଯୋହନର ସଦ୍‍ଗତି ପାଇଁ ପ୍ରାର୍ଥନା କରିବ । ବୁକୁରେ ବୁକୁ ଜଡ଼ାଇ ‘ମାଆ’ ‘ମାଆ’ ବୋଲି ଡାକ ଛାଡ଼ିବ । ଏତେଦିନର ଦୁର୍ବହ ପ୍ରାଣଟା ଆଜି ଅବଲମ୍ବନ ପାଇଛି । ଉତ୍ତେଜନାରେ ଫୁଲି ଉଠିଲା ‘ଛବି’ ମା’ ମା’ ବୋଲି ଡାକି ସିମି କୋଳରେ ଲୋଟିଗଲା । ସ୍ନେହର ଅବିରତ ଧାରାରେ ତା’ର ଗଣ୍ଡ ଦେଶକୁ ଧୋଇଦେଲା ସିମି । ସ୍ନେହର ଚୁମାଟିଏ ଦେଇ ସେ ଛବିକୁ ଭିଡ଼ି ଧରିଲା ।

ଛବିର ଯନ୍ତ୍ରଣା କୁଆଡ଼େ ଉଭେଇ ଯାଇଛି । ସେ ମା’ କୋଳରେ ପଡ଼ି ବାପା ଯୋହନର କଳ୍ପିତ ଚିତ୍ର ଦେଖିଚାଲିଲା—ବିଚରା ଯୋହନ । ନିରୀହ ମଣିଷଟି । କ’ଣ ବା ଥିଲା ସଂସାରରେ ତା’ର ? ବଣ ପାହାଡ଼ ବୁଲି ନିଶାପାଣି ଖାଏ । ଝୁଲି ଝୁଲି କେଉଁଠି ରାସ୍ତା କଡ଼ରେ କେଉଁଠି ବା ବଣ ବୁଦାରେ ଶୋଇ ରହେ । ସେଇ ରାସ୍ତା କଡ଼ରେ ସେ ଆଖି ବୁଜିଛି । ତା’ର ଦରମଲା ଦେହଟାକୁ ଜ୍ଞାତି କୁଟୁମ୍ୱ ଘୋଷାଡ଼ି ଆଣିଛନ୍ତି । ପ୍ରାଣର ସିମିକୁ ଦେଖି ସେ ଆର ପୁରକୁ ଚାଲି ଯାଇଛି । ତାପରେ ତା’ର ଶବଟାକୁ ପାହାଡ଼ ତଳେ କବର ଦେଇ ଜାତି ଭାଇମାନେ ପଥର ଖଣ୍ଡେ ପୋତି ଦେଇଛନ୍ତି । ଏଇ ପଥରରେ ଯୋହନ ପ୍ରାଣର ସା’ ବଞ୍ଚି ରହିବ ।

ଭକ୍ତିରେ ଛବିର ହାତ ଦୁଇଟି ଉପରକୁ ଉଠିଗଲା । ଯୋଡ଼ ହାତରେ ସେ ଭିକ୍ଷା କଲା, ‘ପ୍ରଭୁହେ, ତାଙ୍କୁ ସଦ୍‍ଗତି ଦିଅ’ ।

ସମୁଦ୍ର ପବନରେ ଭାସି ଉଠୁଥିଲା ତା’ର ପ୍ରତିଧ୍ୱନି । ଏକ ଲକ୍ଷ୍ୟରେ ସେ ସେ ଚାହିଁ ରହିଥିଲା । ପୋଷ୍ଟମ୍ୟାନ ଚିଠି ଖଣ୍ଡିଏ ବଢ଼ାଇ ଦେଲା । ଉଠିବାକୁ ଶକ୍ତି ନାହିଁ । ଝରକାବାଟେ ହାତ ଗଳାଇ ସେ ଚିଠିଟି ରଖିଲା । ନିମନ୍ତ୍ରଣ ପତ୍ର । ଏ ପାଖ ସେପାଖ ଓଲଟାଇ ଚାଲିଲା ଛବି । ଆଖିଟା ବିନ୍ଧି ବିନ୍ଧି ଆସୁଥାଏ । ଅକ୍ଷରଗୁଡ଼ା ଅସ୍ପଷ୍ଟ ହୋଇଗଲା ପରି ବୋଧ ହେଉଥାଏ । ସେ ନିର୍ଜୀବ ଦୃଷ୍ଟିରେ ପତ୍ରଟିକୁ ପଢ଼ିବାକୁ ଲାଗିଲା–

ସ୍ନେହର ଛବି,

‘‘ବାଟୋଇ’’ ଶେଷରେ ତା’ର ପଥ ପାଇଛି । ସମୁଦ୍ର କୂଳର ମଣିଷ କେଇଟିକୁ ଧରି ସେ ତା’ର ଆଦର୍ଶକୁ ରୂପ ଦେବ । ନିକଟ ଭବିଷ୍ୟତରେ ଗଢ଼ି ଉଠିବ ‘‘ଆର୍ଯ୍ୟପଲ୍ଲୀ’’ ଉଦ୍‍ଘାଟଦ ଉତ୍ସବରେ ନୌଯାତ୍ରାର ବିପୁଳ ଆୟୋଜନ । ଏ ନବୋତ୍ସବରେରେ ଶୁଭ ଦେବ, କେଉଟ ଝିଅ ‘‘ସତିଆ’’ । ତୁମକୁ ନିମନ୍ତ୍ରଣ ରହିଲା । ତୁମର ଆଶିଷ ଓ ସ୍ନେହ ଭିକ୍ଷା କରିବାକୁ ବାଟୋଇଟି ପୁଣିଥରେ ତୁମ ଦ୍ୱାରରେ ଅତିଥି ହୋଇପାରେ ।

ସ୍ନେହର ‘‘ବାଟୋଇ’’

ଛବି ଆଚମ୍ୱିତ ହେଲା । ପ୍ରଶ୍ନିଳ ଆଖିରେ କାନ୍ଥ ବାଡ଼କୁ ଅନାଇ ରହିଲା । ମନ ଭିତରେ ବାଜି ଉଠିଲା ନିଥର ରାତିର ସେହି ପକ୍ଷୀ ବିଳାପ । ନିର୍ଜନ କେବିନ୍‍ । ପକ୍ଷିଣୀଟି ଡେଣା ପିଟୁଛି । ରାତି ରାତି ଜଗି ରହି ସେ ବାଟୋଇଟିର ସେବା କରୁଛି । କ୍ଲାନ୍ତିରେ ଆଖିପତା ନଇଁ ଆସୁଛି । ସାରିଭିଡ଼ି ହୋଇ ଅଳସ ଦେହଟା ବାଟୋଇ କୋଳରେ ବିଛାଇ ଦେଉଛି ! ଅନୁ ଭାଇର ମୁହଁଟା ଦାଉ ଦାଉ ହୋଇ ଦିଶି ଯାଉଛି । କାର୍ତ୍ତିକ ସକାଳର ଶିରି ଶିରି ପବନରେ ଦେହ ଶୀତେଇ ଉଠୁଛି । ଘର ଆଗର ନଡ଼ିଆ ଗଛରୁ ଡାକି ଯାଉଛି ଦଗାଦିଆ ସେହି କଜ୍ଜଳ ପାତିଟା । ବଉଳ ଫୁଲର ବାସନାରେ ମନ ପାଗଳ ହେଉଛି । ତା’ର ଚିବୁକରେ ଶିହରଣ ଖେଳାଇ କିଏ କହି ଉଠୁଛି ‘‘ସତେ କେଡ଼େ ସୁନ୍ଦର ତୁମେ ଛବି ?’’ ଏ ସ୍ୱର କାହାର ? ବେସରମୀ ଅନୁରାଗର ? ରୁଦ୍ଧ କ୍ଷୋଭରେ ସେ ଫୁଲି ଉଠିଲା । କାନ୍ଦିବାକୁ ଇଚ୍ଛା ହେଉଛି । ତଥାପି କାନ୍ଦି ପାରିଲା ନାହିଁ । ଜୋରରେ ହସି ଉଠିଲା ।

ମିଟି ମଟି ଆଖିରେ ଚାହିଁ ରହିଛି ସିମି । ଛବିର ଏ ନିର୍ମମ ହସ ସେ କେବେ ଦେଖି ନ ଥିଲା । ପୁରୁଣା କୋଠାଟା ହସର ଲହରେ ଫାଟି ପଡ଼ିବ ।

ତଥାପି ଛବି ହସୁଛି । ସମସ୍ତେ ହସୁଥିବେ । ସମୁଦ୍ର କୂଳର ଅଖ୍ୟାତ ପଲ୍ଲୀଟା ହସି ଉଠୁଥିବ । ସେ ହସିବ ନାହିଁ ? ନିଦାଘର ରୌଦ୍ର ଭିତରେ ନିତିଦେଖା ସମୁଦ୍ରଟା ବି ହସି ଯାଉଛି । ଦୂର ଦିଗବଳୟ ବାରି ହେଉ ନାହିଁ । ମଧ୍ୟାହ୍ନର ସୂର୍ଯ୍ୟ କିରଣରେ ଉଜ୍ଜ୍ୱଳ ହୋଇ ଉଠିଛି । ତଥାପି ତା’ର ଶେଷ ଥିବ । କେତେ ବିଲପାଟ ଓ ଶସ୍ୟ-ଶ୍ୟାମଳ ଗାଁ ଛୁଇଁ ସେ ଲମ୍ବିଯାଇଥିବ । ସେଇ ଗାଁ, ସେଠିକାର ଶିଶିରଝରା ଆକାଶ ଓ ତା’ ତଳର ତଟିନୀଟିଏ ଆଖି ଆଗରେ ନାଚିଗଲା । ସେ ରଜ ଦୋଳିରେ ବସିଛି । କିଲି କିଲି ପବନରେ ଦୋଳି ଭାସି ଯାଉଛି ଶୂନ୍ୟକୁ । ପହଞ୍ଚାଇ ଦେଉଛନ୍ତି ଶାନ୍ତି, କାନ୍ତି ଓ ଅରୁଣା । କଣ୍ଠରେ ରଜଦୋଳିର ଛନକା ସଂଗୀତ । ଛାତି ଉଲୁସି ଉଠୁଛି । ସେ ଆଖି ମେଲାଇ ଦେଖୁଛି, ଆଖି ପାଉନାହିଁ । ଖସି ପଳାଉଛି ତଳର ନଦୀ, ବନ ଓ ବିଲ-ତୋଟା । କୂଳ ଖାଇ ନଈ ବଢ଼ିଛି । ନୀଳ ଜଳଧାରଟି ଓସାରିଆ ହୋଇଛି । ନଈ ଗର୍ଭରେ ମିଶିଯାଇଛି ସେପାରିର ଆମ୍ୱ, ନଡ଼ିଆ ଓ ବର-ଓସ୍ତ ଇତ୍ୟାଦି ଉଚା ଉଚା ଗଛ ।

ଆକାଶରେ ମଲା ଚାନ୍ଦଟା ହସି ଉଠୁଛି । ପୁଣି ହୁଏତ ରାତି ହେବ । ଜହ୍ନ ପଡ଼ିବ । ଏପାରି ଚକୁଆ ସେ ପାରିକୁ ଉଡ଼ିଯିବ । ହେଲେହେଁ ଏପାରିର ଛାଇ ସେପାରିକୁ ଲମ୍ୱିଯିବ ନାହିଁ । ତଟିନୀ ବହି ଚାଲିଥିବ । ପାହାଡ଼ର ମିନତି ଶିଳା ଶେଯରେ ଗଡ଼ି ଚାଲିବ । ହେଲେ ହେଁ କୂଳ ମଣିଷର ଛାଇ ପତଳା ସୁଅରେ ଛାୟାଚିତ୍ର ରଚିବ ନାହିଁ । ନଈ ସମୁଦ୍ର ଦେହରେ ମିଶିବ । ଚାହିଁ ରହିଥିବ ଏ ଅଲାଜୁକୀ ବାଲି ଶେଯଟା । ଚାହିଁବା ଖାଲି ତା’ର ଧର୍ମ ।

ପୁଣିଥରେ ହସିଉଠିଲା ଛବି । ସିମବୁଢ଼ୀ ପ୍ରମାଦ ଗଣିଲା । ହସି ହସି ସେ ବାୟାଣୀ ହୋଇଯିବ । ଶୁଭ ଉତ୍ସବରେ କେଉଟୁଣୀ ସତିଆ ଶଙ୍ଖ ଫୁଙ୍କୁଥିବ । ଭାସି ଯାଉଥିବ ଭେଳାକୁ ଭେଳା ତରୀ । ଏଶୁଭ ବେଳରେ ସେ ଶଙ୍ଖଟାଏ ବଜାଇ ଦେବ ନାହିଁ ? ଚୌଧୁରୀ ଘରର ବୋହୂ ସେ କୂଳ ଭୁଆସୁଣୀ । ଅନୁରାଗ ସଂଗରେ ହାତ ମିଳାଇ ଚାଲିବ । ଇହପର କାଳରେ ସଙ୍ଗିନୀ ହେବାକୁ ଦେବତା ବ୍ରାହ୍ମଣ ଆଗରେ ସେ ପରା ଶପଥ ନେଇଥିଲା ?

ଗୋଟିଏ ହୋସରେ ଉଠି ପଡ଼ିଲା ସେ । ତଳକୁ ଓହ୍ଲାଇ ଗଲା । ମୁଣ୍ଡଟା ଚକ୍‍କର ଦେଇ ଘୂରି ଉଠୁଥାଏ । ଚଟାଣରେ ଦୁ’ କଚି ଢଳି ପଡ଼ିଲା । ଆଖି ଦେଇ ନିଆଁର ଧାସ ବାହାରି ଯାଉଥାଏ-। ସୃଷ୍ଟିର ସମସ୍ତ ଅନ୍ଧକାର ତା’ଚାରିପାଖରେ ଘନେଇ ଉଠିଲା ।

ସ୍ୱର୍ଗରେ ଥାଇ ହାଡ଼ିଆଣୀ ରତନା ଆଖି ଠାରୁଛି । ପେଟ ଭିତରେ ଅଣ୍ଡାଳି ହେଉଛି ତା’ର ବର୍ଣ୍ଣ ସଂକର ଶିଶୁ । ଘୃଣ୍ୟ ମାତୃତ୍ୱରେ ଛବି ଶିହରି ଉଠିଲା । ହସି ଉଠିଲେ କିରଣବାବୁ । ନିର୍ଲଜ ଆକାଶଟା ପରିହାସ କରୁଛି । ମନ ଭିତରୁ ଫେଣେଇ ଉଠୁଛି ସରଗର ଅନାମୀ ସପନ । ସତେ ଯେମିତି ଏହାର ଶେଷ ନାହିଁ । ଡୋଳା ବୁଜି ଛବି ଶୋଇ ଆସିଲା । ସିମିର ନିସ୍ତେଜ ଆଖିପତା ନଇଁ ଆସୁଥାଏ ।

ରିକ୍‍ସାଟିଏ ଦ୍ୱାର ଦେଶରେ ବନ୍ଦ ହେଲା । କିଏ ଜଣେ ତହିଁରୁ ଓହ୍ଲାଇ ଦରଜା ପାଖରେ ଠିଆ ହେଲେ । ‘ଛବି’ ‘ଛବି’ ଡାକି ଭିତରକୁ ଯିବାକୁ ଅନୁମତି ଚାହୁଁ ଥିଲେ । ସିମିବୁଢ଼ୀ ଆଖି ମେଲାଇଲା । ଅନୁରାଗ ଆସିଗଲେ ପରା ?

Image